ନାସ୍ତି ବିଦ୍ୟାସମୋ ବନ୍ଧୁର୍ନାସ୍ତି ବିଦ୍ୟାସମଃ ସୁହୃତ୍। ନାସ୍ତି ବିଦ୍ୟାସମଂ ବିତ୍ତଂ ନାସ୍ତି ବିଦ୍ୟାସମଂ ସୁଖମ୍ । ଅର୍ଥାତ ବିଦ୍ୟା ସମାନ ବନ୍ଧୁ କେହି ନାହିଁ, ବିଦ୍ୟା ସମାନ ସହଯୋଗୀ କେହି ନାହିଁ । ବିଦ୍ୟା ସମାନ ଧନ କିଛି ନାହିଁ, ବିଦ୍ୟା ସମାନ ସୁଖ କିଛି ନାହିଁ । ଭାରତୀୟ ଶିକ୍ଷା ଓ ଜ୍ଞାନ ପରମ୍ପରା ପ୍ରାଚୀନ କାଳରୁ ଏହାର ଉତ୍କର୍ଷତା ପ୍ରତିପାଦିତ କରିଆସିଛି। ଏହି ପରମ୍ପରାର ଗୌରବମୟ ଇତିହାସକୁ ସମୃଦ୍ଧ କରିବାରେ ପ୍ରାଚୀନ ଉତ୍କଳ ବା ବର୍ତ୍ତମାନର ଓଡ଼ିଶା ମାଟିର ରହିଛି ଅତୁଳନୀୟ ଅବଦାନ । ଏଠାରେ ଶିକ୍ଷା କେବଳ ଅକ୍ଷର ଶିକ୍ଷାରେ ସୀମିତ ନୁହେଁ ବରଂ ଜୀବନକୁ ବୁଝିବାର କଳା, ଧର୍ମ, ଦର୍ଶନ ଏବଂ ଶାସ୍ତ୍ର ଆଦିର ଗୂଢ଼ ରହସ୍ୟ ସହ ଜଡ଼ିତ ସାଧନା ସାଜିଆସିଛି ଶିକ୍ଷା । ଉତ୍କଳ ଭୂଖଣ୍ଡରେ ପ୍ରାଚୀନ କାଳରେ ଏକ ଏଭଳି ପରମ୍ପରା ରହିଥିଲା ଯେଉଁଥିରେ ଅଂଶୀଦାର ହେବାପାଇଁ ସମଗ୍ର ବିଶ୍ୱରୁ ଆସୁଥିଲେ ବିଦ୍ୟାର୍ଥୀ । ସାଧନା, ଉପଲବ୍ଧି ଏବଂ ଜ୍ଞାନ ପ୍ରଦାନର ଏହି ନିରନ୍ତର ପ୍ରକ୍ରିୟା ଆଜି ଏଆଇ ଯୁଗରେ ଅବତ୍ତୀର୍ଣ୍ଣ ହୋଇଛି ସତ, ପ୍ରାଚୀନ ଶିକ୍ଷା ପଦ୍ଧତିର ସ୍ୱର ଆଜି ମଧ୍ୟ ଓଡ଼ିଶାର ଶିକ୍ଷା ପଦ୍ଧତିରେ ଗୁଞ୍ଜରିତ ହେଉଛି ।
ପୁଷ୍ପଗିରି ଏବଂ ପ୍ରାଚୀନ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା: ଇତିହାସର ପୃଷ୍ଠା ଲେଉଟାଇଲେ ଜଣାଯାଏ ଓଡ଼ିଶା କେବଳ ସାଂସ୍କୃତିକ ଏବଂ ଧାର୍ମିକ ଦୃଷ୍ଟିକୋଣରୁ ନୁହେଁ, ବରଂ ଶିକ୍ଷା ଦୃଷ୍ଟିକୋଣରୁ ମଧ୍ୟ ସମୃଦ୍ଧ ଥିଲା । ଦିଗନ୍ତ ବିସ୍ତାରି ସମୁଦ୍ର, ସୌନ୍ଦର୍ଯ୍ୟମୟୀ ସବୁଜିମା ଏବଂ ଅମାପ ଖଣିଜ ସମ୍ପଦ ସହ ସୁଦୃଢ଼ ଶିକ୍ଷା ବ୍ୟବସ୍ଥା ଓଡ଼ିଶାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଶ୍ରେଷ୍ଠ ଆଶୀର୍ବାଦ କହିଲେ ଅତ୍ୟୁକ୍ତି ହେବନାହିଁ। ବର୍ତ୍ତମାନର ଯାଜପୁର ଜିଲ୍ଲାର ଲାଙ୍ଗୁଡ଼ି ପାହାଡ଼ସ୍ଥିତ ପୁଷ୍ପଗିରି ମହାବିହାର ଏହାର ସବୁଠାରୁ ବଡ଼ ପ୍ରମାଣ । ସମୟର ଗତି ସହ ଧ୍ୱଂସ ହୋଇଯାଇଥିବା ଏହି ମହାନ ଅନୁଷ୍ଠାନ ଜନମାନସରୁ ଏକପ୍ରକାର ବିସ୍ମୃତ ହେଇଯାଇଥିଲା । ଏହାପରେ ବିଭିନ୍ନ ସମୟରେ ପ୍ରତ୍ନତାତ୍ତ୍ୱିକ ଖନନରୁ ମିଳିଥିବା ଶିଳାଲେଖରୁ ଏହାର ପ୍ରକୃତ ଅବସ୍ଥିତି ଜଣାପଡ଼ିଥିଲା । ଏହା ବିଶ୍ୱର ପ୍ରାଚୀନତମ ବିଶ୍ୱବିଦ୍ୟାଳୟ ମଧ୍ୟରେ ଅନ୍ୟତମ ବୋଲି ଜଣାପଡ଼ିଥିଲା । ଖ୍ରୀଷ୍ଟପୂର୍ବ ୬୩୪ରୁ ୬୪୫ ମଧ୍ୟରେ ଭାରତ ଆସିଥିବା ପରିବ୍ରାଜକ ହୁଏନ୍ ସାଂ ମଧ୍ୟ ଏହି ବୌଦ୍ଧ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଥିବାର ପ୍ରମାଣ ରହିଛି। ଓଡ଼ ବା ଉଡ୍ର ନାମ ସେ ଉଲ୍ଲେଖ କରିଥିଲେ ଯାହାକି ଆଧୁନିକ ଓଡ଼ିଶା ଭାବେ ନାମିତ । ଏହା ଏଭଳି ପ୍ରାରମ୍ଭିକ ସ୍ତରର ବୌଦ୍ଧପୀଠ ଯାହାକି ହୀନଯାନ, ମହାଯାନ ଏବଂ ବଜ୍ରଯାନ ୩ଟି ସମୟକୁ ଦେଖିଛି । ଖନନରୁ ମିଳିଥିବା ଧ୍ୱଂସାବଶେଷ ଆଜି ମଧ୍ୟ ଏହି ମହାନ ବୌଦ୍ଧପୀଠର ମହିମାଗାନ କରୁଛି। ଏହି ପ୍ରାଚୀନ ବିଶ୍ୱବିଦ୍ୟାଳୟ ନାଳନ୍ଦା ଏବଂ ତକ୍ଷଶିଳା ଭଳି ବିଶ୍ୱସ୍ତରରେ ଖ୍ୟାତି ଅର୍ଜନ କରିଥିଲା । ଏହା ଅନ୍ୟ ବୌଦ୍ଧ ବିହାର ଭଳି ଧ୍ୟାନ ଏବଂ ସାଧନାର କେନ୍ଦ୍ର ଭାବେ ସୀମିତ ନଥିଲା, ବରଂ ଏଠାରେ ଦର୍ଶନ, ଜ୍ୟେତିଷ ଶାସ୍ତ୍ର, ଚିକିତ୍ସା ବିଜ୍ଞାନ ଏବଂ ଗଣିତ ଭଳି ବିଷୟରେ ଶିକ୍ଷା ପ୍ରଦାନ କରାଯାଉଥିଲା । ଏପରିକି ପର୍ସିଆ ଏବଂ ଚାଇନା ଭଳି ଦୂର ଦୂରାନ୍ତ ଦେଶର ବିଦ୍ୟାର୍ଥୀ ଏହି ବିଶ୍ୱବିଦ୍ୟାଳୟକୁ ଅଧ୍ୟୟନ ପାଇଁ ଆସୁଥିଲେ । ବିଶ୍ୱର ପ୍ରାଚୀନତମ ଏବଂ ସମୃଦ୍ଧ ବିଶ୍ୱବିଦ୍ୟାଳଗୁଡ଼ିକ ମଧ୍ୟରେ ଗଣାହେଉଥିବା ଏହି ବିଶ୍ୱବିଦ୍ୟାଳୟ ସମୟର କରାଳ ଗତିରେ କେବଳ ଏକ ସ୍ତୁପରେ ସୀମିତ ରହିଛି।
