ଶ୍ରୁତି ପଟ୍ଟନାୟକ

 

“ସୃଷ୍ଟି ସ୍ଥିତି ବିନାଶାନାଂ

ଶକ୍ତିଭୂତେ ସନାତନୀ ।

ଗୁଣାଶ୍ରେୟ ଗୁଣମୟେ

ନାରାୟଣୀ ନମୋସ୍ତୁତେ”।।

ଆର୍ଯ୍ୟାବର୍ତ୍ତ ଭାରତ ଭୂଖଣ୍ଡେ ବହୁ ଧାର୍ମିକ ପରମ୍ପରାର ସହାବସ୍ଥାନ ପ୍ରାଚୀନ କାଳରୁ ରହିଆସିଛି ।  କାଳର କରାଳ ଗର୍ଭରେ କେତେକ ପରମ୍ପରା ଉଭେଇ ଯାଇଥିବା ବେଳେ ଆଉ କେତେକ ସେହି ଆବାହମାନ କାଳରୁ ଚାଲି ଆସିଛି । ସାମାଜିକ ବିବର୍ତ୍ତନ ସତ୍ୱେ ଅନାଦିକାଳରୁ ଭାରତର ଶାକ୍ତ ପରମ୍ପରା ଆମ ସଂସ୍କୃତିର ଅଭିନ୍ନ ଅଙ୍ଗ ପାଲଟିଛି । ହିନ୍ଦୁ ଧର୍ମର ପଞ୍ଚ ପରମ୍ପରା ମଧ୍ୟରୁ ଶାକ୍ତ ପରମ୍ପରା ଅନ୍ୟତମ । ଯେଉଁମାନେ ‘ଶକ୍ତି’ ବା ଦେବୀ ଆରାଧନା କରନ୍ତି, ସେମାନଙ୍କୁ ‘ଶାକ୍ତ’ ବା ‘ଶାକ୍ତ ମତାବଲମ୍ବି’ କୁହାଯାଏ । ବୈଦିକ ଯୁଗରେ ଏବଂ ପ୍ରାଗ୍ ଐତିହାସିକ ଯୁଗରେ ନାରୀ ଶକ୍ତିକୁ ପୂଜା କରାଯାଉଥିଲା । ପରବର୍ତ୍ତୀ ସମୟରେ ବୌଦ୍ଧ ଓ ଜୈନ ମତର ବିକାଶ ସହିତ ତନ୍ତ୍ର ସାଧନାର ପରମ୍ପରା ମଧ୍ୟ ନିଜର ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କଲା । ଭାରତରେ ବିଭିନ୍ନ ମତାବଲମ୍ବୀମାନଙ୍କ ମଧ୍ୟରେ ଶୈବ, ଶାକ୍ତ, ଗାଣପତ୍ୟ, ବୌଦ୍ଧ, ଜୈନ, ବୈଷ୍ଣବ ଇତ୍ୟାଦି ସମ୍ପ୍ରଦାୟ ରହିଛନ୍ତି । ଏହା ସହିତ ଓଡ଼ିଶା ସମେତ ଭାରତର କେତେକ ସ୍ଥାନରେ ‘ପା’ ସମ୍ପ୍ରଦାୟ ବିକଶିତ ହୋଇଥିଲା । ସେମାନଙ୍କ ମଧ୍ୟରେ ହାଡିପା, ଢେଙ୍କିପା ଇତ୍ୟାଦି ରହିଥିଲେ । ଏମାନେ କଠୋର ଯୋଗ ସାଧକ ଥିଲେ । 

ଆମ ଦେଶ ତଥା ରାଜ୍ୟ କଥା ବିଚାରକୁ ନେଲେ ଜଣାଯାଏ ଯେ ଅସଂଖ୍ୟ ଶାସ୍ତ୍ର, ପୁରାଣ, କିମ୍ବଦନ୍ତୀ, ପ୍ରତ୍ନତାତ୍ତ୍ୱିକ ଖନନ, ଐତିହାସିକ ପ୍ରମାଣରୁ ଦେବୀ ଆରାଧନା କାହିଁ କେଉଁ ଆବାହମାନ କାଳରୁ ରହିଆସିଛି, ତାର କୌଣସି ଇୟତା ନାହିଁ । ରାଣୀପୁର ଝରିଆଲଠାରୁ ଆରମ୍ଭ କରି ହୀରାପୁର ଚଉଷଠି ଯୋଗିନୀଙ୍କ ପର୍ଯ୍ୟନ୍ତ ଏହାର ଜ୍ୱଳନ୍ତ ପ୍ରମାଣ ଆଜି ମଧ୍ୟ ମୂକସାକ୍ଷୀ ଭାବେ ବିଦ୍ୟମାନ । ଶୈବ ପରମ୍ପରାରେ ଦେବଦେବ ମହାଦେବଙ୍କର ଆରାଧନା କରାଯାଏ । ହେଲେ ‘ଶିବ’ ଓ ‘ଶକ୍ତି’ ପରସ୍ପର ପୂରକ । ଶକ୍ତିଙ୍କ ବିନା ଶିବଙ୍କର ଉପାସନା ସମ୍ପୂର୍ଣ ହୁଏ ନାହିଁ । ଆନନ୍ଦ ଲହରୀରେ ଉଲ୍ଲେଖ ଅଛି- 

 

“ଶିବଃ ଶକ୍ତ୍ୟା ଯୁକ୍ତୋ ଯଦି ଭବତି ଶକ୍ତଃ ପ୍ରଭବିତୁମ୍ ।

ନ ଚେତ୍ ଏବଂ ଦେବ, ନ ଖଲୁ କୁଶଳଃ ସ୍ପନ୍ଦିତୁମପି ।”

 

ତେଣୁ ତାଙ୍କୁ “ଅର୍ଦ୍ଧାଙ୍ଗ ଈଶ୍ୱର ଓ ଅର୍ଦ୍ଧାଙ୍ଗ ପାର୍ବତୀ” ବୋଲି କୁହାଯାଇଛି । ଅର୍ଥାତ୍ ଶୈବ ଓ ଶାକ୍ତ ପରମ୍ପରା ପରସ୍ପର ଅଙ୍ଗାଙ୍ଗିଭାବେ ପରିପୂରକ ଥିଲା ଏବଂ ଆଜି ମଧ୍ୟ ରହିଛି । 

ଉଡ୍ରାଖ୍ୟଂ ପ୍ରଥମଂ ପୀଠଂ ଦ୍ଵିତୀୟଂ ଜାଳଶୈଳକମ୍ ।

ତୃତୀୟଂ ପୂର୍ଣ୍ଣପୀଠଂ ତୁ କାମରୂପଂ ଚତୁର୍ଥକମ୍ ॥

 

