ଓଡ଼ିଶା ସରକାର ଜୁଲାଇ ୧ରୁ ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ନୂଆ ସ୍କୁଲ ମ୍ୟାନେଜମେଣ୍ଟ କମିଟି (SMC) ଗଠନ କରିବେ। ପୁରୁଣା SMC ଓ SMDCର କାର୍ଯ୍ୟକାଳ ଜୁନ୍ ୩୦ରେ ଶେଷ ହେଉଥିବାରୁ OSEPA ନୂଆ ନିର୍ଦ୍ଦେଶାବଳୀ ଜାରି କରିଛି। ନୂଆ ବ୍ୟବସ୍ଥାରେ ଅଭିଭାବକଙ୍କ ଅଂଶଗ୍ରହଣ, ସ୍ୱଚ୍ଛ ପରିଚାଳନା ଓ ଶିକ୍ଷାର ଗୁଣବତ୍ତା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ।

ଓଡ଼ିଶା: ସରକାର ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ୧ ଜୁଲାଇ ୨୦୨୬ରୁ ନୂଆ ସ୍କୁଲ ମ୍ୟାନେଜମେଣ୍ଟ କମିଟି (School Management Committee-SMC) ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନର SMC ଏବଂ School Management and Development Committee (SMDC)-ର କାର୍ଯ୍ୟକାଳ ଜୁନ୍ ୩୦ରେ ଶେଷ ହେଉଥିବାରୁ ଏହି ନୂଆ ପ୍ରକ୍ରିୟା ଆରମ୍ଭ ହେବ । 

ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ, ପ୍ରତ୍ୟେକ ବିଦ୍ୟାଳୟରେ ଅଲଗା SMC ଓ SMDC ପରିବର୍ତ୍ତେ ଗୋଟିଏ ଏକୀକୃତ SMC ରହିବ । ଏହା ଅଧୀନରେ ସ୍କୁଲ ବିଲ୍ଡିଂ କମିଟି ଏବଂ ସ୍କୁଲ ଏକାଡେମିକ୍ କମିଟି ନାମରେ ଦୁଇଟି ଉପ-କମିଟି ଗଠନ କରାଯିବ । ଏହି ଉପ-କମିଟିଗୁଡ଼ିକ ସ୍କୁଲର ଭିତ୍ତିଭୂମି ବିକାଶ, ରକ୍ଷଣାବେକ୍ଷଣ ଏବଂ ପାଠପଢ଼ାର ମାନ ବୃଦ୍ଧି ଉପରେ କାମ କରିବେ । 

ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅନୁସାରେ କମିଟିର ସଦସ୍ୟ ସଂଖ୍ୟା ନିର୍ଦ୍ଧାରଣ ହେବ । ୧୦୦ରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲରେ ୧୨ରୁ ୧୫ ଜଣ, ୧୦୦ରୁ ୫୦୦ ଛାତ୍ରଛାତ୍ରୀ ଥିବା ସ୍କୁଲରେ ୧୫ରୁ ୨୦ ଜଣ ଏବଂ ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଥିବା ସ୍କୁଲରେ ୨୦ରୁ ୨୫ ଜଣ ସଦସ୍ୟ ରହିବେ । 

ନୂଆ ବ୍ୟବସ୍ଥାରେ ୭୫ ପ୍ରତିଶତ ସଦସ୍ୟ ଅଭିଭାବକ କିମ୍ବା ଅଭିଭାବିକା ହେବେ । ଏହା ସହ ଅତି କମରେ ୫୦ ପ୍ରତିଶତ ମହିଳା ସଦସ୍ୟ, ଅନୁସୂଚିତ ଜାତି (SC), ଅନୁସୂଚିତ ଜନଜାତି (ST), ଅନ୍ୟାନ୍ୟ ପଛୁଆ ବର୍ଗ (OBC) ଏବଂ ସ୍ୱତନ୍ତ୍ର ଆବଶ୍ୟକତାସମ୍ପନ୍ନ ଶିଶୁଙ୍କ ଅଭିଭାବକଙ୍କୁ ଯଥାଯଥ ପ୍ରତିନିଧିତ୍ୱ ଦିଆଯିବ ।

OSEPA ପକ୍ଷରୁ ସମ୍ପୂର୍ଣ୍ଣ ପ୍ରକ୍ରିୟା ପାଇଁ ସମୟସୀମା ମଧ୍ୟ ଧାର୍ଯ୍ୟ କରାଯାଇଛି । ୧ରୁ ୧୫ ଜୁଲାଇ ମଧ୍ୟରେ ଅଭିଭାବକ-ଶିକ୍ଷକ ବୈଠକ ଓ ସଦସ୍ୟ ଚୟନ ହେବ । ୧୭ ଜୁଲାଇ ସୁଦ୍ଧା SMC ଗଠନ ଶେଷ କରିବାକୁ ହେବ ଏବଂ ୨୨ ଜୁଲାଇ ସୁଦ୍ଧା ସମସ୍ତ ବିବରଣୀ OSEPA ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି ।

ନୂଆ SMC ଛାତ୍ରଛାତ୍ରୀଙ୍କ ଉପସ୍ଥାନ, ମଧ୍ୟାହ୍ନ ଭୋଜନ ଯୋଜନା, ସ୍କୁଲ ଭିତ୍ତିଭୂମି, ସୁରକ୍ଷା ବ୍ୟବସ୍ଥା, ଆର୍ଥିକ ପରିଚାଳନା ଓ ସରକାରୀ ଶିକ୍ଷା ଯୋଜନାର କାର୍ଯ୍ୟକାରିତା ଉପରେ ନଜର ରଖିବ । ପ୍ରତିମାସରେ ବୈଠକ କରି ନିଷ୍ପତ୍ତିର ରେକର୍ଡ ସଂରକ୍ଷଣ କରିବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ଏହି ପଦକ୍ଷେପ RTE ଆଇନ, NEP 2020 ଓ ସମଗ୍ର ଶିକ୍ଷା ଅଭିଯାନର ଲକ୍ଷ୍ୟ ସହ ସମନ୍ୱିତ ବୋଲି ସରକାର କହିଛନ୍ତି । 

Share This Article 1 shares

Continue Reading

View All ଓଡ଼ିଶା →