ଓଡ଼ିଆ ଭାଷାର ବିବର୍ତ୍ତନ
୨୨ଟି ଭାରତୀୟ ଭାଷାମାନଙ୍କ ମଧ୍ୟରୁ ଓଡ଼ିଆ ଭାଷା ଅନ୍ୟତମ । ଏ ଭାଷାର ଏକ ପ୍ରଶସ୍ତ ଇତିହାସ ଓ ସୁଦୃଢ଼ ଐତିହ୍ୟ ରହିଛି ।
ଓଡ଼ିଆ ଭାଷାର ଇତିହାସ ଏହାର ନାମରେ ହିଁ ଲୁଚି ରହିଛି । ପ୍ରାଚୀନ ଭାରତୀୟ ସାହିତ୍ୟରେ 'ଉଡ୍ର' ଶବ୍ଦର ଉଲ୍ଲେଖ ମିଳେ । ଏହା ଏକ ଜାତିକୁ ବୁଝାଏ । ପୁରାଣ ଗ୍ରନ୍ଥରେ 'ଓଡ୍ରଦେଶ' ବୋଲି ଉଲ୍ଲେଖ ରହିଛି । ସମୟକ୍ରମେ ଭାଷାର ଉଚ୍ଚାରଣରେ ସ୍ୱାଭାବିକ ପରିବର୍ତ୍ତନ ହୋଇଛି । 'ଓଡ୍ର' ଶବ୍ଦଟି ଲୋକମୁଖରେ ଉଚ୍ଚାରଣ ସରଳ କରିବା ପାଇଁ 'ଉଡ୍ର'ରେ ପରିବର୍ତ୍ତିତ ହୋଇଛି । ପରବର୍ତ୍ତୀ ସମୟରେ 'ଉଡ୍ର' ଶବ୍ଦଟି 'ଓଡ଼'ରେ ପରିବର୍ତ୍ତିତ ହୋଇଛି ଓ 'ଓଡ଼'ରୁ 'ଓଡ଼ିଆ' ଓ 'ଓଡ଼ିଶା' ହୋଇଛି । ପ୍ରଥମେ ଏକ ଜାତି ଥିଲା । ସେମାନଙ୍କର ଭାଷାକୁ ନେଇ ଏକ ସଂଗଠିତ ପରିଚୟ ସୃଷ୍ଟି ହେଲା । ପରେ ପରେ ଏକ ଭୌଗୋଳିକ ଭିତ୍ତିଭୂମି ଗଢ଼ି ଉଠିଲା । ଧୀରେ ଧୀରେ ଭାଷାର ଅଦ୍ଭ୍ୟୁଦୟ ହେବା ସହ ଏକ ଜାତିର ସ୍ୱପରିଚୟ ଗଢ଼ି ଉଠିଲା ।

ଓଡ଼ିଆ ଭାଷା ଇଣ୍ଡୋ-ଆରିୟନ (Indo-Aryan) ପରିବାରର ଏକ ପ୍ରାଚୀନ ଶାଖା । ଓଡ଼ିଆ ଭାଷା ମୂଳ ସଂସ୍କୃତ ଭାଷାରୁ ସୃଷ୍ଟି । ସଂସ୍କୃତରୁ ପରବର୍ତ୍ତୀ ସମୟରେ ପାଲି ଭାଷା ସୃଷ୍ଟି ହୋଇଥିଲା, ପାଲି ଭାଷାରୁ ମାଗଧୀ ପ୍ରାକୃତ ଭାଷାର ସୃଷ୍ଟି । ମାଗଧୀ ପ୍ରାକୃତ ହେଉଛି ପ୍ରାଚୀନ ଭାରତର ଏକ ଲୋକଭାଷା, ଯାହା ମଗଧ ଅଞ୍ଚଳରେ ବ୍ୟବହୃତ ହେଉଥିଲା । ମାଗଧୀ ପ୍ରାକୃତ ଭାଷାରୁ ଅପଭ୍ରଂଶ ଭାଷାର ସୃଷ୍ଟି । ଅପଭ୍ରଂଶ ଭାଷା ଏକ ମିଶ୍ରିତ ଭାଷା ଯେଉଁଥିରୁ ପରବର୍ତ୍ତୀ ସମୟରେ ଓଡ଼ିଆ ଭାଷାର ଉଦ୍ଭବ ହୋଇଛି । ଅପଭ୍ରଂଶ ଭାଷାରୁ ଉଦ୍ଭବ ହୋଇଥିବା ଅନ୍ୟ ଦୁଇଟି ଭାଷା ହେଲା ବଙ୍ଗଳା ଓ ଆସାମୀ ।
ସବୁଠୁ ଗୁରୁତ୍ତ୍ୱପୂର୍ଣ୍ଣ କଥାଟି ହେଉଛି ଓଡ଼ିଆ ଭାଷା ଅନ୍ୟ ଭାଷାର ଅନୁସରଣ କରିନାହିଁ । ଏହା ଏକ ସ୍ୱତନ୍ତ୍ର ଧାରାରେ ବିକଶିତ ହୋଇଛି । ଶତାବ୍ଦୀ ଶତାବ୍ଦୀ ଧରି ଓଡ଼ିଆ ଭାଷା ନିଜର ଗଠନ, ଧ୍ୱନି ଓ ସ୍ୱରୂପକୁ ଖୁବ୍ ଯତ୍ନରେ ଗଢ଼ିଛି । ଏହି ଭାଷାର ଉଚ୍ଚାରଣ ନରମ ଓ ସଂଗୀତମୟ । ଏହି ଭାଷାର ବ୍ୟାକରଣରେ ରହିଛି ଏକ ସ୍ୱତନ୍ତ୍ରତା । ତତ୍ସମ, ତଦ୍ଭବ, ଦେଶଜ ଓ ବୈଦେଶିକ ଶବ୍ଦର ମିଶ୍ରଣ ଓଡ଼ିଆ ଭାଷାକୁ ଏକ ସ୍ୱତନ୍ତ୍ର ଓ ସମୃଦ୍ଧ ଭାଷା କରି ଗଢ଼ି ତୋଳିଛି ।
ଶିଳାଲେଖ, ତାମ୍ରଫଳକ ଓ ପୋଥି ଇତ୍ୟାଦି ଓଡ଼ିଆ ଭାଷାର ପ୍ରାଚୀନ ରୂପର ମୁକସାକ୍ଷୀ । ଓଡ଼ିଆ ଲିପି ଏକ କଳାର ରୂପ, ଯେଉଁଠି ପ୍ରତ୍ୟେକଟି ଅକ୍ଷର ଚିତ୍ର ପରି ଦୃଶ୍ୟମାନ ହୁଏ । ଓଡ଼ିଆ ଲିପିକୁ ଦେଖିଲେ ଯାହା ସର୍ବପ୍ରଥମେ ଆଖିରେ ପଡ଼େ ତାହା ହେଉଛି ଏହାର ଗୋଲାକାର ଓ ବକ୍ର ଆକୃତି, ଯାହା ଏହି ଲିପିର ଅନନ୍ୟ ପରିଚୟ । ଗୋଲାକାର ଓ ବକ୍ର ଆକୃତି ପଛରେ ଏକ ପ୍ରମୁଖ କାରଣ ହେଉଛି ଆମ ଭାଷା ଯୁଗ ଯୁଗ ଧରି ତାଳପତ୍ରରେ ଲେଖା ଯାଉଥିଲା । ଦକ୍ଷିଣ ଭାରତର ବର୍ତ୍ତଳ ଲିପିର ପ୍ରଭାବ ମଧ୍ୟ ଓଡ଼ିଆ ଲିପି ଉପରେ ପଡ଼ିଛି ବୋଲି ଐତିହାସିକ ତଥ୍ୟରୁ ଜଣାପଡ଼େ ।