ଗୁରୁକୂଳ ଏବଂ ଚାଟଶାଳୀ: ବିଭିନ୍ନ ସମୟରେ ଶାସକ ବଦଳିବା ସହ ଓଡ଼ିଶାର ଶିକ୍ଷା ପଦ୍ଧତି ମଧ୍ୟ ପ୍ରଭାବିତ ହୋଇଛି। ଆଧୁନିକ ଓଡ଼ିଶା ଗଠନ ପୂର୍ବରୁ ବିଭିନ୍ନ ବହିରାଗତ ଶାସକଙ୍କ ଅଧୀନରେ ଥିବା ଓଡ଼ିଶାରେ ଶିକ୍ଷାର ପ୍ରଚାର ପ୍ରସାର ସୀମିତ ରହିଯାଇଥିଲା। ଓଡ଼ିଶାର ଶିକ୍ଷା ପଦ୍ଧତି ଏକ ପ୍ରକାର ବିକ୍ଷିପ୍ତ ଭାବେ ରହିଥିଲା। ବିଭିନ୍ନ ମନ୍ଦିରରେ ଗଢ଼ିଉଠିଥିବା ଚାଟଶାଳୀ, ସଂସ୍କୃତ ଟୋଲି, ଭାଗବତ ଟୁଙ୍ଗୀ ଏବଂ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଘରେ ଶିକ୍ଷାଦାନ କରାଯାଉଥିଲା। ଶିକ୍ଷକମାନେ ସେତେବେଳେ ଅବଧାନ ଭାବେ ପରିଚିତ ଥିଲେ। ଏହି ପାରମ୍ପରିକ ଶିକ୍ଷାରେ ପଢ଼ିବା, ଲେଖିବା, ଗଣିତ ଏବଂ ପାରମ୍ପରିକ ଜ୍ଞାନ ବାବଦରେ ଜ୍ଞାନ ଦିଆଯାଉଥିଲା। ବିଦ୍ୟାର୍ଥୀମାନେ ଅତିବଡ଼ି ଜଗନ୍ନାଥ ଦାସ କୃତ ଭାଗବତ ସମେତ ସମସ୍ତ ପୁରାଣ ଅଧ୍ୟୟନ କରିବା ସହ ମୁଖସ୍ତ କରିବାର ଅଭ୍ୟାସ କରୁଥିଲେ। କିନ୍ତୁ ଏସବୁ ଶାସକ ପରିଚାଳିତ ନହୋଇ ଗ୍ରାମ ସ୍ତରରେ, ଗୋଷ୍ଠୀ ଭିତ୍ତିକ ବା ବ୍ୟକ୍ତିଗତ ଉଦ୍ୟମରେ ଚାଲିଥିଲା।
ଓଡ଼ିଶାର ଶିକ୍ଷା ବ୍ୟବସ୍ଥାର ପରିବର୍ତ୍ତନ: ବ୍ରିଟିଶ ସରକାର ଓଡ଼ିଶାରେ ଶାସନ କରୁଥିବା ସମୟରେ ସେମାନଙ୍କ ପରିଚାଳନାଗତ ସୁବିଧା ପାଇଁ ଶିକ୍ଷାର ବ୍ୟାପକ ପ୍ରଚଳନ କରିଥିଲେ ବୋଲି କୁହାଯାଏ। ବ୍ରିଟିଶ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁପାଳନ କରି ଶାସନ ବ୍ୟବସ୍ଥାର ସଠିକ ପରିଚାଳନା କରାଇବା ପାଇଁ ଇଂରାଜୀ ଜରୁରୀ ହୋଇପଡ଼ିଥିଲା। କିନ୍ତୁ ଏହା ପଛରେ ଅନ୍ୟତମ ଉଦ୍ଦେଶ୍ୟ ଥିଲା ଖ୍ରୀଷ୍ଟିଆନ୍ ମିଶନାରୀଙ୍କ ଧର୍ମ ପ୍ରଚାର । ଖ୍ରୀଷ୍ଟିଆନ ଧର୍ମରେ ଧର୍ମାନ୍ତରିତ କରିବା ପାଇଁ ଯୀଶୁଙ୍କ ବାଣୀର ପ୍ରଚାର ପ୍ରସାରର ଆବଶ୍ୟକତା ଥିଲା, କିନ୍ତୁ ସେଥିରେ ଭାଷା ଏକ ବଡ଼ ବାଧକ ସାଜିଥିଲା। ୧୮୦୪ ମସିହାରେ ଓଡ଼ିଆ ଅକ୍ଷରଗୁଡ଼ିକୁ ଏକାଠି କରି ପ୍ରଥମ ଓଡ଼ିଆ ବାଇବଲ୍ ପ୍ରକାଶ କରିଥିଲେ। ବ୍ରିଟିଶ ବିଶ୍ୱାସ କରୁଥିଲେ ଓଡ଼ିଆମାନେ ଶିକ୍ଷା ଗ୍ରହଣ କଲେ କମ୍ ଦରମାରେ ଚାକିରି କରିବେ। ଏହାପରେ ମ୍ୟାକଲେଙ୍କ ଇଂରାଜୀ ଶିକ୍ଷାର ଯୁଗ ଆରମ୍ଭ ହୋଇଥିଲା। ଏଥିପାଇଁ ଖ୍ରୀଷ୍ଟିଆନ ମିଶନାରୀ ବିଭିନ୍ନ ସ୍ଥାନରେ ଇଂରାଜୀ ମାଧ୍ୟମ ସ୍କୁଲ ଖୋଲିବାରେ ଲାଗିଲେ। ପ୍ରାରମ୍ଭିକ ସମୟରେ ପୁରୀ ଏବଂ କଟକ ପ୍ରଭୃତି ଅଞ୍ଚଳରେ ଏପରି ସ୍କୁଲ ଖୋଲିଥିଲା। ଏହାପରେ ବିଭନ୍ନ ସ୍ଥାନରେ ଜିଲ୍ଲା ସ୍କୁଲ ନାମରେ ସ୍କୁଲ ସଂଖ୍ୟା ବୃଦ୍ଧି ପାଇଥିଲେ ମଧ୍ୟ ଫି’ ପାଇଁ ଅନେକ ବିଦ୍ୟାର୍ଥୀ ଶିକ୍ଷା ଛାଡ଼ିବାକୁ ବାଧ୍ୟ ହୋଇଥିଲେ।

ଶିକ୍ଷା ବ୍ୟବସ୍ଥାରେ ନବଜାଗରଣ: ପରବର୍ତ୍ତି ସମୟରେ ଓଡ଼ିଆ ଭାଷା ଆନ୍ଦୋଳନର ପ୍ରଭାବରେ ଭର୍ଣ୍ଣାକୁଲାର ବା ଓଡ଼ିଆ ମାଧ୍ୟମ ସ୍କୁଲର ପ୍ରଚାର ପ୍ରସାର ଦିଗରେ ଉଦ୍ୟମ ଆରମ୍ଭ ହୋଇଥିଲା । ସମ୍ବଲପୁରଠାରେ ଥିବା ଜିଲ୍ଲା ସ୍କୁଲ ଆଙ୍ଗଲୋ-ଜିଲ୍ଲା ସ୍କୁଲ ଭାବେ ଅପ୍ଗ୍ରେଡ୍ ହୋଇଥିଲା । ଏହା ସହ ନୂଆ ନୀତିର ପ୍ରଚଳନ ହୋଇଥିଲା, ଯେଉଁଥିରେ ଇଂରାଜୀ ଭାଷାର ପ୍ରଚଳନ ସହ ଓଡ଼ିଆ ଭାଷାକୁ ମଧ୍ୟ ଗୁରୁତ୍ୱ ମିଳିଥିଲା । ଫଳରେ ଓଡ଼ିଆଙ୍କ ମଧ୍ୟରେ ଇଂରାଜୀ ଭାଷାର ଅଧିକ ପ୍ରଚଳନ ହୋଇପାରିଥିଲା । ଏହି କ୍ରମରେ ବ୍ୟାପକ ସଂଖ୍ୟାରେ ପ୍ରାଥମିକ ବିଦ୍ୟାଳୟ ଖୋଲିବା ଆରମ୍ଭ ହୋଇଥିଲା । ଓଡ଼ିଶାରେ ପ୍ରାଥମିକ ଶିକ୍ଷା କ୍ଷେତ୍ର ପ୍ରତି ପାରଳାଖେମୁଣ୍ଡିର ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କର