ହୃଷିକେଶ ମିଶ୍ର

 


କେତେକ ସଭ୍ୟତା ଓ ସଂସ୍କୃତି କେବଳ ଇତିହାସର ପୃଷ୍ଠାରେ ଜୀବିତ ରହିଥାଆନ୍ତି । କିନ୍ତୁ ଆଉ କିଛି ନିଜର କାଳଜୟୀ କୃତି ମାଧ୍ୟମରେ କାଳ କାଳକୁ ଅମର ରହିଯାନ୍ତି ।  ଓଡ଼ିଶା ଆସେ ଦ୍ଵିତୀୟ ପ୍ରକାରରେ, ଯେଉଁଠି ପଥର ବି କୁହେ ଆମ ସଂସ୍କୃତି ଓ ଐତିହ୍ୟର ଗୌରବଗାଥା  । ଓଡ଼ିଶାର ସହର, ନଦୀ କୂଳ, ସୁନ୍ଦର ଭୁ-ଭାଗରେ ବ୍ୟାପିଥିବା ମନ୍ଦିର କେବଳ ଆସ୍ଥାର ପ୍ରତୀକ ନୁହେଁ, ମାତ୍ର ଓଡ଼ିଆଙ୍କ କଳାତ୍ମକ କୌଶଳ, ସାମାଜିକ ସଂଗଠନ ଓ ସାଂସ୍କୃତିକ ନିରନ୍ତରତାର ଜୀବନ୍ତ ପ୍ରମାଣ ଅଟେ । ଓଡ଼ିଶାର ମନ୍ଦିର ଭାରତୀୟ ଐତିହ୍ୟ ଓ ସଂସ୍କୃତିର ଏପରି କଥା କୁହନ୍ତି, ଯାହା ଏକାକୀ ଭାବେ ସ୍ଥାପତ୍ୟ ଓ ଆଧ୍ୟାତ୍ମିକତାକୁ ନେଇ ଚାଲିବା ସହ ଆମ ଭକ୍ତିକୁ ଆକାର ଦେଇଛି ଏବଂ ଆମ ପରିଚୟ ଭାବେ ଗଢି ତୋଳିଛି । 

 

ଏହାର ସବୁଠୁଁ ପ୍ରମୁଖ ବିଷୟ ହେଉଛି କଳିଙ୍ଗ ନିର୍ମାଣଶୈଳୀ ଓ ବାସ୍ତୁକଳା ଯାହା ଭାରତର ଅନ୍ୟତମ ସୁନ୍ଦର ଓ କ୍ଷେତ୍ରୀୟ ମନ୍ଦିର ପରମ୍ପରାଗୁଡ଼ିକ ମଧ୍ୟରେ ଅନ୍ୟତମ । ଏହି ଶୈଳୀର ବିଶେଷତା କେବଳ ଏହାର ସୁନ୍ଦରତା ନୁହେଁ, ଏହାର ନିରନ୍ତରତା । ପ୍ରାୟ ହଜାର ବର୍ଷ ଧରି, ୬ଷ୍ଠ-୭ମ ଶତାବ୍ଦୀରୁ ଆରମ୍ଭ କରି ୧୫-୧୬ତମ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଶାରେ ମନ୍ଦିର ବିନା କୌଣସି ବାଧାରେ ନିର୍ମାଣ ହୋଇଚାଲିଥିଲା, ଯେଉଁଠି ନିରନ୍ତର ଭାବେ ବିକାଶ ହେବା ସହିତ ମନ୍ଦିର ନିର୍ମାଣର ମୂଳ ସିଦ୍ଧାନ୍ତକୁ ସୁରକ୍ଷିତ ରଖାଯାଇଥିଲା । ଦେଶର ଅନ୍ୟ ଅଞ୍ଚଳମାନଙ୍କରେ ଯେଉଁଠି ରାଜବଂଶମାନଙ୍କୁ ନେଇ ମନ୍ଦିରର ନିର୍ମାଣ ଶୈଳୀ ପରିଚୟ ପ୍ରାପ୍ତ କରିଥାଏ, ସେଇଠି ଓଡ଼ିଶାର ମନ୍ଦିରମାନେ କଳିଙ୍ଗ ନିର୍ମାଣ ଶୈଳୀ ଦ୍ୱାରା ପରିଚିତ । ଆମ ରାଜ୍ୟର ମନ୍ଦିରମାନେ ରାଜନୈତିକ ପରିବର୍ତ୍ତନ ସତ୍ୱେ ଏକ ସ୍ଥାୟୀ ସାଂସ୍କୃତିକ ପରିଚୟ ବହନ କରନ୍ତି । 

 

