ଓଡ଼ିଶାର କେନ୍ଦ୍ରାପଡ଼ାରେ ପ୍ରସ୍ତାବିତ ₹୨୪,୭୦୦ କୋଟିର ଶିପ୍‌ବିଲ୍ଡିଂ ଓ ହେଭି ଇଣ୍ଡଷ୍ଟ୍ରିଜ୍ କ୍ଲଷ୍ଟରକୁ କେନ୍ଦ୍ର ସରକାରଙ୍କ ଇନ୍-ପ୍ରିନ୍ସିପଲ୍ ମଞ୍ଜୁରି ମିଳିଛି। NSHIPOL ପକ୍ଷରୁ ପ୍ରସ୍ତାବିତ ଏହି ପ୍ରକଳ୍ପ ମହାନଦୀର ଉତ୍ତର ପାର୍ଶ୍ୱରେ, ପାରାଦୀପର IFFCO ପ୍ଲାଣ୍ଟ ସମ୍ମୁଖରେ ବିକଶିତ ହେବାର ଯୋଜନା ରହିଛି। ପ୍ରକଳ୍ପରେ ପ୍ରାୟ ୧.୨ ନିୟୁତ ଗ୍ରସ୍ ଟନ୍‌ (GT) ବାର୍ଷିକ ଶିପ୍‌ବିଲ୍ଡିଂ କ୍ଷମତା, ଶିପ୍‌ ରିପେୟାର, ମେରିନ୍ ଉପକରଣ ଓ ସହାୟକ ଶିଳ୍ପର ଇକୋସିଷ୍ଟମ୍ ପ୍ରସ୍ତାବ ରହିଛି।

ଭୁବନେଶ୍ୱର, ୦୩ ସେପ୍ଟେମ୍ବର; ଓଡ଼ିଶାର ସମୁଦ୍ରକେନ୍ଦ୍ରିକ ଅର୍ଥନୀତିକୁ ନୂଆ ଦିଗ ଦେବାର ସମ୍ଭାବନା ସୃଷ୍ଟି କରିଛି କେନ୍ଦ୍ରାପଡ଼ାର ପ୍ରସ୍ତାବିତ ମେଗା ଶିପ୍‌ବିଲ୍ଡିଂ କ୍ଲଷ୍ଟର। National Shipbuilding and Heavy Industries Park Odisha Ltd (NSHIPOL)ର ₹୨୪,୭୦୦ କୋଟି ପ୍ରକଳ୍ପକୁ କେନ୍ଦ୍ରର Shipbuilding Development Scheme (SbDS) ଅଧୀନରେ ଇନ୍-ପ୍ରିନ୍ସିପଲ୍ ଅନୁମୋଦନ ମିଳିଛି। ଏହି ଅନୁମୋଦନ ପ୍ରକଳ୍ପକୁ ଆଗକୁ ନେବାର ଏକ ବଡ଼ ପ୍ରାରମ୍ଭିକ ପଦକ୍ଷେପ। 

ପ୍ରସ୍ତାବିତ କ୍ଲଷ୍ଟରଟି ମହାନଦୀର ଉତ୍ତର ପାର୍ଶ୍ୱରେ, ପାରାଦୀପର IFFCO ପ୍ଲାଣ୍ଟ ସମ୍ମୁଖରେ ବିକଶିତ ହେବାକୁ ଯୋଜନା ରହିଛି। ଏହାକୁ ଓଡ଼ିଶା ମାରିଟାଇମ୍ ବୋର୍ଡ (OMB) ଓ ପାରାଦୀପ ପୋର୍ଟ ଅଥରିଟି (PPA)କୁ ସାମିଲ କରି ଏକ Special Purpose Vehicle (SPV) ମାଧ୍ୟମରେ ବିକଶିତ କରାଯିବ। NSHIPOL ଜୁଲାଇ ୩୦, ୨୦୨୬ରେ ଏଥିପାଇଁ ଆବେଦନ କରିଥିଲା। ଅଗଷ୍ଟ ୧୦ରେ ହୋଇଥିବା Inter-Ministerial Group for Shipbuildingର ଷଷ୍ଠ ବୈଠକର ସୁପାରିସ ପରେ ଅନୁମୋଦନ ପ୍ରକ୍ରିୟା ଆଗକୁ ବଢ଼ିଥିଲା।

