ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ୬ ଜୁଲାଇ ୧୯୦୧ ମସିହାରେ ହୋଇଥିଲା । ୧୯୫୩ ମସିହାରେ ଜାମ୍ମୁ କାଶ୍ମୀରର ଭାରତରେ ପୂର୍ଣ ବିଲୟ ପାଇଁ ଆନ୍ଦୋଳନ ସମୟରେ ଗିରଫ ହୋଇ ରହସ୍ୟମୟ ଭାବେ ଜେଲରେ ମୃତ୍ୟୁବରଣ କରିଥିଲେ । ୫୨ ବର୍ଷର ସ୍ୱଳ୍ପ ଜୀବନକାଳ ଭିତରେ ଡ. ମୁଖାର୍ଜୀ ଜଣେ ଶିକ୍ଷାବିତ, ରାଜନୈତିକ, ଯୋଗ୍ୟ ମନ୍ତ୍ରୀ ଓ ଭାରତରେ ବୈକଳ୍ପିକ ରାଜନୀତିର ବିମର୍ଶ ଓ ବିଚାର ପ୍ରବାହର ଜନକ ଭାବେ ନିଜର ବିଶାଳ ଓ ବହୁ ଆୟାମୀ ବ୍ୟକ୍ତିତ୍ୱର ପରିଚୟ ପ୍ରଦାନ କରିଛନ୍ତି ।
ତାଙ୍କର ସବୁଠାରୁ ବଡ ଅବଦାନ ଥିଲା ଯେ ସେ ଭାରତରେ ବୈକଳ୍ପିକ ରାଜନୈତିକ ନ୍ୟାରେଟିଭ ପ୍ରଦାନ କରିଥିଲେ । ଦେଶର ଏକତା, ଅଖଣ୍ଡତା, ଦେଶର ସଂସ୍କୃତି- ପରମ୍ପରାର ରକ୍ଷା କରିବା ସହ ଲୋକ ମାନଙ୍କର ଉତଥାନ କରିବା ଆଦି ଜଣେ ତାର ଜୀବନକାଳ ମଧ୍ୟରେ କେତେ କଣ କରି ପାରେ. ତାହାର ଉଦାହରଣ ହେଉଛନ୍ତି ଡ. ମୁଖାର୍ଜୀ ।
ତାଙ୍କ ବିଷୟରେ କିଛି ଲେଖିବା ବେଳେ ଆମକୁ ଉଲ୍ଲେଖ କରିବାକୁ ପଡିବ ଯେ ତାଙ୍କର ୫୨ ବର୍ଷର ଜୀବନ ମଧ୍ୟରେ କେବଳ ୧୪ ବର୍ଷ ରାଜନୀତିରେ ଥିଲେ । ଏହି ୧୪ ବର୍ଷର ରାଜନୈତିକ ଜୀବନରେ ସେ ଇତିହାସ ତିଆରି କରିଥିଲୋ । ସେ ଭାରତର ଅଖଣ୍ଡତା ରକ୍ଷା ପାଇଁ କାର୍ଯ୍ୟ କରିବା ସହ ଭାରତୀୟ ରାଜନୀତିକୁ ଏକ ନୂଆ ଦିଗ ଦେଇଥିଲେ ।
ଡ. ମୁଖାର୍ଜୀ ମାତ୍ର ୩୩ ବର୍ଷ ବୟସରେ କଲିକତା ବିଶ୍ୱବିଦ୍ୟାଲୟର କୁଳପତି ହୋଇଥିଲେ ଓ ଏହି ବିଶ୍ୱବିଦ୍ୟାଳୟରେ ନବ ଜୀବନର ସଂଚାର କରିଥିଲେ । ୧୯୩୩ରୁ ୩୭ ମସିହା ଯାଏ ସେ ଦୁଇଥର ବିଶ୍ୱବିଦ୍ୟାଳୟର କୁଳପତି ହୋଇଥିଲେ । କଲିକତା ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଭାରତୀୟ ଦୃଷ୍ଟିକୋଣରେ ଅନୁସନ୍ଧାନ କରୁଥିବା ରାଷ୍ଟ୍ରବାଦୀ ବିଦ୍ୱାନ ମାନଙ୍କୁ ସେ ପୂର୍ଣ ସମର୍ଥନ ଦେଇଥିଲେ । ସେ ଭାରତୀୟ ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ୱ ସହ ସମ୍ପର୍କିତ ପ୍ରଥମ ସଂଗ୍ରହାଳୟ ବିଶ୍ୱବିଦ୍ୟାଳୟରେ ଆରମ୍ଭ କରିଥିଲେ ।