ଓଡ଼ିଆ ଭାଷାର ଇତିହାସ ବହୁ ପ୍ରାଚୀନ । ଐତିହାସିକଙ୍କ ମତରେ ଓଡ଼ିଆ ଭାଷାର ବୟସ ପ୍ରାୟ ୨୫୦୦ ବର୍ଷରୁ ଊର୍ଦ୍ଧ୍ୱ । ଧଉଳି, ଯଉଗଡ଼, ଖଣ୍ଡଗିରିର ଶିଳାଲେଖରେ ଲୁଚି ରହିଛି ଓଡ଼ିଆ ଭାଷାର ଅସ୍ତିତ୍ୱ ଓ ପ୍ରାଚୀନତା । ଯଦିଓ ଅଧିକାଂଶ ଶିଳାଲେଖମାନ ପାଲି ଭାଷା ଓ ବ୍ରାହ୍ମୀ ଲିପିରେ ଲେଖାଯାଇଛି, ଏସବୁଥିରୁ ଓଡ଼ିଆ ଭାଷା ସମ୍ପର୍କରେ ଅନେକ ସୂଚନା ମିଳେ । ଓଡ଼ିଶାରେ ରାଜୁତି କରୁଥିବା ଶୈଳୋଦ୍ଭବ, ଭୌମକର ଓ ଗଙ୍ଗବଂଶୀ ରାଜାମାନଙ୍କ ଦ୍ୱାରା ଖୋଦିତ ଅଭିଲେଖ ଗୁଡ଼ିକରେ ମଧ୍ୟ ଓଡ଼ିଆ ଭାଷା ସମ୍ପର୍କରେ ସୂଚନା ମିଳିଥାଏ ।
ଅଷ୍ଟମ ଶତାବ୍ଦୀରେ ରଚିତ ହୋଇଥିବା 'ବୌଦ୍ଧଗାନ ଓ ଦୋହା' ଗ୍ରନ୍ଥକୁ ଓଡ଼ିଆ ଭାଷାର ଆଦିଉତ୍ସ ଭାବରେ ବିବେଚନା କରାଯାଏ । ଅପଭ୍ରଂଶ ଭାଷାରେ ରଚିତ ଏହି ଗ୍ରନ୍ଥରେ ରହିଛି ୮୪ ଜଣ ସିଦ୍ଧାଚାର୍ଯ୍ୟ, ଯଥା କାହ୍ନୁପା, ଶବରୀପା, ଲୁଇପା ଇତ୍ୟାଦିଙ୍କ କବିତା । ଦଶମ ଶତାବ୍ଦୀ ବେଳକୁ ଓଡ଼ିଆ ଭାଷାର ବିକାଶ ହୋଇ ସାରିଥିଲା । କିନ୍ତୁ ଓଡ଼ିଆ ଭାଷା ପାଇଁ ଏକ ମାଇଲଖୁଣ୍ଟ ଥିଲା ପଞ୍ଦଦଶ ଶତାବ୍ଦୀ ଯେବେ ଆନୁଷ୍ଠାନିକ ଭାବେ ଓଡ଼ିଆ ଭାଷା ଲିଖିତ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଥିଲା । ଗଜପତି କପିଳେନ୍ଦ୍ର ଦେବଙ୍କ ସିଂହାସନ ଆରୋହଣର ପ୍ରଥମ ଦିନରେ ଓଡ଼ିଆ ଭାଷାକୁ ରାଜକୀୟ ଭାଷା ବା ପ୍ରଶାସନିକ ଭାଷାର ମାନ୍ୟତା ମିଳେ । କପିଳେନ୍ଦ୍ର ଦେବଙ୍କ ଶାସନ କାଳରେ ଆଦିକବି ସାରଳା ଦାସ 'ଓଡ଼ିଆ ମହାଭାରତ' ରଚନା କରିଥିଲେ । ନିଜସ୍ୱ ସ୍ୱତନ୍ତ୍ର ଛନ୍ଦ ପ୍ରୟୋଗ କରି ସେ ଓଡ଼ିଆ ଭାଷାକୁ ଏକ ନୂତନ ମର୍ଯ୍ୟାଦା ଦେଇଥିଲେ । ଓଡ଼ିଆ ଭାଷାରେ ଆଧ୍ୟାତ୍ମିକ ଚେତନା ସହ ଆରମ୍ଭ ହୋଇଥିଲା ଆମ ଭାଷାର ଭକ୍ତି ଯୁଗ ।

ଭକ୍ତି ଯୁଗ ପରେ ଷୋଡ଼ଶ ଶତାବ୍ଦୀରେ ଆରମ୍ଭ ହୁଏ ପଞ୍ଚସଖା ଯୁଗ । ଏହି କାଳଖଣ୍ଡରେ ପାଞ୍ଚଜଣ ସନ୍ଥକବି ସାହିତ୍ୟ ସର୍ଜନା କରି ଆମ ଭାଷାକୁ ରୁଦ୍ଧିମନ୍ତ କରନ୍ତି । ପଞ୍ଚସଖା କବିମାନେ ଶ୍ରୀଜଗନ୍ନାଥଙ୍କୁ ଅବତାରୀ ଭାବେ ଗ୍ରହଣ କରିଥିଲେ । ଅତିବଡ଼ି ଜଗନ୍ନାଥ ଦାସ ମାନକ ଭାଷା ପ୍ରୟୋଗ କରି 'ଓଡ଼ିଆ ଭାଗବତ' ରଚନା କରିଥିଲେ । ସେହିପରି ବଳରାମ ଦାସ 'ଦାଣ୍ଡି ରାମାୟଣ', 'ଲକ୍ଷ୍ମୀ ପୁରାଣ', 'ବ୍ରହ୍ମାଣ୍ଡ ଭୂଗୋଳ', ଅନନ୍ତ ଦାସ 'ହେତୁଉଦୟ ଭାଗବତ', ଯଶୋବନ୍ତ ଦାସ 'ଟୀକା ଗୋବିନ୍ଦଚନ୍ଦ୍ର', 'ବ୍ରହ୍ମଗୀତା', ଜଗନ୍ନାଥ ଦାସ 'ଦାରୁବ୍ରହ୍ମ ଗୀତା', ଦନାଇ ଦାସ 'ଗୋପୀଭାଷା', ଅଚ୍ୟୁତାନନ୍ଦ ଦାସ 'ଶୂନ୍ୟ ସଂହିତା', 'ହରିବଂଶ', ଅନନ୍ତ ଦାସ 'ଭକ୍ତିମୁକ୍ତି ଦାୟକ ଗୀତା' ମାନ ରଚନା କରି ଓଡ଼ିଆ ଭାଷାକୁ ଭକ୍ତି ଓ ଆଧ୍ୟାତ୍ମିକତାର ସ୍ପନ୍ଦନରେ ସ୍ପନ୍ଦିତ କରିଥିଲେ ।
