WhatsAppର ପ୍ରସ୍ତାବିତ ‘Username’ ଫିଚରକୁ ନେଇ କେନ୍ଦ୍ର ସରକାର ମେଟାକୁ ନୋଟିସ ଜାରି କରିଛି। ଅନଲାଇନ୍ ଠକେଇ, ଫିଶିଂ, ଡିଜିଟାଲ୍ ଆରେଷ୍ଟ ସ୍କାମ୍ ଏବଂ ପରିଚୟ ଜାଲିଆତି ବଢ଼ିବା ଆଶଙ୍କା ଦର୍ଶାଇ ସରକାର ଭାରତରେ ଏହି ଫିଚର ରୋଲଆଉଟ୍ ବନ୍ଦ ରଖିବାକୁ କହିଛି। ସେହିସହିତ ମେଟାକୁ ୩ ଦିନ ମଧ୍ୟରେ ବିସ୍ତୃତ ସ୍ପଷ୍ଟୀକରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ନୂଆଦିଲ୍ଲୀ: WhatsAppର ଆଗାମୀ ‘Username’ ଫିଚରକୁ ନେଇ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । କେନ୍ଦ୍ରର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ (MeitY) ମେଟାକୁ ନୋଟିସ ପଠାଇ ଏହି ଫିଚରକୁ ଭାରତରେ ତୁରନ୍ତ ଲାଗୁ ନ କରିବାକୁ କହିଛି । ସରକାରଙ୍କ ମତରେ, ଏହି ବ୍ୟବସ୍ଥା ଅନଲାଇନ୍ ଠକେଇ, ଫିଶିଂ, ଡିଜିଟାଲ୍ ଆରେଷ୍ଟ ସ୍କାମ୍ ଓ ପରିଚୟ ଜାଲିଆତି (Impersonation) ବୃଦ୍ଧି କରିପାରେ ।
WhatsApp ନିକଟରେ ଘୋଷଣା କରିଥିଲା ଯେ ଖୁବଶୀଘ୍ର ବ୍ୟବହାରକାରୀମାନେ ମୋବାଇଲ୍ ନମ୍ବର ପରିବର୍ତ୍ତେ Username ବ୍ୟବହାର କରି ଅନ୍ୟମାନଙ୍କ ସହ ଯୋଗାଯୋଗ କରିପାରିବେ । ଏହା ଦ୍ୱାରା ପ୍ରଥମ ଥର ସମ୍ପର୍କ କରୁଥିବା ବ୍ୟକ୍ତିଙ୍କ ପାଖରେ ଫୋନ୍ ନମ୍ବର ଲୁଚି ରହିବ, ଯାହାକୁ କମ୍ପାନୀ ଗୋପନୀୟତା ବଢ଼ାଇବାର ପଦକ୍ଷେପ ବୋଲି କହିଛି ।
କିନ୍ତୁ ସରକାରଙ୍କ ଚିନ୍ତା ହେଉଛି, ଯଦି କୌଣସି ଠକ ବ୍ୟକ୍ତି ସରକାରୀ ସଂସ୍ଥା, ବ୍ୟାଙ୍କ, ପ୍ରସିଦ୍ଧ ବ୍ୟକ୍ତି କିମ୍ବା କମ୍ପାନୀର ନାମ ସହ ସମାନ Username ସୃଷ୍ଟି କରେ, ତେବେ ସାଧାରଣ ଲୋକ ସହଜରେ ଠକେଇର ଶିକାର ହୋଇପାରନ୍ତି । ବିଶେଷକରି ଫିଶିଂ ଲିଙ୍କ, ନକଲି ଆକାଉଣ୍ଟ ଓ ‘ଡିଜିଟାଲ୍ ଆରେଷ୍ଟ’ ଭଳି ସାଇବର ଅପରାଧ ବଢ଼ିପାରେ । ଏହି କାରଣରୁ ସରକାର ମେଟାକୁ ଫିଚରର ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ୩ ଦିନ ମଧ୍ୟରେ ବିସ୍ତୃତ ସ୍ପଷ୍ଟୀକରଣ ଦେବାକୁ ନିର୍ଦ୍ଦେଶ ଦେଇଛି ।
ନୋଟିସରେ ସ୍ପଷ୍ଟ କରାଯାଇଛି ଯେ ସରକାରଙ୍କ ସହ ଆଲୋଚନା ସନ୍ତୋଷଜନକ ଭାବେ ଶେଷ ନହେବା ପର୍ଯ୍ୟନ୍ତ ଭାରତରେ ଏହି ଫିଚର ରୋଲଆଉଟ୍ କରାଯିବ ନାହିଁ । ଏହି ପ୍ରସଙ୍ଗରେ MeitY, ଗୃହ ମନ୍ତ୍ରଣାଳୟ ଓ ଅନ୍ୟ ସମ୍ପୃକ୍ତ ପକ୍ଷଙ୍କ ସହ ବୈଠକ ମଧ୍ୟ ଆୟୋଜନ କରାଯାଉଛି ।
ଅନ୍ୟପଟେ WhatsApp କହିଛି ଯେ Username ଫିଚର ଇଚ୍ଛାଧୀନ (Optional) ହେବ, ଏହା ସର୍ଚ୍ଚ କରାଯାଇପାରିବ ନାହିଁ (Not Searchable) ଏବଂ ବ୍ୟବହାରକାରୀଙ୍କ ପାଇଁ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ରହିବ । କମ୍ପାନୀର ଦାବି ଅନୁଯାୟୀ, End-to-End Encryptionରେ କୌଣସି ପରିବର୍ତ୍ତନ ହେବ ନାହିଁ ଏବଂ ଫିଚରର ଅପବ୍ୟବହାର ରୋକିବାକୁ ଏକାଧିକ ସୁରକ୍ଷା ସ୍ତର ରହିବ ।

Share This Article 1 shares

Continue Reading

View All ଦେଶ →