କୁଳପତି ଭାବେ ଡ. ମୁଖାର୍ଜୀ ଭାରତୀୟ ଭାଷା ଗୁଡିକୁ ପ୍ରୋତ୍ସାହନ ଦେଇଥିଲେ । ସେ ଗୁରୁଦେବ ରବୀନ୍ଦ୍ରନାଥ ଠାକୁରଙ୍କୁ ବିଶ୍ୱବିଦ୍ୟାଳୟର ସମାବର୍ତନ ଉତ୍ସବରେ ଇଂରାଜୀ ପରିବର୍ତେ ବଙ୍ଗଳା ଭାଷାରେ ଉଦବୋଧନ ଦେବାକୁ ନିମନ୍ତ୍ରିତ କରିଥିଲେ । କୌଣସି ବିଶ୍ୱବିଦ୍ୟାଳୟରେ ସମାବର୍ତନ ଉଦବୋଧନ ଭାରତୀୟ ଭାଷାରେ ଦିଆଯିବାର ଏହା ପ୍ରଥମ ଘଟଣା ଥିଲା ।
ଅବିଭକ୍ତ ବଙ୍ଗରେ ଯେତେବେଳେ ମୁସଲିମ ଲିଗର ଶାସନ ଥିଲା ଓ ହିନ୍ଦୁ ମାନଙ୍କ ପାଇଁ ଅତ୍ୟନ୍ତ କଠିନ ସମୟ ଥିଲା ସେତେବେଳେ ଏକାଡେମିକ କାର୍ଯ୍ୟକୁ ଛାଡି ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ ପଙ୍କିଳ ରାଜନୀତି କ୍ଷେତ୍ରରେ ପ୍ରବେଶ କରିବାକୁ ନିଷ୍ପତି ନେଇଥିଲେ । ସେ ହିନ୍ଦୁ ମହାସଭାରେ ଯୋଗ ଦେଇ ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରିଥିଲେ । ତାଙ୍କର ଏହି ପ୍ରବେଶକୁ ସ୍ୱୟଂ ମହାତ୍ମା ଗାନ୍ଧୀ ମଧ୍ୟ ସ୍ୱାଗତ କରିଥିଲେ । ସେ ଡ. ମୁଖାର୍ଜୀଙ୍କ ରାଷ୍ଟ୍ରୀୟ ବିଚାରକୁ ନେଇ ଖୁବ ପ୍ରଭାବିତ ଥିଲେ । ଗାନ୍ଧୀଜୀ ତାଙ୍କୁ କହିଥିଲେ, ‘ମାଲବୀୟଜୀ (ପଣ୍ଡିତ ମଦନ ମୋହନ ମାଲବୀୟ)ଙ୍କ ପରେ ହିନ୍ଦୁ ମାନଙ୍କୁ ନେତୃତ୍ୱ ଦେବା ଭଳି ଜଣେ ନେତାଙ୍କର ଆବଶ୍ୟକତା ଥିଲା । ’ଡ. ମୁଖାର୍ଜୀ ଏହାର ଉତରରେ କହିଥିଲେ, ‘କିନ୍ତୁ ଆପଣ ମୋତେ ସାଂପ୍ରଦାୟିକ ବୋଲି କହିବେ । ’ଏହା ଶୁଣି ଗାନ୍ଧୀଜୀ କହିଥିଲେ, ‘ଯେପରି ସମୁଦ୍ର ମନ୍ଥନ ପରେ ଭଗବାନ ଶିବ ବିଷପାନ କରିଥିଲେ, ସେହି ଭଳି ଭାରତୀୟ ରାଜନୀତିର ବିଷପାନ କରିବା ଭଳି କେହି ତ ଆବଶ୍ୟକ । ତାହା ଆପଣ ହିଁ ହୋଇ ପାରିବେ ।’