ପଞ୍ଚସଖା ଯୁଗ ପରେ ସପ୍ତଦଶ ଶତାବ୍ଦୀରେ ଆସେ ରୀତିଯୁଗ । ଏହି ଯୁଗ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାମରେ ମଧ୍ୟ ନାମିତ ହୋଇଛି । ଓଡ଼ିଆ ଭାଷା ପାଇଁ ରୀତିଯୁଗ ଥିଲା ଏକ ସୁବର୍ଣ୍ଣ ଯୁଗ । ଧନଞ୍ଜୟ ଭଞ୍ଜ, ବିଦଗ୍ଧକବି ଅଭିମନ୍ୟୁ ସାମନ୍ତ ସିଂହାର, ଭକ୍ତଚରଣ ଦାସ, ଦୀନକୃଷ୍ଣ ଦାସ, ଯଦୁମଣି ମହାପାତ୍ର, କବିସୂର୍ଯ୍ୟ ବଳଦେବ ରଥ ପ୍ରମୁଖ ଭକ୍ତି ଚେତନା ଓ ଶବ୍ଦର କମନୀୟ ଲାଳିତ୍ୟରେ ଓଡ଼ିଆ ଭାଷାକୁ ରୁଦ୍ଧିମନ୍ତ କରିଥିଲେ । କବିସୂର୍ଯ୍ୟ ବଳଦେବ ରଥ ହେଉଛନ୍ତି ରୀତି ଯୁଗର ଶେଷ ରଶ୍ମିରେଖା ।
ଉନ୍ନବିଂଶ ଓ ବିଂଶ ଶତାବ୍ଦୀରେ ବିଭିନ୍ନ ଯୁଗରେ ଯଥା ସତ୍ୟବାଦୀ ଯୁଗ, ସବୁଜ ଯୁଗ, ପ୍ରଗତିବାଦୀ ଯୁଗ ଓ ଆଧୁନିକ ଯୁଗ ଦେଇ ଓଡ଼ିଆ ଭାଷା ଉତ୍ତର-ଆଧୁନିକ ଯୁଗରେ ଉପନୀତ ହୋଇଛି । ଆଧୁନିକ ଯୁଗରେ ଓଡ଼ିଆ ଭାଷା ଅନ୍ୟତମ ବଡ଼ ପରିବର୍ତ୍ତନ ଆଡ଼କୁ ଗତିକଲା । ଏହି ସମୟରେ ଓଡ଼ିଆ ଭାଷା ସମାଜର ଆଇନା ହୋଇ ଜନମାନସକୁ ଜାଗ୍ରତ କରିବାର ଏକ ମାଧ୍ୟମ ହେଲା । ଓଡ଼ିଆ ସାହିତ୍ୟ ଅନ୍ୟାୟ, ଅନୀତି ଓ କୁସଂସ୍କାର ବିରୋଧରେ ସ୍ୱର ହୋଇ ଜନଜୀବନକୁ ପ୍ରଭାବିତ କଲା ।
ଓଡ଼ିଆ ଭାଷାର ପୁନର୍ଜନ୍ମ
୧୮୬୬ ମସିହାରେ ଓଡ଼ିଶା ଭୂଖଣ୍ଡ ନଅଙ୍କ ଦୁର୍ଭିକ୍ଷର କରାଳ ଚକ୍ରରେ କବଳିତ ହୋଇଥିଲା । ତିନୋଟି ଉପକୂଳବର୍ତ୍ତୀ ଜିଲ୍ଲା, ଯଥା କଟକ, ପୁରୀ, ବାଲେଶ୍ୱରର ପ୍ରାୟ ୧୦ ଲକ୍ଷରୁ ଅଧିକ ଲୋକେ ମୃତ୍ୟୁ ମୁଖରେ ପଡ଼ିଲେ । ସେ ସମୟରେ ଓଡ଼ିଶା ଭୂଖଣ୍ଡ ବଙ୍ଗ ପ୍ରଦେଶ ଅଧୀନରେ ଥିଲା, ଯାହାର ଶାସନର କେନ୍ଦ୍ର ଥିଲା କଲିକତା । ପ୍ରଶାସନର ଉଚ୍ଚ ପଦବୀରେ କେହି ଜଣେ ହେଲେ ଓଡ଼ିଆ ନଥିଲେ । ଓଡ଼ିଆ ଭାଷାରେ ମୁଦ୍ରିତ ସମ୍ବାଦପତ୍ରଟିଏ ବି ନଥିଲା ।
ନଅଙ୍କ ଦୁର୍ଭିକ୍ଷର ଛାତିଥରା ଗ୍ରାଉଣ୍ଡ ରିପୋର୍ଟ ସବୁ ଇଂରେଜ ଓ ବଙ୍ଗାଳୀମାନଙ୍କ ଦ୍ୱାରା ପରିଚାଳିତ ପ୍ରଶାସନର କେଉଁ ଏକ ରୁଦ୍ଧ କୋଠରୀରେ ଦବି ଯାଉଥିଲା । କଲିକତାରୁ ଓଡ଼ିଶା ଭୂଖଣ୍ଡ ପାଇଁ ଆସୁଥିବା ରିଲିଫ ଅହେତୁକ ଭାବରେ ମନ୍ଥର ଥିଲା । ଏହି ମନୁଷ୍ୟକୃତ ବିଭୀଷିକାର ଫଳସ୍ୱରୂପ ଓଡ଼ିଶା ଭୂଖଣ୍ଡର ଦୁଃଖ ଦୁର୍ଦ୍ଦଶାକୁ ପ୍ରଶାସନ ପାଖରେ ଉଜାଗର କରିବାକୁ ଗୌରୀଶଙ୍କର ରାୟ ଅଗଷ୍ଟ ୪, ୧୮୬୬ରେ ପ୍ରତିଷ୍ଠା କରିଥିଲେ 'ଉତ୍କଳ ଦୀପିକା' ସମ୍ବାଦପତ୍ର । ପୈତୃକ ପରିଚୟରେ ବଙ୍ଗୀୟ ହୋଇଥିଲେ ମଧ୍ୟ ସେ ପ୍ରାଣରେ ଥିଲେ ଜଣେ ଅନନ୍ୟ ଓଡ଼ିଆ ।
'ଉତ୍କଳ ଦୀପିକା' ମାଧ୍ୟମରେ ଗୌରୀଶଙ୍କର ନଅଙ୍କ ଦୁର୍ଭିକ୍ଷ ସମ୍ପର୍କିତ ବିସ୍ତୃତ ରିପୋର୍ଟମାନ ପ୍ରକାଶ କରିଥିଲେ ଯେଉଁଥିରେ ସମାହିତ ଥିଲା ଦୁର୍ଭିକ୍ଷର ଭୟାବହତା, ଦୁର୍ଭିକ୍ଷ ପ୍ରପୀଡ଼ିତ ଓଡ଼ିଶା ଭୂଖଣ୍ଡର ଦୁଃଖଦୁର୍ଦଶା ଓ ସରକାରୀ କଳର ଅହେତୁକ ଅପାରଗତା ।