ଏହି ସ୍ଥାପତ୍ୟର ପରମ୍ପରା ଷଷ୍ଠ ଶତାବ୍ଦୀରେ ଶୈଳୋଦ୍ଭବଙ୍କ ଶାସନକାଳରେ ଓଡ଼ିଶାରେ ହୋଇଥିବା ଧାର୍ମିକ ଓ ସାଂସ୍କୃତିକ ବିକାଶକୁ ପୁନର୍ଜାଗରଣର ପରାକାଷ୍ଠା କହିଲେ ଅତ୍ୟୁକ୍ତି ହେବ ନାହିଁ  । ଏହା କଳିଙ୍ଗ ନିର୍ମାଣ ଶୈଳୀର ମୁଳୁଦୁଆ ପକାଇଥିଲା ଯାହାକୁ ବିଭିନ୍ନ ରାଜବଂଶମାନେ ନିଜ ଶାସନ କାଳରେ ଏହାକୁ ଆହୁରି ମଜବୁତ କରିଥିଲେ । ଅଷ୍ଟମରୁ ଦଶମ ଶତାବ୍ଦୀ ପର୍ଯ୍ୟନ୍ତ ଶାସନ କରୁଥିବା ଭୌମକର ଏବଂ ଦଶମରୁ ଦ୍ଵାଦଶ ଶତାବ୍ଦୀରେ ଶାସନ କରୁଥିବା ସୋମବଂଶୀ ଶାସକମାନେ ଏହି ଶୈଳୀକୁ ଉନ୍ନତ ଓ ବିସ୍ତୃତ କରିଥିଲେ ଏବଂ ଦ୍ୱାଦଶ ଶତାବ୍ଦୀରୁ ପଞ୍ଚଦଶ ଶତାବ୍ଦୀ ପର୍ଯ୍ୟନ୍ତ ରାଜୁତି କରିଥିବା ଗଙ୍ଗ ବଂଶର ଶାସକମାନେ ଏହି ଭବ୍ୟତାକୁ ଅସୀମ କରି ଗଢି ତୋଳିଥିଲେ । ସୂର୍ଯ୍ୟବଂଶୀ ଗଜପତିଙ୍କ ସମୟରେ ମନ୍ଦିର ନିର୍ମାଣ ଜାରି ରହିଥିଲେ ମଧ୍ୟ ଏହି ସମୟରେ ଏହାର ନିର୍ମାଣ ସଂଖ୍ୟା ଅପେକ୍ଷାକୃତ ଭାବେ କମ୍ ରହିଥିଲା । ସଂଖ୍ୟାରେ କମ୍ ହୋଇଥିଲେ ମଧ୍ୟ ସେତେବେଳକୁ ଓଡ଼ିଶାର କଳାକାରମାନେ କୋଣାର୍କ ଭଳି ସ୍ଥାପତ୍ୟର ନିର୍ମାଣ କରି ସେମାନଙ୍କ କଳା ଶୈଳୀକୁ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିସାରିଥିଲେ । 

 

ଓଡ଼ିଶାର ମନ୍ଦିର ନିର୍ମାଣ ବାସ୍ତୁକଳା ଚାରୋଟି ଭାଗରେ ବିଭକ୍ତ କରାଯାଇପାରେ : ପ୍ରାରମ୍ଭିକ, ବ୍ୟାପକ, ପରିପକ୍ୱ ଏବଂ ପତନ । ପ୍ରାରମ୍ଭିକ ପର୍ଯ୍ୟାୟ ଷଷ୍ଠ ଶତାବ୍ଦୀରୁ ନବମ ଶତାବ୍ଦୀର ପ୍ରାରମ୍ଭ ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା, ଯାହା କଳିଙ୍ଗ ଶୈଳୀର ପ୍ରୟୋଗାତ୍ମକ ଆରମ୍ଭକୁ ଦର୍ଶାଇଥାଏ । ଏହି ସମୟରେ ନିର୍ମିତ ଲକ୍ଷ୍ମଣେଶ୍ୱର, ଭରତେଶ୍ୱର ଓ ପର୍ଶୁରାମେଶ୍ଵର ମନ୍ଦିରମାନଙ୍କ ନିର୍ମାଣ ଶୈଳୀ ସରଳ ହୋଇଥିଲେ ମଧ୍ୟ ଏହା କଳିଙ୍ଗ ବାସ୍ତୁକଳାର ପ୍ରଭାବଶାଳୀ ଶୈଳୀକୁ ଦର୍ଶାଇଥାଏ । ଏହି ମନ୍ଦିରଗୁଡ଼ିକ ମନ୍ଦିରର ଗର୍ଭଗୃହ, ବକ୍ରାକାର ଶିଖର ଭାଗ ଏବଂ ସୂକ୍ଷ୍ମ କଳାକୃତି ମାଧ୍ୟମରେ ଓଡ଼ିଶାର କଳା ଓ ସ୍ଥାପତ୍ୟର ଆଧାର ସ୍ଥାପନ କରିଥିଲା । 

 

ସେହିପରି ନବମ ଶତାବ୍ଦୀର ଉପରାନ୍ତରୁ ଏକାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଚାଲିଥିବା ବ୍ୟାପକ ପର୍ଯ୍ୟାୟରେ କଳିଙ୍ଗ ଶୈଳୀର ମନ୍ଦିରଗୁଡ଼ିକ ରୂପ, ଅଳଙ୍କାର ଏବଂ ଅଧିକ ପରିଷ୍କାର ଭାବେ ନିର୍ମିତ ହୋଇଥିଲା । ମୁକ୍ତେଶ୍ଵର, ଶିଶିରେଶ୍ୱର ଏବଂ ବେତାଳ ଦେଉଳ ଭଳି ମନ୍ଦିରରେ ନିର୍ମାଣର ସୁକ୍ଷ୍ମତା, ବିଶେଷ ଭାବେ ମନ୍ଦିର ଦ୍ୱାର, ମୂର୍ତ୍ତି ନିର୍ମାଣ ଏବଂ ସାଜସଜ୍ଜା ଯାହା ଏହି ସମୟର ନିର୍ମାଣ ଶୈଳୀରେ ନୂତନ ପ୍ରୟୋଗ ଏବଂ ଉତ୍କର୍ଷତା ମଧ୍ୟରେ ଏକ ସନ୍ତୁଳନକୁ ଦେଖାଇଥାଏ ।