ସ୍ୱାଧୀନ ଭାରତର ପ୍ରଥମ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଡ. ମୁଖାର୍ଜୀଙ୍କୁ ଆମନ୍ତ୍ରିତ କରାଯାଇଥିଲା । ସେ ସମ୍ବିଧାନରେ ସଭାରେ ମଜବୁତ ଉପସ୍ଥିତି ତଥା ସମ୍ବିଧାନ ନିର୍ମାଣରେ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଥିଲେ । ଏହା ସହ ଭାରତ ସରକାରରେ ମନ୍ତ୍ରୀ ଭାବେ ସ୍ୱାଧୀନ ଭାରତର ଉଦ୍ୟୋଗୀକରଣ କରିବାକୁ ପଦକ୍ଷେପ ନେଇ ଡ. ମୁଖାର୍ଜୀ ଦୂରଦର୍ଶୀ ଓ ବୁଦ୍ଧିମତାପୂର୍ଣ ଦୃଷ୍ଟିକୋଣର ପରିଚୟ ଦେଇଥିଲେ । ପ୍ରତିରକ୍ଷା ଉତ୍ପାଦ ଗୁଡିକର ସ୍ୱଦେଶୀକରଣ ହେଉ କିମ୍ବା ଭାରତକୁ ସୈନ୍ୟଶକ୍ତି ସମ୍ପନ୍ନ କରିବା ହେଉ ସବୁ କ୍ଷେତ୍ରରେ ଡ. ମୁଖାର୍ଜୀ ପ୍ରାରମ୍ଭିକ ଭିତିଭୂମି ପକାଇଥିଲେ ।
ନିଜର ସିଦ୍ଧାନ୍ତବାଦିତା ଓ ନିଷ୍ଠା କାରଣରୁ ପୂର୍ବ ପାକିସ୍ତାନରୁ ଆସୁଥିବା ଶରଣାର୍ଥୀ ମାନଙ୍କର ଦୁର୍ଦଶାକୁ ଦେଖି ଡ. ମୁଖାର୍ଜୀ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳକୁ ଇସ୍ତଫା ଦେଇଥିଲେ । ଏହା ସହ ସେ ବୈକଳ୍ପିକ ରାଜନୈତିକ ଆନ୍ଦୋଳନର ପଥ ପ୍ରଶସ୍ତ କରିଥିଲେ । ୧୯୫୧ରେ ସେ ଭାରତୀୟ ଜନସଂଘର ପ୍ରତିଷ୍ଠା କରିଥିଲେ । ଏହି ଅବସରରେ ସେ ଏହି ରାଜନୈତିକ ଦଳର ଭବିଷ୍ୟତର ଦିଗ ନିର୍ଧାରିତ କରିଥିଲେ ।
ସେ କହିଥିଲେ, “ଭାରତୀୟ ଜନସଂଘର ଉଦୟ ଅଖିଳ ଭାରତୀୟ ରାଜନୈତିକ ଦଳ ଭାବେ ହୋଇଛି, ଯାହା ପ୍ରମୁଖ ବିରୋଧୀ ଦଳ ଭାବେ କାର୍ଯ୍ୟ କରିବ । ଆମେ ଜାତି, ପନ୍ଥ, ସଂପ୍ରଦାୟ ମଧ୍ୟରେ କୌଣସି ପ୍ରକାର ଭେଦଭାବ ନ କରି ଦଳକୁ ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ଖୋଲା ରଖିଛୁ । ଆମେ ସ୍ୱୀକାର କରୁ ଯେ ପରମ୍ପରା, ପ୍ରଥା, ରିଲିଜିୟନ ଓ ଭାଷା ଆଧାରରେ ଭାରତ ବିବିଧତାରେ ପରିପୂର୍ଣ ଦେଶ, ମାତୃଭୂମି ପ୍ରତି ଗଭୀର ସମର୍ପଣ ଓ ନିଷ୍ଠାରୁ ପ୍ରେରିତ ହୋଇ ବନ୍ଧୁତ୍ୱଭାବ ନେଇ ସମସ୍ତେ ଏକଜୁଟ ହୁଅନ୍ତୁ ।”
