ନୂଆଦିଲ୍ଲୀ, ୧୧ ସେପ୍ଟେମ୍ବର; ଭାରତର ଅଧ୍ୟକ୍ଷତାରେ ୧୮ତମ BRICS ଶିଖର ସମ୍ମିଳନୀ ପାଇଁ ନୂଆଦିଲ୍ଲୀ ପ୍ରସ୍ତୁତ। ୨୦୨୬ରେ ଭାରତ BRICS ଅଧ୍ୟକ୍ଷତା ଗ୍ରହଣ କରିଛି ଏବଂ ଏହା ଭାରତର ଚତୁର୍ଥ BRICS ଅଧ୍ୟକ୍ଷତା। ଏହି ବର୍ଷ BRICS ଗଠନର ୨୦ ବର୍ଷ ମଧ୍ୟ ପୂରଣ ହେଉଛି। ଶିଖର ସମ୍ମିଳନୀ ପୂର୍ବରୁ ୧୧ ସେପ୍ଟେମ୍ବରରେ ନୂଆଦିଲ୍ଲୀରେ BRICS Business Forum ଆୟୋଜିତ ହେଉଛି। ଏଥିରେ ସରକାରୀ ପ୍ରତିନିଧି, ଶିଳ୍ପପତି, ଆର୍ଥିକ ସଂସ୍ଥା ଓ ଷ୍ଟାର୍ଟଅପ୍ ପ୍ରତିନିଧିମାନେ ଯୋଗଦେଉଛନ୍ତି। ଫୋରମ୍ର ଆଲୋଚନାରେ ବ୍ୟବସାୟ, ସପ୍ଲାଏ ଚେନ୍, କୃଷି, ନିବେଶ ଓ ଡିଜିଟାଲ ଅର୍ଥନୀତି ଭଳି ବିଷୟ ସାମିଲ ଅଛି।
ଭାରତର BRICS ଅଧ୍ୟକ୍ଷତାର କେନ୍ଦ୍ରୀୟ ଧାରଣା ହେଉଛି “Building for Resilience, Innovation, Cooperation and Sustainability”। ଅର୍ଥାତ୍ ବିଶ୍ୱ ଅର୍ଥନୀତି ଓ ଭୂ-ରାଜନୈତିକ ପରିବର୍ତ୍ତନ ମଧ୍ୟରେ ସ୍ଥିରତା, ନବସୃଜନ, ସହଯୋଗ ଓ ସ୍ଥାୟୀ ବିକାଶକୁ ଆଗକୁ ନେବା। ଭାରତୀୟ ଅଧ୍ୟକ୍ଷତାରେ ବର୍ଷକାଳୀନ କାର୍ଯ୍ୟକ୍ରମରେ ୨୫ରୁ ଅଧିକ ସହରରେ ୩୫୦ରୁ ଅଧିକ ବୈଠକ ଓ ଉଚ୍ଚସ୍ତରୀୟ ଆଲୋଚନା ହୋଇଥିବା ସରକାରୀ ସୂଚନାରେ କୁହାଯାଇଛି।
ଏହି ପରିପ୍ରେକ୍ଷିରେ ବଦଳୁଥିବା ବିଶ୍ୱ ପରିସ୍ଥିତି ସହ ଖାପ ଖୁଆଇବାର କ୍ଷମତା BRICS ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ବର୍ତ୍ତମାନ ବିଶ୍ୱରେ ଭୂ-ରାଜନୈତିକ ଉତ୍ତେଜନା, ଯୋଗାଣ ଶୃଙ୍ଖଳାର ବାଧା, ଶକ୍ତି ସୁରକ୍ଷା ଓ ବାଣିଜ୍ୟିକ ଅନିଶ୍ଚିତତା ଭଳି ଚ୍ୟାଲେଞ୍ଜ ରହିଛି। ଏପରି ସମୟରେ BRICS ଦେଶଗୁଡ଼ିକ ମଧ୍ୟରେ ବାଣିଜ୍ୟ ଓ ଆର୍ଥିକ ସହଯୋଗକୁ ଅଧିକ ବ୍ୟବହାରିକ କରିବା ଭାରତୀୟ ଅଧ୍ୟକ୍ଷତାର ଏକ ମୁଖ୍ୟ ପ୍ରାଥମିକତା।
