ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସରେ କେତେକ ଶବ୍ଦ ଅଛି, ଯାହା କେବଳ ଏକ ସ୍ଲୋଗାନ୍ କିମ୍ବା ଗୀତ ହୋଇ ରହିନାହିଁ; ବରଂ ଏକ ରାଷ୍ଟ୍ରର ଆତ୍ମାକୁ ଜାଗ୍ରତ କରିବାର ଶକ୍ତିରେ ପରିଣତ ହୋଇଛି। ‘ବନ୍ଦେ ମାତରମ୍’ ଏହିପରି ଏକ ଅମର ମନ୍ତ୍ର। ଏହା କେବଳ ଦେଶପ୍ରେମର ଗୀତ ନୁହେଁ, ବରଂ ଭାରତର ସାଂସ୍କୃତିକ ଚେତନା, ଆଧ୍ୟାତ୍ମିକ ଦୃଷ୍ଟିଭଙ୍ଗୀ ଏବଂ ସ୍ୱାଧୀନତାର ଆକାଂକ୍ଷାର ଏକ ମହାନ ପ୍ରତୀକ। ଏହି ଦୁଇଟି ଶବ୍ଦ ଲକ୍ଷ ଲକ୍ଷ ଭାରତବାସୀଙ୍କୁ ଏକ ସୂତ୍ରରେ ବାନ୍ଧିଥିଲା ଏବଂ ଦେଶ ପାଇଁ ସର୍ବସ୍ୱ ତ୍ୟାଗ କରିବାର ପ୍ରେରଣା ଦେଇଥିଲା।
ଊନବିଂଶ ଶତାବ୍ଦୀର ଶେଷଭାଗରେ ଯେତେବେଳେ ଭାରତ ବ୍ରିଟିଶ ଶାସନର ରାଜନୈତିକ ପରାଧୀନତା ସହ ସାଂସ୍କୃତିକ ହୀନମନ୍ୟତାର ଶିକାର ହେଉଥିଲା, ସେହି ସମୟରେ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ ‘ବନ୍ଦେ ମାତରମ୍’ ରଚନା କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ପ୍ରସିଦ୍ଧ ଉପନ୍ୟାସ ଆନନ୍ଦମଠରେ ଏହା ସ୍ଥାନ ପାଇଥିଲା। ବଙ୍କିମ ଭାରତକୁ କେବଳ ଏକ ଭୂଖଣ୍ଡ ଭାବେ ନୁହେଁ, ବରଂ ଏକ ସ୍ନେହମୟୀ ଓ ଶକ୍ତିମୟୀ ମାତାରୂପେ କଳ୍ପନା କରିଥିଲେ। ସେହି ମାତା ହେଉଛନ୍ତି ସମୃଦ୍ଧିର ଲକ୍ଷ୍ମୀ, ଜ୍ଞାନର ସରସ୍ୱତୀ ଏବଂ ଶକ୍ତିର ଦୁର୍ଗା। ଏହି ଭାବନା ଭାରତୀୟ ମନକୁ ଗଭୀର ଭାବେ ସ୍ପର୍ଶ କରିଥିଲା, କାରଣ ଏଠାରେ ମାତୃଭୂମିକୁ ଦେବୀରୂପେ ଆରାଧନା କରିବାର ପରମ୍ପରା ପ୍ରାଚୀନ।