ପ୍ରକଳ୍ପରେ ଗୋଟିଏ କିମ୍ବା ଏକାଧିକ ବଡ଼ ଶିପ୍‌ୟାର୍ଡ ନିର୍ମାଣର ଯୋଜନା ରହିଛି। ସମସ୍ତ ଶିପ୍‌ୟାର୍ଡର ମିଳିତ ବାର୍ଷିକ ଉତ୍ପାଦନ କ୍ଷମତା ପ୍ରାୟ ୧.୨ ନିୟୁତ ଗ୍ରସ୍ ଟନ୍ (GT) ରଖିବାର ପ୍ରସ୍ତାବ ରହିଛି। ପ୍ରାରମ୍ଭିକ ଯୋଜନା ଅନୁସାରେ ପ୍ରାୟ ୨–୨.୫ କିଲୋମିଟର୍ ୱାଟରଫ୍ରଣ୍ଟ ଏବଂ ୨,୦୦୦–୨,୫୦୦ ଏକର ଜମି ଆବଶ୍ୟକ ହେବ। 

ଏହା କେବଳ ଜାହାଜ ନିର୍ମାଣରେ ସୀମିତ ରହିବ ନାହିଁ। ଶିପ୍‌ ରିପେୟାର, ଇଞ୍ଜିନ୍ ନିର୍ମାଣ, ଷ୍ଟିଲ୍ ଫ୍ୟାବ୍ରିକେସନ୍, ମେରିନ୍ ଉପକରଣ, ଟ୍ରେନିଂ ସେଣ୍ଟର୍ ଏବଂ ଗବେଷଣା ଓ ବିକାଶ ଭଳି ସହାୟକ କ୍ଷେତ୍ରକୁ ଏକ ଇକୋସିଷ୍ଟମ୍‌ରେ ଆଣିବାର ଯୋଜନା ଅଛି। ପ୍ରକଳ୍ପର ଅବସ୍ଥାନ ଏହାର ଏକ ବଡ଼ ଶକ୍ତି। ପାରାଦୀପ ବନ୍ଦରର ନିକଟତା ସହ ଓଡ଼ିଶାର ଷ୍ଟିଲ୍, କୋଇଲା ଓ ଅନ୍ୟାନ୍ୟ ଶିଳ୍ପ କଞ୍ଚାମାଲର ସୁବିଧା ମିଳିପାରିବ। ଏଥିସହିତ ପାରାଦୀପକୁ କେନ୍ଦ୍ର କରି ଥିବା ମେରିଟାଇମ୍ ଲଜିଷ୍ଟିକ୍ସ ନେଟୱର୍କ ଶିପ୍‌ବିଲ୍ଡିଂ ଶିଳ୍ପ ପାଇଁ ସହାୟକ ହୋଇପାରେ। 

NITI Aayogର ୨୦୨୬ର Bhubaneswar-Cuttack-Puri-Paradeep Economic Planରେ ମଧ୍ୟ କେନ୍ଦ୍ରାପଡ଼ା ଓ ଜଗତସିଂହପୁରର ମହାନଦୀ ରିଭରାଇନ୍ ଅଞ୍ଚଳକୁ ଏକ ପ୍ରମୁଖ Ship Building & Repair Hub ଭାବେ ବିକଶିତ କରିବାର ଧାରଣା ରହିଛି। ଏଥିରେ ବଡ଼ ଓ short-sea vessels ପାଇଁ state-of-the-art shipyard, green vessel technology ପାଇଁ Design and Innovation Centre ଏବଂ Skill Development Academy ଭଳି ବ୍ୟବସ୍ଥାର ପ୍ରସ୍ତାବ ରହିଛି। 

ଏହି ଇନ୍-ପ୍ରିନ୍ସିପଲ୍ ଅନୁମୋଦନକୁ ଚୂଡ଼ାନ୍ତ ପ୍ରକଳ୍ପ ଅନୁମୋଦନ ଭାବେ ଦେଖିବା ଠିକ୍ ହେବ ନାହିଁ। NSHIPOLକୁ ଏବେ Detailed Project Report (DPR) ପ୍ରସ୍ତୁତ କରିବା ସହ ଶିପ୍‌ୟାର୍ଡ ଇନ୍‌ଫ୍ରାଷ୍ଟ୍ରକ୍ଚର, vessel specifications, capital expenditure, dredging, breakwater ଓ financial model ଭଳି ବିଷୟ ସ୍ପଷ୍ଟ କରିବାକୁ ପଡ଼ିବ। ଏହା ସହିତ ପରିବେଶ ଅନୁମୋଦନ ଓ Coastal Regulation Zone (CRZ) ଅନୁମତି ଭଳି statutory clearances ମଧ୍ୟ ଆବଶ୍ୟକ। 

Share This Article 1 shares

Continue Reading

View All ଓଡ଼ିଶା →