୧୯୫୧-୫୨ ମସିହାର ପ୍ରଥମ ସାଧାରଣ ନିର୍ବାଚନ ପରେ ଡ. ମୁଖାର୍ଜୀ ଭାରତର ପ୍ରଥମ ସଂସଦର ବିରୋଧୀ ରାଜନୀତିକୁ ସଂଗଠିତ କରୁଥିବା ବିରାଟ ନେତା ଭାବେ ଉଭା ହେଲେ । ସମସ୍ତ ବିରୋଧୀ ଦଳ ବିଶାଳ କଂଗ୍ରେସକୁ ନୂଆଁଇବାକୁ ନେତୃତ୍ୱ ଓ ଦିଶାନିର୍ଦେଶ ପାଇଁ ଡ. ମୁଖାର୍ଜୀଙ୍କ ଆଡକୁ ଦେଖୁଥିଲେ । ଜଣେ ଅଘୋଷିତ ବିରୋଧୀ ଦଳର ନେତା ଭାବେ ଡ. ମୁଖାର୍ଜୀ ସରକାରଙ୍କ କାମ ଉପରେ ନଜର ରଖୁଥିଲେ ଓ ସରକାରଙ୍କର ଦୋଷ ଦୁର୍ବଳତାକୁ ଲୋକଙ୍କ ସମ୍ମୁଖକୁ ଆଣୁଥିଲେ ।
ଡ. ମୁଖାର୍ଜୀ କେବେ ହେଲେ ସୁବିଧାବାଦୀ ରାଜନୀତି କରି ନ ଥିଲେ କିମ୍ବା ବ୍ୟକ୍ତିଗତ ଲାଭ-କ୍ଷତିର ଗଣିତ କଷି ନ ଥିଲେ । ତାଙ୍କର ଅନ୍ତିମ ସଂଘର୍ଷ ଭାରତର ଏକତ୍ରିକରଣ ପାଇଁ ଥିଲା । ସେ ଜାମ୍ମୁ କାଶ୍ମୀରର ଭାରତୀୟ ଗଣତନ୍ତ୍ରରେ ପୂର୍ଣ ବିଲୟକୁ ନିଜର ଧ୍ୟେୟ କରିଥିଲେ । କ୍ଷମତାରେ ଥିବା ସେତେବେଳର ନେତୃତ୍ୱର ଆହ୍ୱାନକୁ ସେ ଜଣେ ମହାନାୟକ ଭାବେ ସ୍ୱୀକାର କରିଥିଲେ ଓ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁ ସରକାର ଦ୍ୱାରା ସେ ଗିରଫ ମଧ୍ୟ ହେଲେ । ଭାରତର ଏକତା ଓ ଅଖଣ୍ଡତା କଥା ଯେତେବେଳେ ଆସିଥିଲା,ସେତେବେଳେ ସେ କିପରି ବା ପଛଘୁଂଚା ଦେଇଥାନ୍ତେ । ଜାମ୍ମୁ କାଶ୍ନୀରର ଭୂଭାଗକୁ ରକ୍ଷା କରିବା ଓ ଭାରତର ଏକତା ଓ ଅଖଣ୍ଡତାକୁ ରକ୍ଷା କରିବାକୁ ସେ ନେହେରୁ ଓ ଶେଖ ଅବଦୁଲ୍ଲାଙ୍କ ଜେଲରେ ନିଜର ବଳିଦାନ ଦେଇ ଦେଇଥିଲେ । ଶେଷରେ ଗାନ୍ଧୀଜୀଙ୍କ ଶବ୍ଦ ସତ୍ୟ ପ୍ରମାଣିତ ହେଲା । ଭାରତକୁ ଅଖଣ୍ଡ କରିବା ପାଇଁ ଡ. ମୁଖାର୍ଜୀ ଭାରତୀୟ ରାଜନୀତିର ବିଷକୁ ପାନ କରିଥିଲେ ।