୧୯୦୫ ମସିହାରେ ବଙ୍ଗଭଙ୍ଗ ବିରୋଧୀ ଆନ୍ଦୋଳନ ସମୟରେ ‘ବନ୍ଦେ ମାତରମ୍’ ଭାରତର ରାଷ୍ଟ୍ରୀୟ ଜାଗରଣର ମୁଖ୍ୟ ଆହ୍ୱାନରେ ପରିଣତ ହେଲା। ବିଦ୍ୟାଳୟ, ମହାବିଦ୍ୟାଳୟ, ଜନସଭା, ଶୋଭାଯାତ୍ରା ଓ ବିପ୍ଳବୀମାନଙ୍କର ମଧ୍ୟରେ ଏହି ଧ୍ୱନି ପ୍ରତିଧ୍ୱନିତ ହେବାକୁ ଲାଗିଲା। ବ୍ରିଟିଶ ସରକାର ଏହାର ଶକ୍ତିକୁ ଅନୁଭବ କରି ସାର୍ବଜନୀନ ଭାବେ ଏହା ଗାଇବା ଉପରେ ବିଭିନ୍ନ ସ୍ଥାନରେ କଟକଣା ଲଗାଇଥିଲେ। କିନ୍ତୁ ଦମନ ଯେତେ ବଢ଼ିଲା, ଏହି ମନ୍ତ୍ର ପ୍ରତି ଲୋକଙ୍କର ଶ୍ରଦ୍ଧା ସେତେ ଅଧିକ ବୃଦ୍ଧି ପାଇଲା। ସ୍ୱାଧୀନତା ସଂଗ୍ରାମୀମାନଙ୍କ ପାଇଁ ଏହା ଭୟକୁ ପରାଜିତ କରିବାର ମନ୍ତ୍ରରେ ପରିଣତ ହେଲା।
‘ବନ୍ଦେ ମାତରମ୍’ର ପ୍ରକୃତ ଶକ୍ତି ତାହାର ଦାର୍ଶନିକ ଅର୍ଥରେ ନିହିତ। ଭାରତୀୟ ସଂସ୍କୃତିରେ ମାତୃଭୂମି କେବଳ ଜନ୍ମଭୂମି ନୁହେଁ; ସେ ହେଉଛନ୍ତି ଜୀବନ, ସଂସ୍କୃତି, ପରମ୍ପରା ଓ ସଭ୍ୟତାର ଧାରକ। ତେଣୁ ମାତୃଭୂମିକୁ ପ୍ରଣାମ କରିବା ଅର୍ଥ ତାହାର ପ୍ରକୃତି, ସଂସ୍କୃତି, ଭାଷା, ଐତିହ୍ୟ ଓ ସମାଜକୁ ସୁରକ୍ଷା ଦେବାର ସଂକଳ୍ପ ନେବା। ଏହି ଦୃଷ୍ଟିରୁ ରାଷ୍ଟ୍ରପ୍ରେମ କେବଳ ରାଜନୈତିକ ଭାବନା ନୁହେଁ, ବରଂ ଏକ ନୈତିକ କର୍ତ୍ତବ୍ୟ।
ମହର୍ଷି ଶ୍ରୀଅରବିନ୍ଦ ‘ବନ୍ଦେ ମାତରମ୍’କୁ କେବଳ ଏକ ଦେଶାତ୍ମବୋଧକ ଗୀତ ଭାବେ ଦେଖିନଥିଲେ; ସେ ଏହାକୁ ଏକ ରାଷ୍ଟ୍ରୀୟ ମନ୍ତ୍ର ବୋଲି ବର୍ଣ୍ଣନା କରିଥିଲେ। ଭାରତୀୟ ପରମ୍ପରାରେ ମନ୍ତ୍ର କେବଳ ଉଚ୍ଚାରଣ ପାଇଁ ନୁହେଁ; ତାହା ମଣିଷର ଚେତନାକୁ ଜାଗ୍ରତ କରିବାର ଶକ୍ତି ଧାରଣ କରେ। ଶ୍ରୀଅରବିନ୍ଦଙ୍କ ମତରେ ‘ବନ୍ଦେ ମାତରମ୍’ ଭାରତବାସୀଙ୍କ ମନରେ ସୁପ୍ତ ସାହସ, ଆତ୍ମବିଶ୍ୱାସ ଓ ତ୍ୟାଗର ଭାବନାକୁ ଜାଗ୍ରତ କରିଥିଲା। ଏହି ମନ୍ତ୍ର ସାଧାରଣ ଲୋକଙ୍କୁ ଅସାଧାରଣ ସାହସୀରେ ପରିଣତ କରିଥିଲା।