 

ଏକାଦଶ ଶତାବ୍ଦୀରୁ ତ୍ରୟୋଦଶ ଶତାବ୍ଦୀ ପର୍ଯ୍ୟନ୍ତ ପରିବ୍ୟାପ୍ତ ପରିପକ୍ୱ ଭାଗ ଓଡ଼ିଶାର ସ୍ଥାପତ୍ୟ ପରମ୍ପରାର ସ୍ୱର୍ଣ୍ଣିମ ଯୁଗ ବୋଲି କୁହାଯିବ, କାରଣ ଏହି ସମୟରେ ସୋମବଂଶୀ ଏବଂ ପରେ ଗଙ୍ଗ ଶାସକଙ୍କ ଅଧୀନରେ ମନ୍ଦିର ନିର୍ମାଣ ଶୈଳୀ ସର୍ବୋଚ୍ଚ କଳାତ୍ମକ ଓ ସଂରଚନାତ୍ମକ ଉତ୍କର୍ଷତାରେ ପହଞ୍ଚିଥିଲା । ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଏହି ବିକାଶର ପ୍ରମୁଖ ଉଦାହରଣ ଅଟେ, ଯାହା କଳିଙ୍ଗ ନିର୍ମାଣ ଶୈଳୀର ସମସ୍ତ ପ୍ରମୁଖ ତତ୍ତ୍ୱଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ପ୍ରଦର୍ଶିତ କରିଥାଏ । ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଏବଂ କୋଣାର୍କ ସୂର୍ଯ୍ୟ ମନ୍ଦିରର ନିର୍ମାଣ ବାସ୍ତୁକଳାର ନିଦର୍ଶନ ଦେବା ସହ ଆସ୍ଥା ଏବଂ ଶକ୍ତିର ପ୍ରମୁଖ ଅଭିବ୍ୟକ୍ତି ସାଜିଥିଲା ।

 

ପତନ ଯୁଗ ଯାହା ଚତୁର୍ଦ୍ଦଶ ଶତାବ୍ଦୀରୁ ଆରମ୍ଭ କରି ଷୋଡ଼ଶ ଶତାବ୍ଦୀ ମଧ୍ୟରେ ମନ୍ଦିର ନିର୍ମାଣରେ ଆସିଥିବା ଅବନତିକୁ ଦର୍ଶାଏ । ଏହା କଳାତ୍ମକ ଦକ୍ଷତାର ଅଭାବ ଯୋଗୁଁ ନୁହେଁ, ବରଂ ପରିବର୍ତ୍ତନଶୀଳ ରାଜନୈତିକ ପ୍ରାଥମିକତାର ଫଳାଫଳ ଥିଲା । ସୂର୍ଯ୍ୟବଂଶୀ ଶାସକମାନେ ପ୍ରଶାସନିକ ବିଷୟ ଏବଂ ଯୁଦ୍ଧ ଆଦିରେ ବ୍ୟସ୍ତ ରହିବା ଯୋଗୁଁ ସେମାନେ ସ୍ଥାପତ୍ୟ ନିର୍ମାଣ ଅପେକ୍ଷା ସଂରକ୍ଷଣ ଉପରେ ପ୍ରାଧାନ୍ୟ ଦେଇଥିଲେ । ଅବଶ୍ୟ ଏହି ସମୟରେ  ଓଡ଼ିଶା ଭାଷା ଓ ସାହିତ୍ୟର ବିକାଶ ଦିଗରେ ବ୍ୟାପକ ଉଦ୍ୟମ ହୋଇଥିଲା । ତେବେ ମନ୍ଦିର ନିର୍ମାଣର ଏହି ମହାନ ପରମ୍ପରା ଧୀରେ ଧୀରେ ସମାପ୍ତ ହୋଇଗଲା ।

 

ଓଡ଼ିଶାର ମନ୍ଦିରଗୁଡ଼ିକର ଏକ ପ୍ରମୁଖ ବିଶେଷତା ହେଉଛି ସେମାନଙ୍କର ନିର୍ମାଣଗତ ପ୍ରକାରଭେଦ ବା ସଂରଚନାତ୍ମକ ବର୍ଗୀକରଣ । ଯେଉଁଠି ଭାରତୀୟ ସ୍ଥାପତ୍ୟ ଗ୍ରନ୍ଥଗୁଡ଼ିକ ମନ୍ଦିରଗୁଡ଼ିକୁ ବ୍ୟାପକ ଭାବେ ନାଗର, ଦ୍ରାବିଡ଼ ଏବଂ ବେସର ଶୈଳୀରେ ଅଲଗା କରନ୍ତି ସେଠାରେ ଓଡ଼ିଶାର ସ୍ଥାପତ୍ୟ କଳା ନଗର ଶୈଳୀ ମଧ୍ୟରେ ନିଜର ଅଲଗା ଏକ ପରିଚୟ ବହନ କରିଥାଏ । ‘ଶିଳ୍ପପ୍ରକାଶ’ ଏବଂ ‘ଭୁବନପ୍ରଦୀପ’ ଭଳି ଆଞ୍ଚଳିକ ଗ୍ରନ୍ଥଗୁଡ଼ିକ ମୁଖ୍ୟତଃ ତିନି ପ୍ରକାରର ମନ୍ଦିରର ବର୍ଣ୍ଣନା କରିଥାନ୍ତି ଯଥା : ରେଖା ଦେଉଳ, ପିଢା ଦେଉଳ ଏବଂ ଖାଖରା ଦେଉଳ ।