ନଅଙ୍କ ଦୁର୍ଭିକ୍ଷର ପାଉଁଶରୁ ଓଡ଼ିଆ ଜାତି ଯେତେବେଳେ ଅଣ୍ଟାସଳଖି ଛିଡ଼ା ହେଉଥିଲା, ସେତେବେଳେ ଓଡ଼ିଆ ଭାଷା ଉପରେ ଆରମ୍ଭ ହୋଇଥିଲା ଆକ୍ରମଣ । ୧୮୭୦ ଦଶକ ସୁଦ୍ଧା କ୍ଷମତାସମ୍ପନ୍ନ ବଙ୍ଗାଳୀମାନେ ଓଡ଼ିଶାର କୋର୍ଟକଚେରୀ ଓ ପାଠ୍ୟ ପୁସ୍ତକମାନଙ୍କୁ ନିଜ ନିୟନ୍ତ୍ରଣକୁ ନେଇସାରିଥିଲେ । ଓଡ଼ିଆ ପାଠ୍ୟ ଉପକରଣର ଅଭାବ ଦର୍ଶାଇ ଓଡ଼ିଶାର ବିଦ୍ୟାଳୟ ଗୁଡ଼ିକରେ ବଙ୍ଗଳା ଭାଷାର ପାଠ୍ୟ ପୁସ୍ତକକୁ ଜୋର ଜବରଦସ୍ତି ଲଦି ଦିଆଯାଇଥିଲା । ଏହି ସମୟରେ କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟ ନାମକ ଜଣେ ବଙ୍ଗୀୟ ସ୍କୁଲ ଇନ୍ସପେକ୍ଟର ଏକ ପୁସ୍ତିକା ପ୍ରକାଶ କରି ଘୋଷଣା କରିଥିଲେ ଯେ, "ଓଡ଼ିଆ ଏକଟା ସ୍ୱତନ୍ତ୍ର ଭାଷା ନଏ" (ଅର୍ଥାତ୍ ଓଡ଼ିଆ ଏକ ସ୍ୱତନ୍ତ୍ର ଭାଷା ନୁହେଁ) ।
ବଙ୍ଗୀୟ ଅଧିକାରୀମାନେ, ଯେଉଁମାନେ ଓଡ଼ିଶା ଭୂଖଣ୍ଡରେ ନିଜର ଏକଛତ୍ରବାଦ ବଜାୟ ରଖିବାକୁ ଚାହୁଁଥିଲେ, ଏଭଳି ଅଯୁକ୍ତିକୁ ସମର୍ଥନ କରିଥିଲେ । ଇଂରେଜ ସରକାର ମଧ୍ୟ ପ୍ରଶାସନିକ ଅସୁବିଧା ଦର୍ଶାଇ ଏହାକୁ ଗ୍ରହଣ କରିଥିଲେ । ଏହି ସମୟରେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଆଗେଇ ଆସିଥିଲେ ଫକୀରମୋହନ ସେନାପତି, ଗୌରୀଶଙ୍କର ରାୟଙ୍କ ଭଳି ମହାମନୀଷୀମାନେ । ଫକୀରମୋହନ ସେନାପତି ଓଡ଼ିଆ ଭାଷାର ସ୍ୱତନ୍ତ୍ରତା ଓ ସାହିତ୍ୟିକ ବୈଶିଷ୍ଟ୍ୟକୁ ଦୃଢ଼ ଭାବରେ ଉପସ୍ଥାପନ କରିଥିଲେ ।

ଗୌରୀଶଙ୍କର ତାଙ୍କ 'ଉତ୍କଳ ଦୀପିକା'ରେ ଓଡ଼ିଆ ଭାଷା ଉପରେ ହେଉଥିବା ଅତ୍ୟାଚାର ଉପରେ ଲଗାତାର ଖବର ପରିବେଷଣ କରି ଭାଷାପ୍ରେମର ବହ୍ନିକୁ ଜାଗ୍ରତ କରି ରଖିଥିଲେ । ଏହି ସମୟରେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସହଯୋଗର ହାତ ଏକ ଅପ୍ରତ୍ୟାଶିତ କୋଣରୁ ବଢ଼ିଆସିଥିଲା । ତତ୍କାଳୀନ ବାଲେଶ୍ୱର ଜିଲ୍ଲାପାଳ ତଥା ବିଶିଷ୍ଟ ଭାଷାବିତ୍ ଜନ୍ ବିମ୍ସ ଏକ ତୁଳନାତ୍ମକ ବ୍ୟାକରଣ ପ୍ରସ୍ତୁତ କରି ଓଡ଼ିଆ ଭାଷାକୁ ଏକ ସ୍ୱତନ୍ତ୍ର ଆର୍ଯ୍ୟ ଭାଷା ବୋଲି ଅଭିବ୍ୟକ୍ତ କରିଥିଲେ ଯାହା "ଓଡ଼ିଆ ଭାଷା ବଙ୍ଗଳା ଭାଷାର ଏକ ଉପଭାଷା" ଭଳି ମିଥ୍ୟା ଅଭିଯୋଗକୁ ଖଣ୍ଡନ କରିବାରେ ବିଶେଷ ଆଧାର ହୋଇଥିଲା । ପରବର୍ତ୍ତୀ ସମୟରେ ମଧୁସୂଦନ ରାଓ, ୧୮୯୫ ମସିହାରେ, 'ଛବିଳ ମଧୁ ବର୍ଣ୍ଣବୋଧ' ରଚନା କରି ଓଡ଼ିଆ ବର୍ଣ୍ଣବିଭବକୁ ସାଧାରଣ ଜନମାନସରେ ପରିଚିତ କରାଇପାରିଥିଲେ ।
ସମ୍ବଲପୁରରୁ ଭାଷା ଆନ୍ଦୋଳନ