ପ୍ରତ୍ୟେକ ମନ୍ତ୍ରର ଏକ କର୍ମମୟ ରୂପ ଥାଏ। ‘ବନ୍ଦେ ମାତରମ୍’ର ସେହି କର୍ମରୂପ ହେଲା ସ୍ୱଦେଶୀ ଆନ୍ଦୋଳନ। ଯଦି ରାଷ୍ଟ୍ର ମାତା, ତେବେ ତାଙ୍କର ଅର୍ଥନୈତିକ ସମୃଦ୍ଧି ଓ ସ୍ୱାବଲମ୍ବନ ପାଇଁ କାମ କରିବା ପ୍ରତ୍ୟେକ ସନ୍ତାନର କର୍ତ୍ତବ୍ୟ। ସେଥିପାଇଁ ସ୍ୱଦେଶୀ କେବଳ ବିଦେଶୀ ସାମଗ୍ରୀ ବର୍ଜନର ଆନ୍ଦୋଳନ ନଥିଲା; ଏହା ଥିଲା ଦେଶୀ ଶିଳ୍ପ, କୃଷି, କୁଟୀର ଉଦ୍ୟୋଗ, ଶିକ୍ଷା ଓ ଆତ୍ମନିର୍ଭର ଅର୍ଥନୀତିର ପୁନର୍ଜାଗରଣର ଅଭିଯାନ। ସ୍ୱଦେଶୀ ଆନ୍ଦୋଳନ ଭାରତୀୟଙ୍କୁ ଶିଖାଇଥିଲା ଯେ ରାଜନୈତିକ ସ୍ୱାଧୀନତା ସେତେବେଳେ ହି ସ୍ଥାୟୀ ହେବ, ଯେତେବେଳେ ଅର୍ଥନୈତିକ ଓ ସାଂସ୍କୃତିକ ସ୍ୱାଧୀନତା ମଧ୍ୟ ସୁନିଶ୍ଚିତ ହେବ।
ଭାରତୀୟ ଦର୍ଶନରେ ମନ୍ତ୍ର ଓ ତନ୍ତ୍ର ପରସ୍ପରର ପରିପୂରକ। ମନ୍ତ୍ର ଚେତନାକୁ ଜାଗ୍ରତ କରେ, ତନ୍ତ୍ର ସେହି ଚେତନାକୁ କାର୍ଯ୍ୟରେ ପରିଣତ କରେ। ଏହି ଦୃଷ୍ଟିରୁ ‘ବନ୍ଦେ ମାତରମ୍’ ଥିଲା ଭାରତୀୟ ଜାତୀୟତାର ମନ୍ତ୍ର, ଆଉ ସ୍ୱଦେଶୀ ଥିଲା ତାହାର ତନ୍ତ୍ର। ଗୋଟିଏ ଜାତିର ମନରେ ଆତ୍ମବିଶ୍ୱାସ ସୃଷ୍ଟି କଲା, ଅନ୍ୟଟି ସେହି ଆତ୍ମବିଶ୍ୱାସକୁ ଶିଳ୍ପ, ଶିକ୍ଷା, ସମାଜ ଓ ଅର୍ଥନୀତିରେ ପ୍ରତିଫଳିତ କଲା।