 

ରେଖା ଦେଉଳଗୁଡ଼ିକ ନିଜର ଉଚ୍ଚ ଏବଂ ବକ୍ରାକାର ଶିଖର ପାଇଁ ଜଣାଶୁଣା ଯାହା ଗର୍ଭଗୃହ ଉପରେ ସୁନ୍ଦର ଭାବେ ତୋଳାଯାଇଥାଏ । ଏହା ଅପୂର୍ବ କଳାର ଏକ ନିଦର୍ଶନ ଯାହା ପାର୍ଥିବ ଜଗତକୁ ଦିବ୍ୟତା ସହିତ ସଂଯୋଗ କରେ । ପିଢା ଦେଉଳରେ ପିରାମିଡ଼ ଭଳି ମୁନିଆ ଛାତ ନିର୍ମାଣ ଶୈଳୀ ଯାହା ଭୂସମାନ୍ତର ସ୍ତର ଦ୍ୱାରା ଗଠିତ, ସାଧାରଣତଃ ସଭା ଗୃହ କିମ୍ବା ଜଗମୋହନ ଆଦିରେ ଦେଖାଯାଏ । ଓଲଟା ଡଙ୍ଗା ଭଳି ନିର୍ମିତ ଖାଖରା ଦେଉଳଗୁଡ଼ିକର ନିର୍ମାଣ ସାଧାରଣତଃ ଶାକ୍ତ ମନ୍ଦିରଗୁଡ଼ିକୁ ପ୍ରଦର୍ଶିତ କରେ, ଯାହା ସାଧାରଣତଃ ସମସ୍ତ ଦେବୀ ମନ୍ଦିରଗୁଡ଼ିକରେ ଦେଖାଦେଇଥାଏ ।

ସମୟର ପରିବର୍ତ୍ତନ ସହ ଏହିସବୁ ନିର୍ମାଣଶୈଳୀକୁ ମିଶାଇ ଜଟିଳ ମନ୍ଦିର ନିର୍ମାଣ ଆରମ୍ଭ ହୋଇଥିଲା । ପ୍ରଥମରୁ ଯେଉଁଠି ମନ୍ଦିର ନିର୍ମାଣ କେବଳ ଗର୍ଭଗୃହ ଅଥବା ବିମାନ ପର୍ଯ୍ୟନ୍ତ ସୀମିତ ଥିଲା, ମାତ୍ର ପରବର୍ତ୍ତୀ ସମୟରେ ପ୍ରକ୍ରିୟା ବିକଶିତ ଓ ଜଟିଳ ହେବା ସହ ଅତିରିକ୍ତ ମନ୍ଦିରଗୁଡ଼ିକ ଏଥିରେ ଯୋଡ଼ି ହୋଇଗଲା । ଓଡ଼ିଶାର ପ୍ରମୁଖ ମନ୍ଦିରମାନଙ୍କରେ ସାଧାରଣତଃ ଚାରୋଟି ମୁଖ୍ୟ ଭାଗ ରହିଥାଏ - ଗର୍ଭଗୃହ (ବିମାନ), ଜଗମୋହନ (ସଭା ମଣ୍ଡପ), ନାଟମନ୍ଦିର (ନାଟ୍ୟ ମଣ୍ଡପ) ଏବଂ ଭୋଗମଣ୍ଡପ । ଏହିପରି କ୍ରମରେ ଓଡ଼ିଶାର ପ୍ରାୟ ଅନେକ ମନ୍ଦିରର ନିର୍ମାଣ କରାଯାଇଛି ଯାହା କାର୍ଯ୍ୟତ୍ମକ ଏବଂ ପ୍ରତୀକାତ୍ମକ ଉଭୟ ବ୍ୟବସ୍ଥାକୁ ପ୍ରଦର୍ଶିତ କରେ ।