୧୮୯୫ ମସିହାରେ ଇଂରେଜମାନେ ସମ୍ବଲପୁରକୁ ଶାସନ କରିବା ପାଇଁ ଓଡ଼ିଆ ଭାଷା ଏକ "inconvenient language", ଅର୍ଥାତ୍ ଅସହଜ ଭାଷା ବୋଲି ଘୋଷଣା କରିଥିଲେ । ଚିଫ୍ କମିଶନର ଜନ୍ ଉଡବର୍ଣ୍ଣଙ୍କ ନିର୍ଦ୍ଦେଶକ୍ରମେ ସମ୍ବଲପୁରର ବିଦ୍ୟାଳୟ, ନ୍ୟାୟାଳୟ ଓ ସରକାରୀ କାର୍ଯ୍ୟାଳୟମାନଙ୍କରେ ଓଡ଼ିଆ ଭାଷା ବଦଳରେ ହିନ୍ଦୀ ଭାଷାର ପ୍ରଚଳନ କରାଗଲା । କେନ୍ଦ୍ରୀୟ ପ୍ରଦେଶ (Central Province) ର ଅନ୍ୟ ଅଞ୍ଚଳ ସହିତ ପ୍ରଶାସନିକ ସାମଞ୍ଜସ୍ୟ ରକ୍ଷା କରିବା ପାଇଁ ସରକାରୀ ସ୍ତରରେ ଓଡ଼ିଆ ଭାଷା ବଦଳରେ ହିନ୍ଦୀ ଭାଷାର ପ୍ରଚଳନ କରାଗଲା ବୋଲି ଇଂରେଜମାନେ ଯୁକ୍ତି ବାଢ଼ିଥିଲେ ।
ଏହାର ପରିଣାମ ସ୍ୱରୂପ କୋର୍ଟ-କଚେରୀରେ ହିନ୍ଦୀ ଭାଷାରେ ରାୟ ପ୍ରକାଶ ପାଇଲା, ଯାହା ଥିଲା ସମ୍ବଲପୁରର ସାଧାରଣ ଓଡ଼ିଆ ଆବେଦନକାରୀଙ୍କ ପାଇଁ ଦୁର୍ବୋଧ । ବର୍ଷ ବର୍ଷ ଧରି ଓଡ଼ିଆରେ ଲେଖା ହୋଇଥିବା ରାଜସ୍ୱ ଅଭିଲେଖ (Revenue Records) ସବୁକୁ ପୁଣି ଥରେ ହିନ୍ଦୀରେ ପ୍ରସ୍ତୁତ କରାଗଲା । ଶିକ୍ଷକ ଓ କିରାଣୀମାନଙ୍କ ଭଳି ସରକାରୀ କର୍ମଚାରୀମାନଙ୍କୁ ସେମାନଙ୍କର ଚାକିରି ବଞ୍ଚାଇବା ପାଇଁ ହିନ୍ଦୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ବାଧ୍ୟ କରାଗଲା । ଏପରିକି ସମ୍ବଲପୁରର ସାଧାରଣ ଜନତା ଦୈନନ୍ଦିନ ଆଇନଗତ କାର୍ଯ୍ୟ ପାଇଁ ମଧ୍ୟସ୍ଥିମାନଙ୍କ ଉପରେ ନିର୍ଭର କରି ଅସହାୟ ହୋଇ ପଡ଼ିଲେ । ଏହା ବିରୁଦ୍ଧରେ ସମ୍ବଲପୁରର ସ୍ୱାଭିମାନୀ ମାଟିରେ ଆରମ୍ଭ ହୋଇଥିଲା ପ୍ରତିବାଦ ।
ଜୁନ୍ ୧୩, ୧୮୯୫ରେ ଧରଣୀଧର ମିଶ୍ରଙ୍କ ସଭାପତିତ୍ୱରେ ସମ୍ବଲପୁରର ଓଡ଼ିଆମାନେ ଇଂରେଜମାନଙ୍କର ଓଡ଼ିଆ ବିରୋଧୀ ନୀତିକୁ ପ୍ରତିହତ କରିବା ପାଇଁ ପଣ କରିଥିଲେ । ୩୦୦୦ ସ୍ୱାକ୍ଷର ସମ୍ବଳିତ ଏକ ସ୍ମାରକପତ୍ର ଭାଇସରୟ ଲର୍ଡ ଏଲଗିନଙ୍କୁ ପଠାଯାଇଥିଲା ।
ଏହି ସମୟରେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଲେଖନୀରୁ ନିସୃତ ହୋଇଥିଲା:
"ଉଚ୍ଚ ହେବା ପାଇଁ କର ଯେବେ ଆଶା,
ଉଚ୍ଚ କର ଆଗେ ନିଜ ମାତୃଭାଷା।"
୧୯୦୧ ମସିହାରେ ସମ୍ବଲପୁରର ଓଡ଼ିଆ ନେତାମାନଙ୍କର ଏକ ପ୍ରତିନିଧି ଦଳ ଚିଫ୍ କମିଶନର ଆଣ୍ଡ୍ରିୟୁ ଫ୍ରେଜରଙ୍କୁ ଭେଟିଥିଲା । ପରବର୍ତ୍ତୀ ସମୟରେ ସମ୍ବଲପୁରର ଓଡ଼ିଆ ନେତାମାନେ ଭାଇସରୟ ଲର୍ଡ କର୍ଜନଙ୍କୁ ସୁଦୂର ଶିମଲାଠାରେ ସାକ୍ଷାତ କରି ଓଡ଼ିଆ ଜାତି ବିରୁଦ୍ଧରେ ହୋଇଥିବା ଅନ୍ୟାୟ ସମ୍ପର୍କରେ ଉପସ୍ଥାପନ କରିଥିଲେ । ପରିଶେଷରେ ୧୯୦୨ ମସିହାରେ ସମ୍ବଲପୁରର ନ୍ୟାୟାଳୟ, ବିଦ୍ୟାଳୟ ଓ ସରକାରୀ କାର୍ଯ୍ୟାଳୟମାନଙ୍କରେ ଓଡ଼ିଆ ଭାଷାର ପୁନଃ ପ୍ରଚଳନ ହେଲା । ୧୯୦୫ରେ ପ୍ରାଦେଶିକ ପୁନର୍ଗଠନ ଆଧାରରେ ସମ୍ବଲପୁରକୁ ଅଧିକୃତ ଭାବରେ ଓଡ଼ିଶା ଭୂଖଣ୍ଡରେ ସାମିଲ କରାଗଲା ।
ରାଜନୈତିକ ଓ ଆଇନଗତ ପରିଦୃଶ୍ୟ
ଓଡ଼ିଆ ଭାଷାର ସୁରକ୍ଷା ସହ ଏହାକୁ ଏକ ରାଜନୈତିକ ଓ ଆଇନଗତ ପରିଦୃଶ୍ୟ ଦେଇଥିଲେ ମଧୁସୂଦନ ଦାସ । ମଧୁବାବୁ ତାଙ୍କ 'ଜାତି ଇତିହାସ' କବିତାରେ ଲେଖିଯାଇଛନ୍ତି:
"ଜାତି ଇତିହାସ ଜାତିର ନିର୍ଝର
ତହୁଁ ବହେ ସଦା ଜାତି ପ୍ରାଣଧାର,
ସେ ଧାରାରୁ ନୀର ପିଉଛି ଯେ ନର
ନିଶ୍ଚୟ ହେବ ସେ ଜାତି କର୍ମବୀର ।"
ମଧୁବାବୁ ଅନୁଭବ କରିଥିଲେ ଯେ, ଯେପର୍ଯ୍ୟନ୍ତ ଓଡ଼ିଆ ଜାତି ଏକ ସ୍ୱତନ୍ତ୍ର ପ୍ରଦେଶ ହୋଇନଥିବ, ସେପର୍ଯ୍ୟନ୍ତ ଓଡ଼ିଆମାନେ ଅନ୍ୟ ଦୁଆରେ କେବଳ ମାତ୍ର ଆବେଦନକାରୀ ଭାବେ ପରିଗଣିତ ହେଉଥିବେ । ସେ ଉପଲବ୍ଧି କରିଥିଲେ ଯେ ଯେପର୍ଯ୍ୟନ୍ତ ଓଡ଼ିଆ ଜାତିକୁ ଆଇନର ସୁରକ୍ଷା କବଚ ମିଳିନଥିବ ସେ ପର୍ଯ୍ୟନ୍ତ ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନ ଭୁଲୁଣ୍ଠିତ ହେଉଥିବ ।
ମଧୁବାବୁ ବ୍ରିଟିଶମାନଙ୍କ ସହ ସେହି ଭାଷାରେ କଥା ହେବା ପାଇଁ ପସନ୍ଦ କରୁଥିଲେ ଯାହା ସେମାନେ ଠିକ୍ ଭାବେ ବୁଝୁଥିଲେ, ତାହା ଥିଲା ଆଇନଗତ ଆବେଦନ (Legal Petition) ।

୧୯୦୩ ମସିହାରେ ଗଞ୍ଜାମଠାରେ ପ୍ରତିଷ୍ଠା ହୋଇଥିଲା ଗଞ୍ଜାମ ଜାତୀୟ ସମ୍ମିଳନୀ । ଖଲ୍ଲିକୋଟ ମହାରାଜା ହରିହର ମର୍ଦ୍ଦରାଜଙ୍କ ନେତୃତ୍ୱରେ ବ୍ରହ୍ମପୁରଠାରେ ଆୟୋଜିତ ହୋଇଥିବା ଗଞ୍ଜାମ ଜାତୀୟ ସମ୍ମିଳନୀର ପ୍ରଥମ ଅଧିବେଶନରେ ଯୋଗ ଦେଇଥିଲେ ମଧୁସୂଦନ ଦାସ, ଫକୀରମୋହନ ସେନାପତି, ଗୌରୀଶଙ୍କର ରାୟ, ସ୍ୱଭାବକବି ନନ୍ଦକିଶୋର ବଳ, ପଣ୍ଡିତ ଗୋପୀନାଥ ନନ୍ଦ, ନୀଳମଣି ବିଦ୍ୟାରତ୍ନ ଓ ସେ ସମୟରେ କଲେଜ ଛାତ୍ର ଥିବା ଗୋପବନ୍ଧୁ ଦାସ । ଏହି ଅଧିବେଶନରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ମଧୁବାବୁଙ୍କର ପରାମର୍ଶ କ୍ରମେ ଏହି ସମ୍ମିଳନୀର ନାମକୁ ପରିବର୍ତ୍ତନ କରି 'ଉତ୍କଳ ସମ୍ମିଳନୀ' ରଖାଗଲା ।
ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଅଧ୍ୟକ୍ଷତାରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ କଟକଠାରେ ଅନୁଷ୍ଠିତ ହୋଇଥିଲା । ଅଧିବେଶନର ନିଷ୍ପତ୍ତି ଅନୁଯାୟୀ ମୁମ୍ବାଇଠାରେ ଜାତୀୟ କଂଗ୍ରେସ ଅଧିବେଶନରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଦେବ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ । ଉତ୍କଳମଣି ଗୋପବନ୍ଧୁ ଦାସ 'ସତ୍ୟବାଦୀ' ପତ୍ରିକା ଓ 'ସମାଜ' ଖବରକାଗଜ ପ୍ରତିଷ୍ଠା କରି ଓଡ଼ିଆ ଜାତିର ଐତିହ୍ୟ, ଓଡ଼ିଆ ଭାଷାର ସ୍ୱତନ୍ତ୍ରତା ଉପରେ ଲଗାତାର ଆଲୋକପାତ କରିଥିଲେ । ଗୋପବନ୍ଧୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଆବଶ୍ୟକତା ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିଥିଲେ ଯାହା ଇଂରେଜ ସରକାରଙ୍କ ଉପରେ ଏକ ଚାପ ସୃଷ୍ଟି କରିବାରେ ସହାୟକ ହୋଇଥିଲା । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର କାଳଜୟୀ 'ବନ୍ଦେ ଉତ୍କଳ ଜନନୀ' ସଙ୍ଗୀତ ରଚନା କରି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଆନ୍ଦୋଳନକୁ ଗତିଶୀଳ କରାଇଥିଲେ ।
