ଭୁବନେଶ୍ୱର, ୧୩ ଜୁନ: ଓଡ଼ିଶା ପୁଲିସ ପ୍ରଶାସନ ପାଇଁ ଏକ ଗୌରବମୟ ଖବର ଆସିଛି । ଓଡ଼ିଶା କ୍ୟାଡରର ଦୁଇଜଣ ବରିଷ୍ଠ IPS ଅଧିକାରୀଙ୍କୁ କେନ୍ଦ୍ର ସରକାର Director General (DG) ଓ DG-ସମମାନ ପଦବୀ ପାଇଁ ଏମ୍ପାନେଲ୍ କରିଛନ୍ତି । କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ନିଯୁକ୍ତି କମିଟି (ACC) ଦେଶର ୩୩ ଜଣ ବରିଷ୍ଠ IPS ଅଧିକାରୀଙ୍କ ନାମ ଅନୁମୋଦନ କରିଥିବାବେଳେ ସେଥିରେ ଓଡ଼ିଶା କ୍ୟାଡରର ଦୁଇ ଅଧିକାରୀ ସ୍ଥାନ ପାଇଛନ୍ତି ।
ଏହି ତାଲିକାରେ ୧୯୯୦ ବ୍ୟାଚ୍ IPS ଅଧିକାରୀ ଡ଼. ସୁଧାଂଶୁ ଷଡଙ୍ଗୀ ଏବଂ ୧୯୯୫ ବ୍ୟାଚ୍ IPS ଅଧିକାରୀ ପଦ୍ମାକର ଏସ୍. ରାନପିସେ ଅନ୍ତର୍ଭୁକ୍ତ ଅଛନ୍ତି । ବର୍ତ୍ତମାନ ଡ଼. ଷଡଙ୍ଗୀ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି । ସେ ଭୁବନେଶ୍ୱର-କଟକ ପୁଲିସ କମିଶନର ଓ ଓଡ଼ିଶା ପୁଲିସ ହାଉସିଂ କର୍ପୋରେସନର ଅଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ ।
ଅନ୍ୟପଟେ ପଦ୍ମାକର ଏସ୍. ରାନପିସେ ବର୍ତ୍ତମାନ କେନ୍ଦ୍ରୀୟ ପ୍ରତିନିଯୁକ୍ତିରେ ରହି CISFର ଅତିରିକ୍ତ ମହାନିର୍ଦ୍ଦେଶକ (ADG) ଭାବେ କାର୍ଯ୍ୟ କରୁଛନ୍ତି । ଆଇନ-ଶୃଙ୍ଖଳା, ଆଭ୍ୟନ୍ତରୀଣ ସୁରକ୍ଷା ଓ ପ୍ରଶାସନିକ କ୍ଷେତ୍ରରେ ତାଙ୍କର ଦୀର୍ଘ ଅନୁଭବ ରହିଛି ।
ଏହି ଏମ୍ପାନେଲ୍ମେଣ୍ଟ ପରେ ଉଭୟ ଅଧିକାରୀ CRPF, BSF, CISF, ITBP ଭଳି କେନ୍ଦ୍ରୀୟ ସୁରକ୍ଷା ସଂସ୍ଥା ଓ ଗୁଇନ୍ଦା ଏଜେନ୍ସିଗୁଡ଼ିକର ଶୀର୍ଷ ପଦବୀରେ ନିଯୁକ୍ତି ପାଇବାର ଯୋଗ୍ୟତା ହାସଲ କରିଛନ୍ତି । ଏହାକୁ ଓଡ଼ିଶା କ୍ୟାଡର ପାଇଁ ଏକ ବଡ଼ ସଫଳତା ଭାବେ ଦେଖାଯାଉଛି ।