ଇନ୍ଦ୍ର, ଚନ୍ଦ୍ର, ବରୁଣ, କୁବେର ଆଦି ତେତ୍ରିଶକୋଟି ଦେବତା, ଏପରିକି ନିଜେ ସଂହାର କର୍ତ୍ତା ଶିବ, ସୃଷ୍ଟିକର୍ତ୍ତା ବ୍ରହ୍ମା ଏବଂ ପାଳନ କର୍ତ୍ତା ସ୍ୱୟଂ ଭଗବାନ ବିଷ୍ଣୁ ଯେତେବେଳେ ମହିଷାସୁର ବଧ କରିବାରେ ବିଫଳ ହେଲେ, ସେତେବେଳେ ସବୁ ଦେବତା, ଦେବୀ ଆରାଧନା କରିଥିଲେ । ଅଗ୍ନି ସମ୍ଭୁତା ଦୁର୍ଗତି ନାଶିନୀ ମା’ ଦୁର୍ଗା ଆବିର୍ଭାବ ହୋଇ ମହିଷାସୁରକୁ ବଧ କରିଥିଲେ । ଏଠାରେ ଦୁର୍ଗା ସର୍ବଶକ୍ତି ଧାରିଣୀ ଭାବେ ଆବିର୍ଭାବ ହୋଇଥିଲେ ।

ଶାକ୍ତ ପରମ୍ପରା ଅନୁଯାୟୀ କାଳିକାପୁରାଣରେ ଉଡ୍ର, ଜାଳଶୈଳ, ପୂର୍ଣ୍ଣଶୈଳ ଓ କାମରୂପ ନାମରେ ଚାରୋଟି ପ୍ରଧାନ ତନ୍ତ୍ରପୀଠର ନାମ ଉଲ୍ଲେଖ ଅଛି । ଦ୍ୱିତୀୟ ପୀଠ ଜାଳଶୈଳ କେତେକ ସ୍ଥଳରେ ଜାଳନ୍ଧର ନାମରେ ବର୍ଣ୍ଣିତ ହୋଇଥିବାର ଦେଖାଯାଏ । କୁଳଚୂଡ଼ାମଣି ତନ୍ତ୍ରରେ (୬.୩-୭) ଉକ୍ତ ଚାରୋଟି ନାମ ସହିତ କାମାଖ୍ୟାକୁ ନେଇ ପାଞ୍ଚୋଟି ପୀଠର ଉଲ୍ଲେଖ ଅଛି । ବାର୍ହସ୍ପତ୍ୟ ସୂତ୍ର ଅନୁସାରେ ଉଡ୍ରଦେଶ, ଜାଳଶୈଳ, କାମରୂପ, ପୂର୍ଣ୍ଣଗିରି, କୋହ୍ଲ, ଶ୍ରୀଶୈଳ, କାଞ୍ଚୀ ଓ ମହେନ୍ଦ୍ର ନାମରେ ଆଠୋଟି ଶାକ୍ତପୀଠ ପ୍ରସିଦ୍ଧିଲାଭ କରିଥିବାର ଜଣାଯାଏ । ଏହି ନାମସୂଚୀର ପ୍ରଥମ ନାମଟି ଉଡ୍‌ଡିୟାନକୁ ହିଁ ଲକ୍ଷ୍ୟ କରାଯାଇଥିବାର ମନେହୁଏ ।

ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି, ଐତିହ୍ୟ, ମନ୍ଦିର ଗାତ୍ରଠାରୁ ଆରମ୍ଭ କରି ପର୍ବ ପର୍ବାଣୀ ପର୍ଯ୍ୟନ୍ତ ଦେବୀ ଚର୍ଯ୍ୟା ଓ ନାରୀବାଦ ଛତ୍ରେ ଛତ୍ରେ ପୁରି ରହିଛି । ରାଜରାଜୁଡା ଶାସନ ସମୟରେ ଭଗବତୀ ଜଗଦମ୍ବିକା ଗଡ଼ଚଣ୍ଡୀ ରୂପରେ ପୂଜୀତ ହେଉଥିଲେ । ଅର୍ଥାତ୍ ସେ ଥିଲେ ଗଡ଼ର ରକ୍ଷାକର୍ତ୍ତ୍ରୀ । ତେଣୁ ରାଜାମାନେ ରାଜ୍ୟ ସୁରକ୍ଷା ତଥା ନିଜ ଗଡ଼ର ସୁରକ୍ଷା ପାଇଁ ଶକ୍ତି ପୂଜା କରୁଥିଲେ । ଆଜି ସେ ରାଜରାଜୁଡା ଶାସନ ନଥିଲେ ମଧ୍ୟ ଭଗ୍ନସ୍ତୁପ ମଧ୍ୟରେ ଗଡ଼ଚଣ୍ଡୀଙ୍କ ପୂଜା ବିଧି ରହିଛି । 

 