ଆଜି ସ୍ୱାଧୀନତାର ଅନେକ ଦଶନ୍ଧି ପରେ ମଧ୍ୟ ‘ବନ୍ଦେ ମାତରମ୍’ର ବାର୍ତ୍ତା ସମାନ ଭାବେ ପ୍ରାସଙ୍ଗିକ। ଆତ୍ମନିର୍ଭର ଭାରତ, ସ୍ଥାନୀୟ ଉତ୍ପାଦନର ପ୍ରୋତ୍ସାହନ, ସାଂସ୍କୃତିକ ଆତ୍ମବିଶ୍ୱାସ ଏବଂ ସ୍ୱଦେଶୀ ଉଦ୍ୟମର ବିକାଶ—ଏସବୁ ସେହି ଚିନ୍ତାଧାରାର ଆଧୁନିକ ରୂପ। ବିଶ୍ୱ ସହ ସମନ୍ୱୟ ରକ୍ଷା କରି ନିଜର ସଭ୍ୟତା, ସଂସ୍କୃତି ଓ ଅର୍ଥନୈତିକ ସାମର୍ଥ୍ୟକୁ ସୁଦୃଢ଼ କରିବା ହିଁ ଆଧୁନିକ ସ୍ୱଦେଶୀର ଲକ୍ଷ୍ୟ।
‘ବନ୍ଦେ ମାତରମ୍’ ଆଜି ମଧ୍ୟ କେବଳ ଏକ ଗୀତ ନୁହେଁ; ଏହା ଏକ ଚିରନ୍ତନ ମନ୍ତ୍ର । ଏହା ଆମକୁ ସ୍ମରଣ କରାଏ ଯେ କୌଣସି ରାଷ୍ଟ୍ରର ପ୍ରକୃତ ଶକ୍ତି କେବଳ ତାହାର ରାଜନୈତିକ ସ୍ୱାଧୀନତାରେ ନୁହେଁ; ବରଂ ତାହାର ସାଂସ୍କୃତିକ ଆତ୍ମବିଶ୍ୱାସ, ଅର୍ଥନୈତିକ ସ୍ୱାବଲମ୍ବନ ଓ ମାତୃଭୂମି ପ୍ରତି ଅଟୁଟ ନିଷ୍ଠାରେ ନିହିତ। ଏହି ମନ୍ତ୍ର ଯେପରି ସ୍ୱାଧୀନତା ସଂଗ୍ରାମ ସମୟରେ ରାଷ୍ଟ୍ରକୁ ଜାଗ୍ରତ କରିଥିଲା, ସେହିପରି ଆଜି ମଧ୍ୟ ଏକ ସଶକ୍ତ, ସମୃଦ୍ଧ, ସଂସ୍କୃତି-ସଚେତନ ଏବଂ ବିଶ୍ୱଗୁରୁ ଭାରତ ଗଠନରେ ପ୍ରେରଣାର ଅକ୍ଷୟ ଉତ୍ସ ହୋଇ ରହିଛି। ବିଦ୍ୟାଳୟଗୁଡ଼ିକରେ ‘ବନ୍ଦେ ମାତରମ୍’ ଗାନକୁ ପ୍ରୋତ୍ସାହନ ଦେଇ ଭାରତୀୟ ଜନତା ପାର୍ଟି-ଶାସିତ ଓଡ଼ିଶା ସରକାର ଜାରି କରିଥିବା ସାମ୍ପ୍ରତିକ ନିର୍ଦ୍ଦେଶନାମା ଏହି ରାଷ୍ଟ୍ରୀୟ ଚେତନାକୁ ନୂତନ ପିଢ଼ି ମଧ୍ୟରେ ସୁଦୃଢ଼ କରିବା ଦିଗରେ ଏକ ସମୟୋପଯୋଗୀ ଓ ସ୍ୱାଗତଯୋଗ୍ୟ ପଦକ୍ଷେପ।
ଲେଖକ: ପ୍ରଫେସର୍ ଡଃ ଅଭିଷେକ ଉପାଧ୍ୟାୟ, ସହାୟକ ପ୍ରାଧ୍ୟାପକ, ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ଵୟଂଶାସିତ ସରକାରୀ ମହାବିଦ୍ୟାଳୟ, ଭୁବନେଶ୍ୱର
ଦୂରଭାଷ : ୬୩୭୧୦୭୭୪୧୯