ସ୍ଥାପତ୍ୟ ଉତ୍କର୍ଷତା ବ୍ୟତୀତ ଓଡ଼ିଶାର ମନ୍ଦିରଗୁଡ଼ିକରେ ସାମାଜିକ ଏବଂ ସାଂସ୍କୃତିକ ଜୀବନର ପରିଦୃଷ୍ଟି ଦେଖିବାକୁ ମିଳେ । ମନ୍ଦିରଗୁଡ଼ିକ କେବଳ ଧାର୍ମିକ କେନ୍ଦ୍ର ହେବା ପରିବର୍ତ୍ତେ ଏପରି ଏକ ଜୀବନ ସଂସ୍ଥାନ ପାଲଟିଥିଲେ ଯାହା ଶାସକ, ପୂଜକ, ଶିଳ୍ପୀ ଏବଂ ସ୍ଥାନୀୟ ସମୁଦାୟଙ୍କୁ ଏକସୂତ୍ରରେ ବାନ୍ଧି ରଖୁଥିଲା । ମନ୍ଦିର ନିର୍ମାଣ ଏକ ବିଶାଳ ଯୋଗାଯୋଗ ପ୍ରଣାଳୀର ଅଂଶ ଥିଲା ଯେଉଁଠି ବିଭିନ୍ନ ଶିଳ୍ପ ବିଶେଷଜ୍ଞମାନେ ନିଜ ନିଜ କଳାର ଯୋଗଦାନ ଦେଉଥିଲେ । ଏହି ପ୍ରକ୍ରିୟା ସ୍ୱତଃପ୍ରବୃର୍ତ୍ତ ଭାବେ ଏକ ସାମୁହିକ ଭକ୍ତିର ସ୍ଥାନ ପାଲଟିଯାଉଥିଲା, ଯେଉଁଠାରେ ଉଭୟ ଆସ୍ଥା ଓ କଳାର ନିଦର୍ଶନ ରହିଥିଲା । 

 

ମନ୍ଦିରର ସ୍ଥାନ ବାଛିବା ମଧ୍ୟ ସେବେକାର ଶାସକମାନଙ୍କର ପ୍ରାକୃତିକ ପରିବେଶ ପ୍ରତି ଥିବା ଗଭୀର ସମ୍ବେଦନଶୀଳତାକୁ ପରିପ୍ରକାଶ କରେ । ଅନେକଗୁଡିଏ ମନ୍ଦିର ନଦୀ, ଜଳାଶୟ କିମ୍ବା ପ୍ରାକୃତିକ ଜଳସ୍ରୋତ ନିକଟରେ ନିର୍ମାଣ ହୋଇଥିଲା, ଯାହା ମନ୍ଦିରଗୁଡ଼ିକର ଆଧ୍ୟାତ୍ମିକ ଏବଂ ପାରିସ୍ଥିତିକ ମହତ୍ୱ ପ୍ରତିପାଦନ କରେ । ମନ୍ଦିରମାଳିନୀ ସହର ଭାବରେ ବିଖ୍ୟାତ ଭୁବନେଶ୍ୱରରେ ଥିବା ମନ୍ଦିରଗୁଡ଼ିକ ଏହି ସମନ୍ୱୟର ଉତ୍କୃଷ୍ଟ ଉଦାହରଣ, ଯେଉଁଠି ମନ୍ଦିରଗୁଡ଼ିକ ସ୍ଥାପତ୍ୟ ଏବଂ ଭୌଗଳିକ ସ୍ଥିତିର ଏକ ସାମୁହିକ ନିଦର୍ଶନକୁ ଦର୍ଶାଇଥାଏ । ବିଭିନ୍ନ ଅଧ୍ୟୟନରୁ ଜଣା ପଡିଛି, ଏଠାକାର ମନ୍ଦିରଗୁଡ଼ିକ ଆଭିମୁଖ୍ୟ ଏକ ସମାନ ନୁହେଁ ମାତ୍ର ସମସ୍ତ ମନ୍ଦିରଗୁଡ଼ିକ ପ୍ରତୀକାତ୍ମକ ଭାବେ ଲିଙ୍ଗରାଜ ମନ୍ଦିର ସହ ଜଡ଼ିତ ଯାହା ଏହାର ମହତ୍ୱକୁ ପ୍ରତିପାଦନ କରେ ।

 

ଏହି ଆନୁଷ୍ଠାନିକ ପ୍ରଥାଗୁଡ଼ିକ ମନ୍ଦିର ଏବଂ ଜନସାଧାରଣଙ୍କ ମଧ୍ୟରେ ଥିବା ସମ୍ବନ୍ଧକୁ ଆହୁରି ମଜବୁତ କରିଥିଲା । ପର୍ବପର୍ବାଣି,  ସବୁଦିନିଆ ପୂଜା, ଅନ୍ୟ ଧାର୍ମିକ କାର୍ଯ୍ୟ ମନ୍ଦିରଗୁଡ଼ିକୁ ସାମାଜିକ ଜୀବନର  ସକ୍ରିୟ କେନ୍ଦ୍ର ଭାବେ ଗଢି ତୋଳିଥିଲେ । ପାର୍ଶ୍ୱ ଦେବଦେବୀଙ୍କ ଉପସ୍ଥିତି, ଜଟିଳ ମୂର୍ତ୍ତିକଳା, ମନ୍ଦିର ଦ୍ୱାରରେ ଗଜଲକ୍ଷ୍ମୀଙ୍କ ଆକୃତି ଭଳି ପ୍ରତୀକାତ୍ମକ ତତ୍ତ୍ୱ ମନ୍ଦିରଗୁଡ଼ିକୁ ଭାବାବେଗ ସହ ଯୋଡ଼ିଥାଏ । ଏହି ମନ୍ଦିରଗୁଡ଼ିକ ମଧ୍ୟ ବିଭିନ୍ନ ସାମାଜିକ ଭୂମିକାକୁ ଦର୍ଶାଇଥାଏ । 