ଗାଁର ସୁରକ୍ଷା କଥା ଭଲ ମନ୍ଦ ପାଇଁ କାହିଁ କେଉଁ ଆଦିମ କାଳରୁ ଗ୍ରାମ ଦେବତୀ ପୂଜା ପାଇ ଆସୁଛନ୍ତି । ଅତୀତରେ ଗାଁ ମୁଣ୍ଡରେ ଥିବା କେଉଁ ବୃକ୍ଷ ମୂଳରେ କିମ୍ବା କେଉଁ ପଥରରେ ଚୂଆ ସିନ୍ଦୁର ମାରି ଗ୍ରାମ ଦେବତୀ ଭାବେ ପୂଜା କରାଯାଉଥିଲା । ଗାଁ ମୁଣ୍ଡରେ ପୂଜା କରିବାର ଅର୍ଥ ହେଉଛି ଯେ କୌଣସି ବାହ୍ୟ ଶତ୍ରୁ, ମୁଖ୍ୟତଃ ଅଦୃଶ୍ୟ ଶତ୍ରୁଶକ୍ତି ଯଥା-ବାଡି (ହଇଜା), ବସନ୍ତ ପରି ମହାମାରୀ ବା ବିଭିନ୍ନ ପ୍ରକାର ମାରାତ୍ମକ ରୋଗ ବୈରାଗ ଆସିଲେ ମା’ ତା’ର ପ୍ରତିହତ କରିବେ ବୋଲି ଲୋକମାନଙ୍କ ମନରେ ଦୃଢ଼ ବିଶ୍ୱାସ ଥିଲା । ଯଦି ବି କିଛି ରୋଗ ବଇରାଗ ହେଉଥିଲା ତେବେ ଲୋକେ ସେହି ମା’ଙ୍କ ନିକଟରେ ଗୁହାରିଆ ପଡୁଥିଲେ ଏବଂ ପୂଜାଧ୍ୱଜା କରୁଥିଲେ । ଯାହା ଆଜି ମଧ୍ୟ ଆଦିବାସୀ ଅଂଚଳଠାରୁ ଆରମ୍ଭ କରି ଉପକୂଳ ଅଂଚଳ ପର୍ଯ୍ୟନ୍ତ ରହିଆସିଛି । ଆଜି ମଧ୍ୟ ନବ ଦିନାତ୍ମକ ପୂଜା କିମ୍ବା ଚୈତ୍ରମାସ ମଙ୍ଗଳବାର ଦିନ ଗ୍ରାମଦେବତୀଙ୍କ ନିକଟରେ ପୂଜା ମହୋତ୍ସବ ପାଳନ କରାଯାଉଛି । ଚୈତ୍ର ମାସରେ ‘ଜନ୍ତାଳ’ ଭୋଗ କରାଯାଉଛି । ଓଡ଼ିଶାର ଗ୍ରାମାଞ୍ଚଳରେ ମକର ପର୍ବ, ଚଇତି ପର୍ବ, ନୂଆଖାଇ, ମାଣବସା ବା ଲକ୍ଷ୍ମୀପୂଜା, ସରସ୍ୱତୀ ପୂଜା, ମଙ୍ଗଳା ଓଷା ବା ଖୁଦୁରୁକୁଣୀ ଓଷା, ଜହ୍ନି ଓଷା ବା ଜହ୍ନି ପୂଜା, ଦୁର୍ଗା ପୂଜା, ବାସନ୍ତୀ ପୂଜା, ବୁଧେଇ ସୁଧେଇ ପୂଜା, ଦଣ୍ଡ ନୃତ୍ୟ ଇତ୍ୟାଦି ପରମ୍ପରା ଭିନ୍ନ ଭିନ୍ନ ରୂପରେ ସେହି ଜଗତ ଜନନୀଙ୍କ ଉପସନାର ଗୋଟିଏ ଗୋଟିଏ ନିର୍ବିବାଦୀୟ ଉଦାହରଣ । ଘର ଅନୁକୂଳଠାରୁ ଆରମ୍ଭ କରି କୌଣସି ଶୁଭ କାର୍ଯ୍ୟ କଲେ,ପଞ୍ଚବ୍ରହ୍ମଙ୍କୁ ପ୍ରାର୍ଥନା କରାଯାଏ, ତନ୍ମଧ୍ୟରେ ଦେବୀଙ୍କୁ ମଧ୍ୟ ସ୍ମରଣ କରାଯାଏ। କୌଣସି କାମ ହେବା ପାଇଁ ଆଜି ମଧ୍ୟ ଠାକୁରାଣୀଙ୍କ ନିକଟରେ ‘ଯାଚଙ୍ଗା’ କରାଯାଏ ।

ଏଠାରେ କହି ରଖିବାକୁ ଚାହେଁ ଯେ, ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀ ବେଳକୁ ଓଡ଼ିଶାରେ ଚାରୁକାର୍ଯ୍ୟ ଖଚିତ ଶାକ୍ତ ମନ୍ଦିରମାନ ଗଢିଉଠିଥିଲା । ସେହି କଲଖଣ୍ଡରେ ଭାରତର ଅନ୍ୟ କୌଣସିଠାରେ ଏପରି ମନ୍ଦିର ଦେଖିବାକୁ ମିଳିନାହିଁ ବୋଲି ଐତିହାସିକ ରମେଶ ଚନ୍ଦ୍ର ଦତ୍ତ ତାଙ୍କ ‘Ancient India’ ପୁସ୍ତକରେ ଉଲ୍ଲେଖ କରିଛନ୍ତି । 

“Hindu Temples architecture commences with the 6th century A.D. nevertheless except in Orissa, the specimens of Hindu Temples of the sixth, Seventh, eighth and even nineth centuries are rare. From the latter end of the nineth century Hindu Temples multiply all over India.”

ସେଥିପାଇଁ ଆଜି ମଧ୍ୟ ପ୍ରତି ଗାଁରେ ଗ୍ରାମ ଦେବତୀ ପୂଜା ପାଉଛନ୍ତି। ଓଡ଼ିଶାର ଏମିତି କେଉଁ ଗ୍ରାମ ନାହିଁ,ଯେଉଁଠାରେ ଗ୍ରାମଦେବତୀ ନାହାଁନ୍ତି। କେବଳ ସେତିକି ନୁହେଁ, ବନଦେବୀ ଭାବରେ ଓଡିଶାର ବିଭିନ୍ନ ସ୍ଥାନରେ ମଧ୍ୟ ଦେବୀ ଆରାଧନା କରାଯାଉଛି। ଓଡିଶାର ଅନ୍ୟତମ କୃଷିଭିତ୍ତିକ ପର୍ବ ହେଉଛି ‘ରଜ ପର୍ବ’ । ଏହି ରଜ ପର୍ବ ମାତୃଶକ୍ତି ପୂଜନର ଅନନ୍ୟ ଉଦାହରଣ । ପୃଥିବୀ ମାତା ରଜବତୀ ହୁଏ । ତେଣୁ ଚାରିଦିନ ପର୍ଯ୍ୟନ୍ତ ଏହାକୁ ନିଷ୍ଠାର ସହ ପାଳନ କରନ୍ତି । ନାରୀଟିଏ ରଜବତୀ ହେଲେ ଯେଉଁ ବିଧିବିଧାନ ପାଳନ କରାଯାଏ, ପୃଥିବୀ ମାତା ପାଇଁ ମଧ୍ୟ ସମାନ ବିଧିବିଧାନ ପାଳନ କରାଯାଏ । ଏହା କେବଳ ଦେବୀ ଆରାଧନା ନୁହେଁ, ନାରୀବାଦର ବିଜ୍ଞାନ ସମ୍ମତ ପ୍ରାମାଣ ।  

 