ଅବଦାନ ପ୍ରଶଂସନୀୟ । ସ୍ଵାଧୀନତା ପରେ ରାଜ୍ୟର କୋଣ ଅନୁକୋଣରେ ସ୍କୁଲ ଓ କଲେଜ ଖୋଲିବା ସହିତ ସାକ୍ଷରତା ହାର ବୃଦ୍ଧି ପାଇଛି । ଏକବିଂଶ ଶତାବ୍ଦୀରେ ମଧ୍ୟାନ୍ନ ଭୋଜନ ଯୋଜନା ଓ ଶିକ୍ଷାର ଅଧିକାର ଆଇନ ଲାଗୁ ହେବା ପରେ ପରେ ସମସ୍ତ ଶିଶୁ ପ୍ରାଥମିକ ଶିକ୍ଷା ପାଇଁ ନାମ ଲେଖାଇ ପାରୁଛନ୍ତି । ତେବେ ସରକାରୀ ସ୍କୁଲରେ ଶିକ୍ଷାଦାନର ମାନକୁ ନେଇ ସମୟ ସମୟରେ ପ୍ରଶ୍ନବାଚୀ ଉଠି ଆସୁଛି । ତେଣୁ ଅଭିଭାବକମାନେ ନିଜ ପିଲାମାନଙ୍କୁ ପ୍ରାଇଭେଟ ସ୍କୁଲ, ବିଶେଷ କରି ଇଂରାଜୀ ମାଧ୍ୟମ ଓ କନଭେଣ୍ଟ ସ୍କୁଲରେ ପଢାଇବାକୁ ପସନ୍ଦ କରୁଛନ୍ତି । ଏହା ବ୍ୟତୀତ ଧର୍ମାନ୍ତରିକରଣକୁ ତ୍ଵରାନ୍ୱିତ କରିବା ଉଦ୍ଦେଶ୍ୟରେ ମିଶନାରୀମାନେ ମଧ୍ୟ ଓଡ଼ିଶାରେ ହଜାର ହଜାର ସ୍କୁଲ ଖୋଲିଛନ୍ତି । ସମାଜର ସମ୍ଭ୍ରାନ୍ତ ଶ୍ରେଣୀର ଏକାଧିକ ପୀଢି ଏହି ମିଶନାରୀ ଶିକ୍ଷାରେ ପ୍ରଭାବିତ ହୋଇ ନିଜ ସାଂସ୍କୃତିକ ମୂଲ୍ୟବୋଧ ଓ ମାତୃଭାଷା ବିସ୍ମୃତ ହେଲେଣି । ଏହା ବ୍ୟତୀତ ସରକାରୀ ଶିକ୍ଷା ବ୍ୟବସ୍ଥାରେ ଭାରତର ମୂଳ ସଂସ୍କୃତି, ପରମ୍ପରା ଓ ଅଧ୍ୟାତ୍ମକୁ ଆଦୌ ସ୍ଥାନ ଦିଆଯାଉ ନଥିବାରୁ ଓଡ଼ିଆ ସମାଜ ନିଜର ମୌଳିକତା ହରାଇବାର ଆଶଙ୍କା ସୃଷ୍ଟି ହୋଇଛି । ଜାତୀୟ ଶିକ୍ଷା ନୀତି ୨୦୨୨ରେ ସମସ୍ତ ସ୍କୁଲରେ ମାତ୍ରୁଭାଷାରେ ଶିକ୍ଷାଦାନକୁ ପ୍ରୋତ୍ସାହନ ଦିଆଯାଉଥିବାରୁ ଅନ୍ତତଃ ଭବିଷ୍ୟତର ପୀଢି ଓଡ଼ିଆ ଭାଷା ସହ କେତେକାଂଶରେ ପରିଚିତ ରହିବେ ବୋଲି କୁହାଯାଇପାରେ । ତେବେ ବୃତ୍ତିଗତ ଶିକ୍ଷା, ନୈତିକ ଶିକ୍ଷା ଓ ସଂସ୍କୃତି ଜ୍ଞାନକୁ ପ୍ରମୁଖତାର ସହିତ ସ୍ଥାନ ଦିଆଗଲେ ହିଁ ଓଡ଼ିଆ ଜାତି ନିଜର ମୌଳିକତାର ସୁରକ୍ଷା କରିବା ସହ ଏକବିଂଶ ଶତାବ୍ଦୀର ଆହ୍ଵାନକୁ ସାମ୍ନା କରିପାରିବ ।