 

ଓଡ଼ିଶାର ମନ୍ଦିରଗୁଡ଼ିକର ନିର୍ମାଣର ସବୁଠୁ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଏହାର ସ୍ଥାନୀୟ ପରିଚୟ ନିର୍ମାଣରେ ରହିଛି । ରାଜନୀତିକ ପରିସ୍ଥିତି ବଦଳୁଥିଲେ ମଧ୍ୟ କଳିଙ୍ଗ ବାସ୍ତୁକଳା ଏକ ସାଂସ୍କୃତିକ ପରିଚୟ ପ୍ରଦାନ କରିବାରେ ସମର୍ଥ ହୋଇଥିଲା । ମନ୍ଦିରଗୁଡ଼ିକ ସାମାଜିକ ସମରସତାର ପ୍ରତୀକ ସାଜି ବିଭିନ୍ନ କ୍ଷେତ୍ର ଓ ସମୁଦାୟକୁ ଏକତ୍ର କରିଥିଲେ । ଓଡ଼ିଶାର ଶାସକମାନେ ଏହି ଶକ୍ତିକୁ ବୁଝିପାରି ମନ୍ଦିର ନିର୍ମାଣକୁ ସକ୍ରିୟ ଭାବେ ସଂରକ୍ଷିତ କରି ରଖିଥିଲେ । ପ୍ରମୁଖ ଧାର୍ମିକ କେନ୍ଦ୍ର ଓ ପନ୍ଥ ସ୍ଥାପନ କରିବା ସହ ସେମାନେ ଏହାକୁ ନିଜ ପରିଚୟ ସହ ଯୋଡ଼ି ନିଜର ସତ୍ତାକୁ ଆହୁରି ସୁଦୃଢ଼ କରିଥିଲେ । ବିଶେଷ କରି ଜଗନ୍ନାଥ ସଂସ୍କୃତି ଏହି ପ୍ରକ୍ରିୟାରେ ସବୁଠୁ ମହତ୍ତ୍ୱପୂର୍ଣ୍ଣ ଭୂମିକା ବହନ କରିଥିଲା, ଯାହା ସ୍ଥାନୀୟ ଓ କ୍ଷେତ୍ରୀୟ ପରମ୍ପରାକୁ ଏକତ୍ର କରିବା ସହ ସାମାଜିକ ବିଭାଜନକୁ ଦୂର କରି ସାମୁହିକ ପରିଚୟ ନିର୍ମାଣରେ ସହାୟକ ହେଲା । ଯାହାଫଳରେ ପୁରୀର ଶ୍ରୀ ମନ୍ଦିର କେବଳ ଧାର୍ମିକ ସ୍ଥଳ ନୁହେଁ, ସମଗ୍ର ଅଞ୍ଚଳର ସାଂସ୍କୃତିକ କେନ୍ଦ୍ର ପାଲଟିଥିଲା । 

 

କଳାତ୍ମକ ଦୃଷ୍ଟିରେ ଦେଖିଲେ, କଳିଙ୍ଗ ମନ୍ଦିର ନିର୍ମାଣ ଶୈଳୀ ବିଭିନ୍ନ ବାହ୍ୟ ପ୍ରଭାବର ଏକ ଅଦ୍ଭୁତ ସଙ୍ଗମ ଦର୍ଶାଇଥାନ୍ତି । ଉତ୍ତର ଭାରତୀୟ ମନ୍ଦିରଗୁଡ଼ିକ ସାଧାରଣତଃ ନାଗର ଶୈଳୀରେ ନିର୍ମାଣ ହୋଇଥିବା ବେଳେ ଓଡ଼ିଶାର ନିର୍ମାଣ ଶୈଳୀ ଏକ ସ୍ବତନ୍ତ୍ର ଅଭିବ୍ୟକ୍ତିକୁ ଦେଖାଇଥାଏ, ଯେଉଁଠି ପଡୋଶୀ ଅଞ୍ଚଳର ଓ ପୂର୍ବବର୍ତ୍ତୀ ପରମ୍ପରାକୁ ଆପଣା ଯାଇଥିଲା ସତ, ମାତ୍ର ଏହାକୁ ସ୍ଥାନୀୟ ସୌନ୍ଦର୍ଯ୍ୟବୋଧ ଏବଂ ସାଂସ୍କୃତିକ ପ୍ରଣାଳୀ ଅନୁସାରେ ପରିବର୍ତ୍ତନ କରାଯାଇଥିଲା । ବାହ୍ୟ ପ୍ରଭାବ ଏବଂ ଅନ୍ତରୀଣ ନବାଚାର ସତ୍ତ୍ୱେ ନିର୍ମାଣ ଶୈଳୀରେ ଏହି ସନ୍ତୁଳନ, କଳିଙ୍ଗ ବାସ୍ତୁକଳାର ଏକ ଅନନ୍ୟ ନିଦର୍ଶନ । 

 