ଶାକ୍ତ ପୂଜାର ଉତ୍କୃଷ୍ଟ କ୍ଷେତ୍ର ହେଉଛି ‘ଉଡ୍ରଦେଶ’ ବା ଓଡିଶା । ହଜାର ହଜାର ବର୍ଷ ପୂର୍ବରୁ ‘ଉଡ୍ଡିୟାନ’ ତନ୍ତ୍ର ସାଧନର ପ୍ରକୃଷ୍ଟ କ୍ଷେତ୍ର ଥିଲା, ଏହାର ଅନେକ ଉଦାହରଣ ଆଜି ମଧ୍ୟ ଓଡିଶାର ଛତ୍ରେ ଛତ୍ରେ ବିଦ୍ୟମାନ । ପ୍ରଥମରୁ ଦଶମ ଶତାବ୍ଦୀରେ ଓଡ଼ିଶାରେ ବହୁ ଧାରାର ତନ୍ତ୍ର ଉପାସନା ଦେଖିବାକୁ ମିଳିଥିଲା । ଶୈଳୋଦ୍ଭବ, ଭୌମକର, ସୁଲୁକୀ ଇତ୍ୟାଦି ରାଜବଂଶ ଗୁଡିକ ସମୟରେ ଶାକ୍ତ ପରମ୍ପରା ପ୍ରାବଲ୍ୟ ବିସ୍ତାର କରିଥିଲା ଏବଂ ତନ୍ତ୍ର ସାଧନା ବ୍ୟାପକ ଥିଲା । କେବଳ ଯେ ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ଶକ୍ତି ପୂଜା କରାଯାଉଥିଲା, ତା’ ନୁହେଁ, ପୂର୍ବ ଉପକୂଳର ପ୍ରସିଦ୍ଧ ଶ୍ରୀକ୍ଷେତ୍ର ଭାବେ ପରିଚିତ ପୁରୀ ଶ୍ରୀମନ୍ଦିରର କ୍ଷେତ୍ରାଧୀଶ୍ୱରୀ ହେଉଛନ୍ତି ମା’ ବିମଳା । ଜଗନ୍ନାଥଙ୍କୁ ଘେରି ରହିଛନ୍ତି ତନ୍ତ୍ରଦେବୀ କମଳା, ବିମଳା, କାଳୀ, ଭୁବନେଶ୍ୱରୀ, ଉଗ୍ରତାରା ଇତ୍ୟାଦି । ସେଥିପାଇଁ ମହାନିର୍ବାଣତନ୍ତ୍ରରେ ଉଲ୍ଲେଖ ରହିଛି ଯେ-

 

“ଉଗ୍ରତାରା, ଶୂଳପାଣି,

ସୁଭଦ୍ରା, ଭୁବନେଶ୍ୱରୀ,

ନିଳାଦ୍ରୌତୁ ଜଗନ୍ନାଥ

ସାକ୍ଷାତ୍ ଦକ୍ଷିଣକାଳିକା ।।”

 

ଏହି ଶ୍ଳୋକ ଆଧାରରେ ମହାପ୍ରଭୁ ହେଉଛନ୍ତି ଦକ୍ଷିଣକାଳିକା ବା ଶକ୍ତି ସ୍ୱରୂପ ନୀଳକନ୍ଦରରେ ବିଦ୍ୟମାନ ଅଛନ୍ତି । ‘ଦେବୀ ଭାଗବତ’ ମହାପୁରାଣରେ ବ୍ରହ୍ମ ଓ ଶକ୍ତି ମଧ୍ୟରେ ସମ୍ବନ୍ଧ ଏକତ୍ୱ ବିଚାରର ପ୍ରତୀକ ଅଟେ । ସ୍ୱୟଂ ଜଗନ୍ନାଥ ଭୈରବୀ ଚକ୍ର ଉପରେ ଉପବେଶନ କରିଛନ୍ତି । ଅପର ପକ୍ଷେ ଦ୍ୱାଦଶ ଶତାବ୍ଦୀ ପୂର୍ବରୁ ଶ୍ରୀକ୍ଷେତ୍ରରେ ବିମଳା, ଯାଜପୁରରେ ବିରଜା, କାକଟପୁରରେ ମଙ୍ଗଳା, ଝଙ୍କଡରେ ଶାରଳା, ବାଣପୁରରେ ଭଗବତୀ, ଭୁଷଣ୍ଡପୁରରେ ଉଗ୍ରତାରା, ବାଙ୍କିରେ ଚର୍ଚ୍ଚିକା, ସମ୍ବଲପୁରରେ ସମଲାଇ, ସୁବର୍ଣ୍ଣପୁରରେ ସୁରେଶ୍ୱରୀ, ପାଟଣାରେ ପାଟଣେଶ୍ୱରୀ, କଳାହାଣ୍ଡିରେ ମାଣିକେଶ୍ୱରୀ , ସୋନପୁରର ରାଣୀପୁର ଝରିଆଲ, ହୀରାପୁରର ଚଉଷଠିଯୋଗିନୀ, ତାରାଦେଇ, ତାରାତାରିଣୀ, ତାରିଣୀ, କଟକଚଣ୍ଡୀ, କାଳୀଜାଈ, କୀଚକେଶ୍ୱରୀ, କୋଶଳାରାମଚଣ୍ଡୀ, ଗୁଣ୍ଡିଚାମନ୍ଦିର ,ଘଣ୍ଟେଶ୍ୱରୀ, ଡମଡମଣି, ଦକ୍ଷିଣକାଳୀ, ବରୁଣେଇ, ଭଟ୍ଟାରିକା, ଭଦ୍ରକାଳୀ, ମଝିଘରିଆଣୀ, ମାଉସୀମା’, ମାଣିକେଶ୍ୱରୀ, ରାମଚଣ୍ଡୀ, ଶିଖରଚଣ୍ଡୀ, ସିଦ୍ଧଭୈରବୀ, ବ୍ରହ୍ମଗିରିରେ ବାଲିହରଚଣ୍ଡୀ ଆଦି ଶତାଧିକ ତନ୍ତ୍ର ପୀଠ ରହିଛି। ଆଜି ମଧ୍ୟ ସେହିସବୁ ସ୍ଥାନରେ ସୁଉଚ୍ଚ କାରୁକାର୍ଯ୍ୟ ଖଚିତ ମନ୍ଦିରମାନ ବିଦ୍ୟମାନ ରହିଛି। ଦଶ ମହାବିଦ୍ୟା ଭାବେ କାଳୀ,ତାରା, ଷୋଢଶୀ, ଭୁବନେଶ୍ୱରୀ, ଭୈରବୀ, ଛିନ୍ନମସ୍ତା, ଧୂମାବତୀ, ବଗଳା, ମାତଙ୍ଗୀ ଓ କମଳାଙ୍କୁ ଆରାଧନା କରାଯାଉଥିଲା। ଏତିକିରେ ଦେବୀ ଆରଧନା ଶେଷ ହୋଇନାହିଁ। ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ସପ୍ତ ମାତୃକା ଯଥା-ବ୍ରାହ୍ମଣୀ,ମାହେଶ୍ୱରୀ, କୌମାରୀ, ବୈଷ୍ଣବୀ, ଇନ୍ଦ୍ରାଣୀ, ବାରାହୀ ଓ ଚାମୁଣ୍ଡା ତଥା ଚଉଷଠି ଯୋଗିନୀ ପରମ୍ପରା ଓଡିଶାର ବିଭିନ୍ନ ସ୍ଥାନରେ ରହିଛି। ଆଜି ମଧ୍ୟ ପାଟଣାଗଡ ଓ ସୋନପୁରରେ ଜ୍ଞାନଦେଇ ମାଲୁଣୀ, ନିତେଇ ଧୋବଣୀ ,ପତର ଶଉରୁଣୀ, ଶୁଆ ତେଲୁଣୀ, ଗାଙ୍ଗୀ ଗଉଡୁଣୀ, ଲୁହୁକୁଟି ଲୁହୁରୁଣୀ ଓ ଶୁକୁଟି ଚମାରୁଣୀ ଆଦି ସାତଭଉଣୀ ପୂଜା ପରମ୍ପରାର ଆରାଧନା ରହିଛି। ତନ୍ତ୍ର ସାଧନା ବେଳେ ତାନ୍ତ୍ରୀକମାନେ ଆନନ୍ଦ ଭୈରବ ରୂପକ ଶିବ ଏବଂ ଆନନ୍ଦ ଭୈରବୀ ରୂପେ ଶକ୍ତିଙ୍କୁ ମୁଖ୍ୟ ଭାବେ ପୂଜା କରୁଥିଲେ। 