BRICS ବର୍ତ୍ତମାନ ୧୧ଟି ସଦସ୍ୟ ଦେଶକୁ ନେଇ ଗଠିତ—ବ୍ରାଜିଲ, ରୁଷ, ଭାରତ, ଚୀନ, ଦକ୍ଷିଣ ଆଫ୍ରିକା, ଇଜିପ୍ଟ, ଇଥିଓପିଆ, ଇରାନ, ଇଣ୍ଡୋନେସିଆ, ସାଉଦି ଆରବ ଓ UAE। ଏହି ବିସ୍ତାର ଫଳରେ ସଂଗଠନର ଅର୍ଥନୈତିକ ଓ ଭୂ-ରାଜନୈତିକ ପରିସର ବଢ଼ିଛି।
ସମ୍ମିଳନୀରେ ଖାଦ୍ୟ ଓ ଶକ୍ତି ସୁରକ୍ଷା, ସ୍ୱାସ୍ଥ୍ୟ, ବିପର୍ଯ୍ୟୟ ପ୍ରତିରୋଧ କ୍ଷମତା, ବାଣିଜ୍ୟ-ନିବେଶ, ପ୍ରଯୁକ୍ତି ଏବଂ critical supply chains ଭଳି କ୍ଷେତ୍ର ଉପରେ ଆଲୋଚନା ହେବ। ୧୨ ସେପ୍ଟେମ୍ବରରେ “Inclusive Global Governance and Strengthening Multilateralism” ଉପରେ ଅଧିବେଶନ ଏବଂ ୧୩ ସେପ୍ଟେମ୍ବରରେ “Resilience, Innovation, Cooperation and Sustainability: Shaping the Future for Inclusive Global Growth” ଉପରେ ଅଧିବେଶନ ରହିଛି।
ବର୍ତ୍ତମାନର ଭୂ-ରାଜନୈତିକ ପରିସ୍ଥିତି ମଧ୍ୟ ଏହି ସମ୍ମିଳନୀକୁ ଅଧିକ ଗୁରୁତ୍ୱ ଦେଇଛି। ବିଶେଷକରି ପଶ୍ଚିମ ଏସିଆର ସଂଘର୍ଷ, ଶକ୍ତି ଯୋଗାଣ ଓ ବାଣିଜ୍ୟ ପଥ ଉପରେ ପ୍ରଭାବ BRICS ଦେଶମାନଙ୍କ ମଧ୍ୟରେ ସମନ୍ୱୟର ପରୀକ୍ଷା କରୁଛି। ତେଣୁ ୨୦୨୬ର BRICS ସମ୍ମିଳନୀର ଗୁରୁତ୍ୱ କେବଳ ଏକ ରାଜନୈତିକ ସମ୍ମିଳନୀରେ ସୀମିତ ନୁହେଁ। ବ୍ୟବସାୟ, ପ୍ରଯୁକ୍ତି, ଯୋଗାଣ ଶୃଙ୍ଖଳା ଓ ଆର୍ଥିକ ସହଯୋଗରେ ବ୍ୟବହାରିକ ପଦକ୍ଷେପ ନିଆଯାଇପାରିଲେ BRICS ତାହାର ପ୍ରଭାବ ବଢ଼ାଇପାରିବ। ଅନ୍ୟପଟେ ସଦସ୍ୟ ଦେଶମାନଙ୍କ ଭିନ୍ନ ରଣନୀତିକ ଓ ଆର୍ଥିକ ସ୍ୱାର୍ଥ ମଧ୍ୟରେ ସମନ୍ୱୟ ରଖିବା ଭାରତୀୟ ଅଧ୍ୟକ୍ଷତା ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ହେବ। ଏହି ଦୁଇ ପକ୍ଷର ସନ୍ତୁଳନ ହିଁ ନୂଆଦିଲ୍ଲୀ BRICS ସମ୍ମିଳନୀର ପ୍ରକୃତ ସଫଳତାକୁ ନିର୍ଦ୍ଧାରଣ କରିବ।