ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଅଧିକାଂଶ ଅଞ୍ଚଳକୁ ଅଗ୍ରସର ହେବା ସହିତ ଓଡ଼ିଶାରେ ବର୍ଷାର ପ୍ରଭାବ ବଢ଼ିଛି । ଏହି ପରିସ୍ଥିତିରେ ଭାରତୀୟ ପାଣିପାଗ ବିଭାଗ (IMD) ରାଜ୍ୟର ୧୪ଟି ଜିଲ୍ଲା ପାଇଁ ଭାରୀ ବର୍ଷା, ବଜ୍ରପାତ ଓ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗର ଝଡ଼ ପବନ ସମ୍ଭାବନା ନେଇ ସତର୍କବାଣୀ ଜାରି କରିଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ମାଲକାନଗିରି, ନବରଙ୍ଗପୁର, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, ପୁରୀ, ଗଞ୍ଜାମ, କନ୍ଧମାଳ, କୋରାପୁଟ, ରାୟଗଡ଼ା, ଗଜପତି, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାରେ ବଜ୍ରପାତ ସହ ବର୍ଷାର ପ୍ରଭାବ ଅଧିକ ରହିବ ।
IMD କହିଛି ଯେ ବଙ୍ଗୋପସାଗରରେ ସକ୍ରିୟ ମୌସୁମୀ ପ୍ରବାହ ଓ ଉପରିବାୟୁ ଘୂର୍ଣ୍ଣିବଳୟର ପ୍ରଭାବରେ ଆଗାମୀ ୨୪ରୁ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କେତେକ ସ୍ଥାନରେ ସ୍ୱଳ୍ପ ସମୟ ମଧ୍ୟରେ ଅଧିକ ବର୍ଷା ହୋଇ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇପାରେ । ଉତ୍ତର ଓ ଦକ୍ଷିଣ ଉପକୂଳ ଓଡ଼ିଶା ସହ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟ ବର୍ଷାର ପ୍ରଭାବ ଅଧିକ ରହିବ ବୋଲି ଆକଳନ କରାଯାଇଛି ।
ପାଣିପାଗ ବିଭାଗ ଲୋକମାନଙ୍କୁ ବଜ୍ରପାତ ସମୟରେ ଘର ଭିତରେ ରହିବା, ଗଛ ତଳେ ଆଶ୍ରୟ ନ ନେବା ଏବଂ ଜଳାଶୟ ନିକଟକୁ ନ ଯିବାକୁ ପରାମର୍ଶ ଦେଇଛି । ଚାଷୀମାନଙ୍କୁ ମଧ୍ୟ ଫସଲ ଓ ପଶୁଧନ ସୁରକ୍ଷା ପାଇଁ ସତର୍କ ରହିବାକୁ କୁହାଯାଇଛି । ସମୁଦ୍ର ଉତ୍ତାଳ ରହିବା ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବାକୁ ସୂଚନା ଦିଆଯାଇଛି ।