 

ପ୍ରାଚୀନ ଭାରତର ଅଧିବାସୀମାନେ ମାତୃ-ପ୍ରଧାନ ଜାତି ଥିଲେ । ନାରୀବାଦକୁ ଗୁରୁତ୍ୱାରୋପ କରୁଥିଲେ । Sir John Woodroffe ଙ୍କ  ଦ୍ୱାରା ଲିଖିତ “Sakti  and Sakta” ଗ୍ରନ୍ଥରେ ସେ ଉଲ୍ଲେଖ କରିଛନ୍ତି ଯେ-“A glorious feature of the Sakta faith is the honour which it pays to women and this is natural for the worship the great Mother, whose representative (Vigraha) all earthly, women are.”  “ସ୍ତ୍ରିୟୋ ଦେବାଃ, ସ୍ତ୍ରିୟୋ ପ୍ରାଣାଃ” ସେହିପରି “History of Sakta Religion”ରେ ପୁରୁଷ ଦେବତାଙ୍କ ଅପେକ୍ଷା ସ୍ତ୍ରୀ ଦେବତାଙ୍କୁ ଉଚ୍ଚତର ସ୍ଥାନ ପ୍ରଦାନ କରାଯାଇଥିବା ପ୍ରମାଣ ମିଳେ!- “….But in the religious history of India, Mother Goddess never ceased to be an important cult of the people. It was so deep rooted in Indian mind that even in the sectarian religions like Vaisnavism, Saivism etc. the Female Principle had to be given a prominent position. Even the basically atheistic religions like Buddhism and Jainism could not avoid this popular influence. Later Buddhism is, in fact, nothing but a disguised Tantric cult of the Female Principle”   

ପ୍ରାକ୍ ବୈଦିକ କାଳରେ ମଧ୍ୟ ଶକ୍ତିପୂଜା କରାଯାଉଥିବାର ପ୍ରମାଣ ରହିଛି । ଋକ୍ ବେଦର ‘ଦେବୀସୂକ୍ତ’ରେ ପରମବ୍ରହ୍ମ ଶକ୍ତିକୁ ଦେବୀ ରୂପରେ କଳ୍ପନା କରାଯାଇଛି । ଋକ୍ ବେଦରେ ଦେବୀଙ୍କ ସଂପର୍କରେ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି । ଋକ୍ ବେଦରେ ଯେଉଁସବୁ ଦେବୀମାନଙ୍କ ନାମ କୁହାଯାଇଛି, ସେମାନଙ୍କ ମଧ୍ୟରେ ‘ଗୌରୀ’ ନାମରେ ଦେବୀ ରହିଥିଲେ । ବୌଦ୍ଧ ପୂର୍ବୀୟ ଯାଗାଦି କର୍ମକାଣ୍ଡ କାଳରେ ଅଷ୍ଟାଦଶ ମାତୃପୂଜା ଓ ଅଷ୍ଟ ମହାଦେବୀଙ୍କ ଉଦ୍ଦେଶ୍ୟରେ ହୋମ ସମର୍ପଣ  ଏହାର ବିକଶିତ ରୂପ ବୋଲି କୁହାଯାଇପାରେ । କାରଣ ଯଜ୍ଞକାଳରେ ଗୌରୀ ଆଦି ଅଷ୍ଟାଦଶ ମାତୃଗଣଙ୍କୁ ସନ୍ତୁଷ୍ଟ କରିବାର ବିଧାନ ରହିଛି । ଏହି ଅଷ୍ଟାଦଶ ମାତୃଗଣ ହେଲେ ଗୌରୀ, ପଦ୍ମା, ଶଚୀ, ମେଧା, ସାବିତ୍ରୀ, ବିଜୟା, ଜୟା, ଦେବସେନା, ସ୍ୱାହା, ସ୍ୱାଧା, ମାତା, ଲୋକମାତା, ଦୃତି, ତୁଷ୍ଟି, କ୍ଷମା, ପୁଷ୍ଟି, ଆତ୍ମଦେବୀ ଓ କୁଳଦେବତା । ଏମାନଙ୍କ ମଧ୍ୟରେ ପ୍ରମୁଖ ଦେବୀ ହେଉଛନ୍ତି ଗୌରୀ ।  ଏହି ଗୌରୀ ଯେ ପରବର୍ତ୍ତୀ କାଳରେ ବିଭିନ୍ନ ନାମରେ ଯଥା-ଦୁର୍ଗା, ଦୁର୍ଗତି ନାଶିନୀ, ଶିବା, ପାର୍ବତୀ, କାଳୀ ଇଦ୍ୟାଦି ଭାବେ ପୂଜା ପାଉଛନ୍ତି । 

 