ଗତ ଦୁଇ ଶତାବ୍ଦୀ ଧରି, ବିଦ୍ୱାନମାନେ ଏହି ସମୃଦ୍ଧ ଐତିହ୍ୟକୁ ଅଧ୍ୟୟନ ଏବଂ ବ୍ୟାଖ୍ୟା କରିବାକୁ ଚେଷ୍ଟା କରିଛନ୍ତି । ପ୍ରାରମ୍ଭିକ ବିବରଣୀଗୁଡ଼ିକ ବର୍ଣ୍ଣନାତ୍ମକ ଥିଲା, ମାତ୍ର ପରବର୍ତ୍ତୀ ଅଧ୍ୟୟନଗୁଡ଼ିକ କାଳକ୍ରମେ, ଶୈଳୀ ବିକାଶ ଏବଂ ମୂର୍ତ୍ତିକଳା ଉପରେ କେନ୍ଦ୍ରିତ ହୋଇଥିଲା ।  ସାମ୍ପ୍ରତିକ ଅଧ୍ୟୟନ ଏହା ଦର୍ଶାଏ ଯେ, ମନ୍ଦିରଗୁଡ଼ିକୁ କେବଳ ସ୍ଥାପତ୍ୟ ବସ୍ତୁ ଭାବରେ ନୁହେଁ ବରଂ ଐତିହାସିକ, ସାମାଜିକ ଏବଂ ସାଂସ୍କୃତିକ ଶକ୍ତି ଦ୍ୱାରା ଆକୃତିପ୍ରାପ୍ତ ଜୀବନ୍ତ ଅନୁଷ୍ଠାନ ଭାବରେ ଦେଖାଯାଉଥିଲା । ଏହି ଅଧ୍ୟୟନଗୁଡ଼ିକ ମାଧ୍ୟମରେ ସ୍ପଷ୍ଟ ହେଉଛି, ମନ୍ଦିରଗୁଡ଼ିକ ପ୍ରାଚୀନ ଏବଂ ମଧ୍ୟଯୁଗୀୟ ଓଡ଼ିଶାର ସାମାଜିକ ଜୀବନର କେନ୍ଦ୍ରବିନ୍ଦୁ ଥିଲା । ଏହା ମଧ୍ୟ ଆର୍ଥିକ କାର୍ଯ୍ୟକଳାପ, ଶିକ୍ଷାର ଏବଂ ସାଂସ୍କୃତିକ ଆଦାନପ୍ରଦାନର କେନ୍ଦ୍ର ଥିଲେ । ଦାନ, ଅନୁଦାନ ଏବଂ ଭୂମି ଅନୁଦାନ ଭଳି ବ୍ୟବସ୍ଥା ସ୍ଥାନୀୟ ଅର୍ଥନୀତିର ବିକାଶରେ ଅବଦାନ ଦେଇଥିଲା । ଅନୁଷ୍ଠାନ  ବିଶେଷଜ୍ଞ, କାରିଗର ଏବଂ ପ୍ରଶାସକଙ୍କ ଏକ ଜଟିଳ ବ୍ୟବସ୍ଥା ଅନେକ ବର୍ଷ ଧରି ମନ୍ଦିରଗୁଡ଼ିକର ପରିଚାଳନା କରିବାରେ ସମର୍ଥ ହୋଇଥିଲା ।

 

ଏହି ମନ୍ଦିରଗୁଡ଼ିକ ସ୍ଥାନୀୟ ଇତିହାସର ଗତିଶୀଳତାକୁ ମଧ୍ୟ ପ୍ରତିଫଳିତ କରନ୍ତି। ରାଜନୈତିକ ଶକ୍ତିମାନଙ୍କ ବିସ୍ତାର ଏବଂ ସଂକୁଚିତ ହେବା ସହିତ, ଭାରତର ଅନ୍ୟାନ୍ୟ ଅଞ୍ଚଳ ସହିତ ଓଡ଼ିଶାର ସଂଯୋଗ ବୃଦ୍ଧି ପାଇଲା, ଯାହା ଫଳରେ ଚିନ୍ତାଧାରା ଏବଂ କଳାତ୍ମକ ପ୍ରଭାବର ଆଦାନପ୍ରଦାନ ସମ୍ଭବ ହେଲା । ତଥାପି, ଏହି ସମସ୍ତ ପ୍ରଭାବ ସତ୍ତ୍ୱେ, ଓଡ଼ିଶାର ମନ୍ଦିର ସ୍ଥାପତ୍ୟର ମୂଳ ପରିଚୟ ଅକ୍ଷୁର୍ଣ୍ଣ ରହିଥିଲା । ଏହି ସ୍ଥାୟୀତ୍ୱ ସ୍ଥାନୀୟ ପରମ୍ପରାର ଶକ୍ତି ଏବଂ ଲୋକଙ୍କ ସାଂସ୍କୃତିକ ଐତିହ୍ୟ ସହିତ ଗଭୀର ସମ୍ପର୍କର ପ୍ରମାଣ ।

 