୧୯୩୬ ମସିହା ମାର୍ଚ୍ଚ ୩ ତାରିଖରେ ବ୍ରିଟିଶ ସଂସଦରେ ଆଗତ ହୋଇଥିଲା 'Government of India: Constitution of Orissa 1936' ବିଲ୍, ଯାହା ଓଡ଼ିଶାକୁ ଭାଷା ଭିତ୍ତିରେ ପ୍ରଥମ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଢ଼ି ତୋଳିଥିଲା ।
୧୯୪୬ ମସିହାରେ ଭାରତବର୍ଷ ସ୍ୱାଧୀନ ହେବାର କିଛି ମାସ ପୂର୍ବରୁ ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବ ଓଡ଼ିଆ ଭାଷାଭାଷୀ ରାଜସୀ ରାଜ୍ୟ (Princely State) ମାନଙ୍କୁ ଓଡ଼ିଶାରେ ମିଶାଇ ଏକ ପୂର୍ଣ୍ଣାଙ୍ଗ ଓଡ଼ିଶା ପ୍ରଦେଶ ଗଠନର ସ୍ୱପ୍ନକୁ ସାକାର କରିଥିଲେ ।
ମାର୍ଚ୍ଚ ୧୧, ୨୦୧୪ରେ ଭାରତ ସରକାର ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷା ଭାବେ ଘୋଷଣା କରିଥିଲେ । ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇବାରେ ଓଡ଼ିଆ ଭାଷା ହେଉଛି ଷଷ୍ଠ ଭାରତୀୟ ଭାଷା ଓ ଦ୍ୱିତୀୟ ଆର୍ଯ୍ୟ ଭାଷା ।

ଭାଷାର ସଂରକ୍ଷଣ
ଭାଷା ହେଉଛି ସ୍ରୋତସ୍ୱିନୀ । ସମୟର ସୁଅରେ ଭାଷା ନଈଟିଏ ହୋଇ ବୋହୁଥାଏ । ଭିନ୍ନ ଭିନ୍ନ କାଳଖଣ୍ଡରେ ନୂଆ ନୂଆ ଶବ୍ଦମାନ ଆସି ଏହି ଭାଷାରୂପକ ନଦୀରେ ଯୋଡ଼ି ହୋଇଯାଆନ୍ତି । ଏହି ଶବ୍ଦମାନଙ୍କୁ ନେଇ ଭାଷା ସମୃଦ୍ଧ ହୁଏ । ବହୁ ଐତିହ୍ୟ ଓ ଐଶ୍ୱର୍ଯ୍ୟକୁ ନେଇ ପ୍ରବହମାନ ଆମ ଓଡ଼ିଆ ଭାଷା । ବହୁ କଠିନ ସମୟକୁ ଅତିକ୍ରମ କରି ଓଡ଼ିଆ ଭାଷା ଏକ ପରିପୂର୍ଣ୍ଣ, ସମୃଦ୍ଧ ଓ ବିକଶିତ ଭାଷାରେ ପରିଣତ ହୋଇଛି ।
ଏକ ଭାଷା ତାର ବ୍ୟବହାରରେ ଆଗକୁ ଆଗକୁ ଅଗ୍ରସର ହୁଏ । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଆ ଭାଷାର ବଳିଷ୍ଠ ଗ୍ରହଣଶୀଳତା ରହିଛି । କିନ୍ତୁ ଆମ ଭାଷାକୁ ଆହୁରି ଆଗକୁ ନେବା ପାଇଁ, ତାକୁ ଅଧିକ ଗତିଶୀଳ କରିବା ପାଇଁ ଆଜିର ଏହି ଡିଜିଟାଲ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯୁଗରେ ଆମ ଓଡ଼ିଆମାନଙ୍କର ରହିଛି କିଛି ବିଶେଷ ଦାୟିତ୍ୱବୋଧ । ଇଣ୍ଟରନେଟରେ ଅନ୍ୟ ପ୍ରମୁଖ ଆଞ୍ଚଳିକ ଭାଷା ତୁଳନାରେ ଓଡ଼ିଆ ଭାଷାରେ କଣ୍ଟେଣ୍ଟ ଅନେକାଂଶରେ କମ୍ ଥିବାର ପରିଲକ୍ଷିତ ହୁଏ । ଇଣ୍ଟରନେଟରେ ଓଡ଼ିଆ କଣ୍ଟେଣ୍ଟକୁ ଅଧିକ ବ୍ୟାପକ କରିବା ପାଇଁ ଓଡ଼ିଆମାନେ ଧ୍ୟାନନିଷ୍ଠ ହେବାର ଆବଶ୍ୟକତା ରହିଛି ।
ଓଡ଼ିଆ ଭାଷା ଏକ ପ୍ରାଚୀନ ଭାଷା । ଏଭଳି ଏକ ପ୍ରାଚୀନ ଭାଷାର ସଂରକ୍ଷଣର ବିଶେଷ ଆବଶ୍ୟକତା ରହିଛି । ଆଧୁନିକ ଜ୍ଞାନକୌଶଳର ସଫଳ ବିନିଯୋଗ କରି ଓଡ଼ିଆ ଭାଷାକୁ ଆଗକୁ ବଢ଼ାଇବା ଆମ ଉତ୍ତରପିଢ଼ିମାନଙ୍କର ଗୁରୁଦାୟିତ୍ୱ ।
ଓଡ଼ିଆ ଭାଷାର ମୌଳିକତା