ସୃଷ୍ଟିର ଆରମ୍ଭରୁ ଦେବୀ ଆରାଧନା ଓ ନାରୀଶକ୍ତିର ଗୁରୁତ୍ବ ରହିଥିଲା । ଋକ୍ ବେଦ ସମୟରେ ହାତଗଣତି ମାତ୍ର କେତେଜଣ ଦେବୀ ଥିବାବେଳେ ପରବର୍ତ୍ତୀକାଳରେ ଅଷ୍ଟାଦଶ ଦେବୀ ଆସିଗଲେ । ତାର ପରବର୍ତ୍ତୀ କାଳରେ ବା ପୂରାଣ ଯୁଗରେ ଚଣ୍ଡୀଙ୍କୁ ପ୍ରାଧାନ୍ୟ ଦିଆଗଲା । ତାପରେ ଚଣ୍ଡୀ ଯେ ଗୌରୀ ବା ଦେବୀ ଦୁର୍ଗାଙ୍କ ନାମରେ ଖ୍ୟାତି ଲାଭ କରିଥାଇ ପାରନ୍ତି କିମ୍ବା ଚଣ୍ଡୀଙ୍କୁ ଗୌରୀଙ୍କ ସମକକ୍ଷ ଭାବେ କଳ୍ପନା କରାଯାଇଛି ଏହାକୁ ଅସ୍ୱୀକାର କରାଯାଇନପାରେ। ହରଙ୍କର ପତ୍ନୀ ଗୌରୀ ।‘ହର’ ଅର୍ଥ ‘ଶିବ’ । ଶିବଙ୍କର ସ୍ତ୍ରୀ ‘ଶିବା’ ବା ପାର୍ବତୀ ଭାବେ ପୁରାଣରେ ଖ୍ୟାତିଲାଭ କରିଛନ୍ତି ।  ମାତ୍ର ଋକ୍ ଦେବ ପୂର୍ବରୁ ମଧ୍ୟ ଶକ୍ତି ଆରାଧନା ସମାଜରେ ପ୍ରଚଳିତ ଥିଲା । କିନ୍ତୁ ବୈଦିକ ଯୁଗରୁ ଏହି ଦେବୀ ଆରାଧନାର ଗୁରୁତ୍ୱ କ୍ରମେ କ୍ରମେ ବ୍ୟାପକତା ଲାଭ କରିଛି । ବିଖ୍ୟାତ ଭାଷ୍ୟକାର ଶୟନାଚାର୍ଯ୍ୟଙ୍କ ମତରେ-

“ତାମଗ୍ନି ବର୍ଣ୍ଣାଂ ତପସୀ ଜ୍ୱଳନ୍ତୀଂ

ବୈରୋଚନୀଂ କର୍ମଫଳେଷୁ ଜୁଷ୍ଟାଂ ।

ଦୁର୍ଗା ଦେବୀଂ ଶରଣମହଂ ପ୍ରପଦ୍ଦ୍ୟେ

ସୁତରସି ତରସେ ନମଃ ।।”

ତେବେ ଏହି ମନ୍ତ୍ରକୁ ନେଇ ମଧ୍ୟ ମତଦ୍ୱୈଧ ରହିଛି । କେହି କେହି ଏହାକୁ ଋକ୍ ବେଦର ମନ୍ତ୍ର କହୁଥିବା ବେଳେ ଆଉ କେହି କେହି ଏହାକୁ ନାରାୟଣୀୟୋପନିଷଦର ମନ୍ତ୍ର ବୋଲି କହୁଛନ୍ତି । ତେବେ ସେ ଯେଉଁ ଗ୍ରନ୍ଥର ମନ୍ତ୍ର ହେଉ ନା କାହିଁକି, ଏହା ଯେ ବୈଦିକ ଯୁଗର ଏଥିରେ କୌଣସି ସଂଦେହ ନାହିଁ । ଅର୍ଥାତ୍ ବୈଦିକ ଯୁଗର ଏହି ଶ୍ଲୋକରେ ତାମଗ୍ନି ବର୍ଣ୍ଣା, ତାପସୀ, ବୈରୋଚନୀ ଆଦି ଶବ୍ଦ ଦୁର୍ଗାଙ୍କ ଉଦ୍ଦେଶ୍ୟରେ ପ୍ରୟୋଗ କରାଯାଇଛି । ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ, ବୈଦିକ ଯୁଗରେ ମଧ୍ୟ ଦେବୀ ଆରାଧନା ଓ ନାରୀବଦ ଥିଲା । ଦେବୀଙ୍କୁ ଗୁରୁତ୍ୱ ଦିଆଯାଉଥିଲା । ଆଉ ଓଡିଶାରେ ଶାରଦୀୟ ଦୁର୍ଗାପୂଜା ବହୁ ଆଡମ୍ବରରେ ପାଳିତ ହୋଇଆସୁଅଛି ।  

ସିନ୍ଧୁ, ହରପ୍ପା ସଭ୍ୟତାର ପ୍ରତ୍ନତ୍ତ୍ୱାତିକ ଖନନରୁ ମଧ୍ୟ ଶୈବ ଓ ଶାକ୍ତ ପୂଜାର ଶହ ଶହ ପ୍ରମାଣ ମିଳେ । ଆର୍ଯ୍ୟମାନଙ୍କ ପୂର୍ବରୁ ଦ୍ରାବିଡମାନେ ମଧ୍ୟ ଶକ୍ତି ଉପାସନା କରୁଥିବାର ପ୍ରମାଣ ମହେଞ୍ଜୋଦାରୋ ଓ ହରପ୍ପାରୁ ମିଳିଥିବା ମୃଣ୍ମୟୀ ମୂର୍ତ୍ତୀରୁ ପ୍ରତୀୟମାନ ହୁଏ। ସେତେବେଳେ ଏହି ମାତୃମୂର୍ତ୍ତୀ ଜନସାଧାରଣଙ୍କର ଗୃହ ଦେବତା ଭାବେ ପୂଜା ପାଉଥିଲେ ବୋଲି ଐତିହାସିକ ମ୍ୟାକେଞ୍ଜି ତାଙ୍କର “Early Indus Valley Civilization 2nd Edition”ରେ ଉଲ୍ଲେଖ କରିଛନ୍ତି ଯେ-“ The clay figured and phallic beautific stones suggest that Durga and Siva worship was a very much greater antiquity in India than has hitherto been supposed.”. ଅର୍ଥାତ୍ ଗୌରୀ, ଶିବା, ପାର୍ବତୀ, ଚଣ୍ଡୀ, ହୈମବତୀ ଆଦି ନାମରେ ଦୁର୍ଗତି ନାଶିନୀ ମା’ ଦୁର୍ଗାଙ୍କର ଆରାଧନା ବୈଦିକ ଯୁଗରୁ ଚାଲି ଆସିଛି ଏଥିରେ କୌଣସି ଦ୍ୱିମତ ହେବାର ନାହିଁ । ତାହା ଆଜି ମଧ୍ୟ ରହିଛି । ମା’ ଦୁର୍ଗାଙ୍କୁ ଦଶହରା ଅବସରରେ ନିଷ୍ଠାର ସହ ଷୋଢ଼ଶ ଉପଚାରରେ ପୂଜା କରାଯାଉଛି । ବାସନ୍ତୀକ  ଦୁର୍ଗା ପୂଜାରେ ନବ ଦିନାତ୍ମକ ପୂଜା ମଧ୍ୟ କରାଯାଏ ।  