ଆଧୁନିକ ସମୟରେ ମଧ୍ୟ, ଓଡ଼ିଶାର ମନ୍ଦିରଗୁଡ଼ିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ସେମାନେ ଭାରତ ଏବଂ ବିଦେଶରୁ ତୀର୍ଥଯାତ୍ରୀ, ବିଦ୍ୱାନ ଏବଂ ପର୍ଯ୍ୟଟକଙ୍କୁ ଆକର୍ଷିତ କରନ୍ତି ଏବଂ ଭାରତର ସ୍ଥାପତ୍ୟ ଏବଂ ଆଧ୍ୟାତ୍ମିକ ପରମ୍ପରାକୁ ବୁଝିବା ପାଇଁ ଏକ ମାଧ୍ୟମ ଭାବରେ କାର୍ଯ୍ୟ କରନ୍ତି । ସହରୀକରଣ, ପରିବେଶଗତ ଅବକ୍ଷୟ ଏବଂ ସମୟର ପ୍ରଭାବ ଯୋଗୁଁ ଅନେକ ସ୍ଥାପତ୍ୟ ନଷ୍ଟ କିମ୍ବା କ୍ଷତିଗ୍ରସ୍ତ ହୋଇଛି । ଏହ ସର୍ଭେରୁ ଜଣା ପଡ଼ିଛି  ଯେ ଗତ ଶତାବ୍ଦୀରେ ଭୁବନେଶ୍ୱର ଭଳି ଅଞ୍ଚଳରେ ମନ୍ଦିର ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି । ମନ୍ଦିର ସଂରକ୍ଷଣର ଆବଶ୍ୟକତାକୁ ବୁଝିବା ଓ ଏହାକୁ ପ୍ରାଥମିକତା ଦେବାର ଆବଶ୍ୟକତା ରହିଛି ।

 

ତଥାପି, ଏହି ମନ୍ଦିରଗୁଡ଼ିକ ଆଜି ବି ଜୀବିତ ରହିଛନ୍ତି । ସେମାନେ କେବଳ ଭକ୍ତି ନୁହେଁ ବରଂ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ପ୍ରତି ଗୌରବର ଭାବନାକୁ ପ୍ରଦର୍ଶିତ କରିଥାନ୍ତି । ଐତିହାସିକ ଏବଂ ପ୍ରତ୍ନତତ୍ତ୍ୱବିତ୍  ମାନଙ୍କ  ପାଇଁ, ସେମାନେ ଅତୀତର ଅମୂଲ୍ୟ ଝଲକ । କଳାକାର ଏବଂ ସ୍ଥପତିଙ୍କ ପାଇଁ, ସେମାନେ ଉତ୍କୃଷ୍ଟ ଡିଜାଇନର ଉଦାହରଣ ଏବଂ ଓଡ଼ିଶାବାସୀଙ୍କ ପାଇଁ ମନ୍ଦିରଗୁଡ଼ିକ ସେମାନଙ୍କର ପରିଚୟ ଏବଂ ନିରନ୍ତରତାର ଜୀବନ୍ତ ପ୍ରତୀକ ।

 

ପରିଶେଷରେ, ଓଡ଼ିଶାର ମନ୍ଦିରଗୁଡ଼ିକ କେବଳ ପ୍ରସ୍ତର ଏବଂ ଭାସ୍କର୍ଯ୍ୟର କାହାଣୀ ନୁହେଁ,  ସେମାନେ କଳା ଏବଂ ଭକ୍ତି ମାଧ୍ୟମରେ କିପରି ଏକ ଅଞ୍ଚଳ ନିଜର ପରିଚୟ ଗଢ଼ିଥିଲା ​​ତାହାର ସମଗ୍ର ବିଶ୍ୱକୁ ଜଣାଇଥାନ୍ତି । କିପରି ଭିନ୍ନ ଭିନ୍ନ ସମ୍ପ୍ରଦାୟଗୁଡ଼ିକ ଏକ ସ୍ଥାୟୀ ଏବଂ ମହାନ କଳାକାରୀ ସୃଷ୍ଟି କରିବାକୁ ଏକାଠି ହୋଇଥିଲେ ଏବଂ କିପରି ଏହି ଐତିହ୍ୟ ବର୍ତ୍ତମାନକୁ ଆକାର ଦେଇ ଚାଲିଛି । ମନ୍ଦିରଗୁଡ଼ିକର ଉଚ୍ଚ ଶିଖର ଏବଂ ଜଟିଳ କାରୁକାର୍ଯ୍ୟ କେବଳ କାରିଗରଙ୍କ ଦକ୍ଷତା ନୁହେଁ ବରଂ ଏକ ଉତ୍କଳୀୟ ସଭ୍ୟତାକୁ ମଧ୍ୟ ପ୍ରତିଫଳିତ କରିଥାଏ ।

 

ଓଡ଼ିଶାର ମନ୍ଦିରଗୁଡ଼ିକରେ ଦର୍ଶନ କରିବା ଅଧ୍ୟାତ୍ମର ଦିବ୍ୟ ଅନୁଭବ ସହିତ ଇତିହାସକୁ ଜୀବନ୍ତ ସ୍ଵରୂପରେ ଦେଖିବା ପରି । ଏହା ଆମର ପରିଚୟ, ଆମ ପୂର୍ବ ପୁରୁଷଙ୍କ ସହିତ ଯୋଡ଼ି ହେବାର ମାଧ୍ୟମ । 

(ଲେଖକ ଗଣମାଧ୍ୟମ ଓ ଲୋକସମ୍ପର୍କ ବିଶେଷଜ୍ଞ ତଥା ଶିକ୍ଷାବିତ୍) 

Share This Article 0 shares

Continue Reading

View All ଅତିଥି ସ୍ତମ୍ଭ →