ଓଡ଼ିଆ ଭାଷାର ମୌଳିକତା କେବଳ ତା'ର ଇତିହାସ କିମ୍ବା ସାହିତ୍ୟରେ ଲୁଚି ରହିନାହିଁ । ଏହା ଲୁଚି ରହିଛି ତା'ର ଧ୍ୱନିତତ୍ତ୍ୱ, ବ୍ୟାକରଣ ଓ ଶବ୍ଦଭଣ୍ଡାରରେ ଯାହା ଆମ ଭାଷାକୁ ଏକ ସ୍ୱତନ୍ତ୍ର, ସମୃଦ୍ଧ ଓ ବଳିଷ୍ଠ ଭାଷାରେ ପରିଣତ କରିଛି । ଧ୍ୱନିର ମାଧୁର୍ଯ୍ୟ, ବ୍ୟାକରଣର ସଠିକତା ଓ ଶବ୍ଦ ଭଣ୍ଡାରର ସମୃଦ୍ଧି ଓଡ଼ିଆ ଭାଷା ବିଜ୍ଞାନର ମୂଳ ଶକ୍ତି । ତିନୋଟି ମୂଳ ଅଂଶ ମିଶି ଓଡ଼ିଆ ଭାଷା ବିଜ୍ଞାନ ଗଢ଼ି ଉଠିଛି । ପ୍ରଥମତଃ ଏହାର ଧ୍ୱନିତତ୍ତ୍ୱ । ଓଡ଼ିଆ ଭାଷାର ସ୍ୱର ସଙ୍ଗୀତମୟ । ଆମ ଭାଷାର ଉଚ୍ଚାରଣ ମୃଦୁ, ଲାଳିତ୍ୟମୟ ଓ ସ୍ପଷ୍ଟ । ଓଡ଼ିଆ ଭାଷାର ଧ୍ୱନି ନମନୀୟ ଓ ସ୍ରୋତସ୍ୱିନୀ ।
ଓଡ଼ିଆ ଭାଷାର ସ୍ୱର ଓ ବ୍ୟଞ୍ଜନରେ ରହିଛି ଏକ ବିଶେଷ ସମତୁଳତା । ଆମ ଭାଷାରେ ସ୍ୱରଧ୍ୱନିର ପ୍ରଚୁର ବ୍ୟବହାର, ବ୍ୟଞ୍ଜନ ଧ୍ୱନିର ସମତୁଲ ବ୍ୟବହାର ଏବଂ ସ୍ୱରଧ୍ୱନି ଓ ବ୍ୟଞ୍ଜନଧ୍ୱନି ମଧ୍ୟରେ ଥିବା ସମତୁଳତା ଓଡ଼ିଆ ଭାଷାକୁ ସୁମଧୁର କରେ । ଓଡ଼ିଆ ଭାଷାରେ ବକ୍ର ଧ୍ୱନିର ବ୍ୟବହାର ଆମ ଭାଷାକୁ ଏକ ବିଶେଷ ଧ୍ୱନି ମର୍ଯ୍ୟାଦା ଦେଇଛି ।
ଓଡ଼ିଆ ଭାଷାର ବ୍ୟାକରଣ ସୁନିୟମିତ ଓ ସ୍ୱତନ୍ତ୍ର । ଓଡ଼ିଆ ଭାଷାରେ ସାଧାରଣତଃ କର୍ତ୍ତା, କର୍ମ ଓ କ୍ରିୟା ରୂପରେ ବାକ୍ୟ ଗଠିତ ହୁଏ ଯାହା ଓଡ଼ିଆ ଭାଷାକୁ ସ୍ପଷ୍ଟ ରୂପାୟିତ କରେ । ଓଡ଼ିଆ ଭାଷାରେ ପ୍ରତ୍ୟୟର ବ୍ୟବହାର ଖୁବ୍ ଗୁରୁତ୍ତ୍ୱପୂର୍ଣ୍ଣ । ଆମ ଭାଷାରେ କ୍ରିୟା ବିଭିନ୍ନ ରୂପରେ ବିନିଯୋଗ ହୁଏ । ଓଡ଼ିଆ ଭାଷାରେ ପୁରୁଷ ଓ ବଚନର ପ୍ରୟୋଗ ଆମ ଭାଷାକୁ ଆହୁରି ସ୍ପଷ୍ଟ କରାଏ । ଓଡ଼ିଆ ଭାଷାର ସବୁଠୁ ବଡ଼ ଶକ୍ତି ହେଉଛି ଏହାର ବିବିଧ ଶବ୍ଦ ଭଣ୍ଡାର । ଆମ ଭାଷାରେ ଚାରୋଟି ବର୍ଗର ଶବ୍ଦର ମିଶ୍ରଣ ହୋଇଛି, ଯଥା ତତ୍ସମ ଶବ୍ଦ, ତଦ୍ଭବ ଶବ୍ଦ, ଦେଶଜ ଶବ୍ଦ ଓ ବୈଦେଶିକ ଶବ୍ଦ । ତତ୍ସମ ଶବ୍ଦର ଅର୍ଥ ହେଉଛି ତା'ରି ସମାନ ଶବ୍ଦ, ଯାହା ସଂସ୍କୃତ ଭାଷାରୁ ଅପରିବର୍ତ୍ତିତ ଭାବେ ଆସିଛି । ଏହା ଆମ ଭାଷାକୁ ଗମ୍ଭୀର କରିବା ସହ ଏହାକୁ ଏକ ଶାସ୍ତ୍ରୀୟ ରୂପ ଦେଇଛି । ତଦ୍ଭବ ଶବ୍ଦର ଅର୍ଥ ହେଉଛି ସେଇଥିରୁ ଉଦ୍ଭବ ଶବ୍ଦ, ଅର୍ଥାତ୍ ସଂସ୍କୃତରୁ ସମୟକ୍ରମେ ପରିବର୍ତ୍ତିତ ହୋଇଥିବା ଶବ୍ଦ ଯାହା ଆମ ଭାଷାକୁ ସରଳ ଓ ଲୋକପ୍ରିୟ କରି ଗଢ଼ିତୋଳିଛି ।
ଦେଶଜ ଶବ୍ଦ ହେଉଛି ସ୍ଥାନୀୟ ଲୋକଜୀବନରୁ ଉଦ୍ଭାବିତ ଶବ୍ଦ । ଆମ ଗାଁ, ପରମ୍ପରା ଓ ପ୍ରକୃତି ସହିତ ଏହି ଶବ୍ଦମାନ ସମ୍ପୃକ୍ତ, ଯାହା ଆମ ଭାଷାକୁ ଜୀବନ୍ତ ଓ ସ୍ୱାଭାବିକ କରେ । ବୈଦେଶିକ ଶବ୍ଦଗୁଡ଼ିକ ମଧ୍ୟରେ ପାର୍ସି, ଉର୍ଦ୍ଦୁ, ଇଂରାଜୀ ଓ ଡଚ୍ ଇତ୍ୟାଦି ଭାଷାର ଶବ୍ଦ ମିଶ୍ରଣ ଓଡ଼ିଆ ଭାଷାରେ ହୋଇଛି । ଏହି ଶବ୍ଦ ମିଶ୍ରଣ ଓ ସେସବୁର ସମନ୍ୱୟ ଓଡ଼ିଆ ଭାଷାକୁ ଏକ ସମ୍ପୂର୍ଣ୍ଣ ରୂପ ଦେବା ସହ ଏହାକୁ ଏକ ବହୁମାତ୍ରିକ ଭାଷା ଭାବେ ଗଢ଼ି ତୋଳିଛି ।