ଅଷ୍ଟମ-ନବମ ଶତାବ୍ଦୀ ବେଳକୁ ଓଡିଶାରେ ଦଣ୍ଡନୃତ୍ୟ ପ୍ରସାର ଲାଭ କରିଥିଲା । ଦକ୍ଷ ପ୍ରଜାପତିଙ୍କ ଯଜ୍ଞରେ ମହାଦେବଙ୍କୁ ନିମନ୍ତ୍ରଣ ନ କରି ସତିଙ୍କୁ ଅପମାନ କରିବାରୁ, ସତି ସେହି ଯଜ୍ଞକୁଣ୍ଡରେ ଝାସ ଦେଇଥିଲେ । ଏଥିରେ ଶିବ କ୍ରୋଧାନ୍ୱିତ୍ୱ ହୋଇ ଉଦଣ୍ଡ ନୃତ୍ୟ ସହ ଦକ୍ଷ ପ୍ରଜାପତିଙ୍କ ଶିରଚ୍ଛେଦନ କରିଥିଲେ ବୋଲି ପୌରାଣିକ ବିଶ୍ଵାସ ରହିଛି । ସେହିଠାରୁ ଏହି ଦଣ୍ଡନୃତ୍ୟ ହେଉଛି । ଏହି ପୂଜା ମଧ୍ୟ ଶିବ ପାର୍ବତୀଙ୍କୁ କରାଯାଉଛି । ‘ଦଣ୍ଡନାଚ’ ଓଡ଼ିଶାର ଏକ ଲୋକପ୍ରିୟ ଲୋକନାଟକ । ବଲାଙ୍ଗୀର, ସୋନପୁର, ବଉଦ, ଫୁଲବାଣୀ, ଆଠମଲ୍ଲିକ, ଗଞ୍ଜାମ, କଟକ, ପୁରୀ ଓ କଳାହାଣ୍ଡି ଜିଲ୍ଲାରେ ଏହା ଅନୁଷ୍ଠିତ ହେଉଥିଲେ ହେଁ ମୁଖ୍ୟତଃ ଗଞ୍ଜାମ, ବଲାଙ୍ଗୀର, ସୋନପୁର, ବଉଦ, ଆଠମଲ୍ଲିକ ଓ ସମ୍ବଲପୁର ଅଞ୍ଚଳରେ ବ୍ୟାପକ ଭାବରେ ‘ଦଣ୍ଡନାଟ’ର ଆୟୋଜନ ହୋଇଥାଏ । ନିଜ ଶରୀରକୁ କଷ୍ଟ ଦେଇ ଦଣ୍ଡୁଆମାନେ ନିଷ୍ଠାର ସହ ଏହି ବ୍ରତ ପାଳନ କରିଥାନ୍ତି । ଦଣ୍ଡନାଟର ଦୁଇଟି ବେତକୁ ଗୌରୀ ବେତ ବୋଲି କୁହାଯାଇଥାଏ । କେହି କେହି ଏହା ବୌଦ୍ଧମାନଙ୍କର ବଜ୍ରଯାନରୁ ଉତ୍ପତ୍ତି ହୋଇଛି ବୋଲି ମଧ୍ୟ ମତ ଦିଅନ୍ତି । 

 

ଚତୁର୍ଦ୍ଦଶ ଶତାବ୍ଦୀ ବେଳକୁ ଓଡିଶାରେ ଅନେକ ନାମରେ ଦେବୀଙ୍କୁ ପୂଜା କରାଯାଉଥିଲା । ଶକ୍ତି ଆରାଧନା ତଥା ମହାନ ନାରୀମାନଙ୍କ ନାମ ସ୍ମରଣକଲେ, ମହାପାପ ନାଶ ହୋଇଥାଏ ବୋଲି ଶାସ୍ତ୍ରକାରମାନେ କହିଛନ୍ତି । 

 

“ଉମା କାତ୍ୟାୟନୀ ଗୌରୀ କାଳୀ ହୈମବତୀଶୂରା ।

ଶିବା ଭବାନୀ ରୁଦ୍ରାଣୀ ଶର୍ବାଣୀ ସର୍ବମଙ୍ଗଳା ।।

ଅପର୍ଣ୍ଣା ପାର୍ବତୀ ଦୁର୍ଗା ମୃଡ଼ାନୀ ଚଣ୍ଡୀକାମ୍ବିକା”।

 

ଏହିପରି ଶହ ଶହ ଦେବୀଙ୍କର ପୂଜା ଆରାଧନା ଚତୁର୍ଦ୍ଦଶ ଶତାବ୍ଦୀ ବେଳକୁ ପ୍ରଚଳିତ ହୋଇସାରିଲାଣି । ଅପରପକ୍ଷେ ନାରୀବାଦ ଓଡିଶାର ମଧ୍ୟ ବହୁ ପୁରାତନ ପରମ୍ପରା । ଓଡ଼ିଶାର ସଂସ୍କୃତି, ଐତିହ୍ୟ, କଳା, ସାହିତ୍ୟ ଓ ପରିମ୍ପରାରେ ଦେବୀ ଆରାଧନା କେବଳ ଏକ ଧାର୍ମିକ ବିଶ୍ୱାସ ନୁହେଁ ବରଂ ଏହା ମାତୃଶକ୍ତିର ପ୍ରତୀକ ଏବଂ ଆଧୁନିକ ନାରୀବାଦର ଏକ ଗୁରୁତ୍ୱପୂର୍ଣ୍ଣ ଆଧାର ଭାବେ ଉଭା ହୋଇଆସିଛି । ଓଡିଶାରେ ମାତୃଶକ୍ତିର ପୂଜା ନାରୀର ସ୍ୱାଧୀନତା, ସାମାଜିକ ସ୍ଥିତି ଏବଂ ସମାନତା ସହ ଗଭୀର ଭାବେ ଜଡିତ । ଏହାର ଉଦାହରଣ କିଛି କମ୍ ନାହିଁ । ଯଥାର୍ଥରେ ତତ୍ରୈବରେ କୁହାଯାଇଛି-

