ଭୁବନେଶ୍ବର : ପ୍ରାୟ ତିନି ଦଶକ ଧରି ଚାଲିଥିବା ଏକ ଆଇନି ଲଢ଼େଇର ଅନ୍ତ ଘଟାଇ ଓଡ଼ିଶା ହାଇକୋର୍ଟ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI)କୁ ଦୁଇଜଣ ଦୈନିକ ମଜୁରିଆ ସଫେଇ କର୍ମଚାରୀଙ୍କୁ ୨୦ ଲକ୍ଷ ଟଙ୍କା ଲେଖାଏଁ, ଅର୍ଥାତ୍ ମୋଟ ୪୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଆଦେଶ ଦେଇଛନ୍ତି । ଏହି ମାମଲାରେ ବିଚାରପତି କୃଷ୍ଣ ଏସ୍. ଦୀକ୍ଷିତ ଓ ଚିତ୍ତରଞ୍ଜନ ଦାଶଙ୍କ ଖଣ୍ଡପୀଠ ଏହି ଐତିହାସିକ ରାୟ ଶୁଣାଇଛନ୍ତି ।
ମାମଲାର ଆବେଦନକାରୀ ମାୟାଧର ନାୟକ ଓ ବାଇନ ନାୟକ ୧୯୯୪-୯୫ ମସିହାରୁ ଭୁବନେଶ୍ୱରସ୍ଥିତ ଏସବିଆଇର ସରକାରୀ ଟ୍ରେଜରୀ ଶାଖାରେ ଦୈନିକ ମଜୁରିଆ ସଫେଇ କର୍ମଚାରୀ ଭାବେ କାମ କରୁଥିଲେ । ସେମାନେ ୧୯୯୯ରେ ନିୟମିତ ନିଯୁକ୍ତି ଓ ସେବା ସୁବିଧା ଦାବି କରି ପ୍ରଥମେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ପରବର୍ତ୍ତୀ ସମୟରେ ୨୦୦୭ ଓ ୨୦୦୮ରେ ଅଦାଲତ ସେମାନଙ୍କୁ ସର୍ବନିମ୍ନ ମଜୁରି ଓ କାମ ଉପଲବ୍ଧ ଥିବା ପର୍ଯ୍ୟନ୍ତ ସେବା ଜାରି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।
କିନ୍ତୁ, ୨୦୨୫ରେ ସେମାନଙ୍କ ସେବା ସମାପ୍ତ କରାଯାଇଥିଲା । ନିୟମିତ ଚାକିରି ପାଇଁ ସେମାନଙ୍କ ଆବେଦନ ଖାରଜ ହେବା ପରେ ସେମାନେ ଡିଭିଜନ ବେଞ୍ଚରେ ଅପିଲ କରିଥିଲେ । ଶୁଣାଣି ସମୟରେ SBI ପକ୍ଷରୁ ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରସ୍ତାବ ଦିଆଯାଇଥିଲା, କିନ୍ତୁ ଅଦାଲତ ଏହାକୁ ଅତ୍ୟନ୍ତ କମ୍ ବୋଲି ମନେ କରିଥିଲେ । ଅଦାଲତ ମନ୍ତବ୍ୟ କରିଥିଲେ, “ଆଜିର ସମୟରେ ରକ୍ତଠାରୁ ରୁଟି ଅଧିକ ଦାମୀ” ଏବଂ ଏହି କର୍ମଚାରୀମାନେ ବ୍ୟାଙ୍କ ପାଇଁ ନିଜର “ଝାଳ ଓ ରକ୍ତ” ଦେଇଛନ୍ତି ।
ଅଦାଲତ କହିଛନ୍ତି ଯେ ପୂର୍ବ ରାୟ ଅନୁଯାୟୀ ବର୍ତ୍ତମାନ ନିୟମିତ ନିଯୁକ୍ତି ଦେବା ଆଇନଗତ ଭାବେ ସମ୍ଭବ ନୁହେଁ । ତେବେ, ପ୍ରାୟ ୩୦ ବର୍ଷର ନିଷ୍ଠାପୂର୍ଣ୍ଣ ସେବା, ବୟସ ବୃଦ୍ଧି ଏବଂ ବର୍ତ୍ତମାନର AI ଯୁଗରେ ନୂଆ ଚାକିରି ପାଇବାର ସମ୍ଭାବନା ଅତ୍ୟନ୍ତ କମ୍ ଥିବାରୁ, ୨୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ହିଁ ଉଭୟ ପକ୍ଷ ପାଇଁ ନ୍ୟାୟସଙ୍ଗତ ବୋଲି ରାୟ ଦିଆଯାଇଛି । ବ୍ୟାଙ୍କକୁ ଆଠ ସପ୍ତାହ ମଧ୍ୟରେ ଏହି ଅର୍ଥ ପ୍ରଦାନ କରିବାକୁ କୁହାଯାଇଛି । ବିଳମ୍ବ ହେଲେ ସୁଧ ମଧ୍ୟ ଦେବାକୁ ପଡ଼ିବ । ଅଦାଲତ ସ୍ପଷ୍ଟ କରିଛନ୍ତି ଯେ ଏହି ରାୟ କେବଳ ଏହି ମାମଲାର ବିଶେଷ ପରିସ୍ଥିତି ଉପରେ ଆଧାରିତ, ଏହାକୁ ସାଧାରଣ ନଜିର ଭାବେ ଗ୍ରହଣ କରାଯିବ ନାହିଁ ।