“ଉତ୍କଳେ ନାଭିଦେଶଞ୍ଚ ବିରଜାକ୍ଷେତ୍ରମୁଚ୍ୟତେ,

ବିମଳା ସା ମହାଦେବୀ ଜଗନ୍ନାଥସ୍ତୁ ଭୈରବଃ” ।।

ଅନ୍ୟପକ୍ଷରେ ରାମାୟଣ, ମହାଭାରତ ଏବଂ ମହାପୁରାଣରେ ନାରୀବାଦର ଶହ ଶହ ଉଦାହରଣ ରହିଛି । ରାମାୟଣର ସୀତା ହୁଅନ୍ତୁ କି ମହାଭାରତର ଦ୍ରୌପଦୀ, ସବୁ ଯୁଗରେ ମାତୃଶକ୍ତିଙ୍କର ପ୍ରଭାବ ରହିଛି । ମହାଜ୍ଞାନୀ, ମହାବଳୀ ରାବଣ, ସୀତାଙ୍କୁ ହରଣକରି ତାର ଦଣ୍ଡ ପାଇଲା । ସେହିପରି ମହାଭାରତରେ କୁରୁସଭାତଳେ ଦ୍ରୌପଦୀଙ୍କୁ ଦୁର୍ଯ୍ୟୋଧନ ଅପମାନିତ କରି ନିଜର ବଂଶ ନାଶକଲା । ଯିଏ ଯେଉଁଠି ମାତୃଜାତିର ଅପମାନ କରିଛନ୍ତି, ସେମାନଙ୍କୁ ଆମ ସଂସ୍କୃତିରେ କେବଳ ପରାଜୟ ମିଳିଛି ।

“ଅହଲ୍ୟା, ଦ୍ରୌପଦୀ, ତାରା, କୁନ୍ତୀ ମନ୍ଦୋଦରୀ ତଥା

ପଞ୍ଚକନ୍ୟା ସ୍ମରେ ନିତ୍ୟଂ ମହାପାତକ ନାଶନଂ” ।।

ପୁରାତନ କାଳର ଶକ୍ତି ଉପାସନା ନାରୀ ଶକ୍ତିର ଉତ୍ସ ତଥା ନାରୀର ସ୍ଥିତି ସଂପର୍କରେ ସୂଚାଇ ଦେଉଛି । ପଞ୍ଚଦଶ ଶତାବ୍ଦୀର ପଞ୍ଚସଖା ବଳରାମ ଦାସ ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ଅନନ୍ତ ଦାସ, ଯଶୋବନ୍ତ ଦାସ ମଧ୍ୟ ନାରୀବାଦର ବ୍ୟାପକ ପ୍ରଚାର ପ୍ରସାର କରିବା ସହ ନାରୀକୁ ଅଗ୍ରାଧିକାର ଦେଇଥିଲେ । ଓଡିଶାର ଘରେ ଘରେ ପରିଚିତ ମହାନ ଭକ୍ତକବି ବଳରାମ ଦାସଙ୍କ ‘ଲକ୍ଷ୍ମୀ ପୁରାଣ’ ହେଉଛି ସେତେବେଳର ପ୍ରଥମ ନାରୀବାଦର ନିଦର୍ଶନ । ତାଙ୍କ ପୁସ୍ତକର ପ୍ରଥମ ଶ୍ଲୋକ-

“ନମସ୍ତେସ୍ତୁ ମହାମାୟେ ଶ୍ରୀପୀଠେ ସୁର ପୂଜିତେ

ଶଙ୍ଖ, ଚକ୍ର, ଗଦା ହସ୍ତେ ମହାଲକ୍ଷ୍ମୀ ନମୋସ୍ତୁତେ” ।। 

ଲକ୍ଷ୍ମୀ ପୁରାଣରେ ନାରୀକୁ ଅସମ୍ମାନ କରିବା କିମ୍ବା ନାରୀ ସ୍ୱାଧୀନତା ଉପରେ ହସ୍ତକ୍ଷେପ କରିବା ଦ୍ୱାରା ପୁରୁଷକୁ କିପରି ଅବସ୍ଥା ଭୋଗିବାକୁ ହୁଏ ଧର୍ମ ଧାରଣା ମାଧ୍ୟମରେ ସେ ଚେତାଇ ଦେବାକୁ ଉଦ୍ୟମ କରିଛନ୍ତି । ଘରେ ନାରୀର ଗୁରୁତ୍ୱ ତଥା ପ୍ରାଧାନ୍ୟ କେତେ ତାହା ସେ ସୂଚାଇ ଦେଇଛନ୍ତି । ଲକ୍ଷ୍ମୀପୁରାଣ ହେଉଛି ନାରୀବାଦର ଏକ ଜ୍ୱଳନ୍ତ ଉଦାହରଣ । ତୁଳସୀ ପୂଜା ମଧ୍ୟ ନାରୀବାଦର ଆଦିମ ପରମ୍ପରା ।  

ସେହିପରି ଓଡିଶାରେ ଶକ୍ତି ଉପାସନା ନାରୀର ସ୍ଥିତି ସଂପର୍କରେ ସମ୍ୟକ ସୂଚନା ପ୍ରଦାନ କରୁଥିବା ବେଳେ ଯୋଗିନୀ ପୂଜା ନାରୀ ସ୍ୱାଧୀନତାକୁ ପ୍ରକାଶ କରୁଛି । ସାଂପ୍ରତିକ ଓଡିଶାରେ  ନାରୀଜାତିକୁ ଆର୍ଥିକ, ସାମାଜିକ, କର୍ମକ୍ଷେତ୍ର ସବୁଥିରେ ପ୍ରାଧାନ୍ୟ ଦିଆଯାଉଛି । ଏଣୁ ଅତୀତରେ ଦେବୀ ଆରାଧନା ଓ ନାରୀବାଦ ରହିଥିବା ଏବଂ ଆଜି ମଧ୍ୟ ସେହି ପରମ୍ପରା ବ୍ୟାପକ ଭାବେ ରହିଛି ଏଥିରେ ଦ୍ୱିମତ ହେବାର ନାହିଁ । ବାରମାସରେ ତେର ପୂଜା ହେଉଛି । ଏପରିକି ଶାସ୍ତ୍ରୀୟ ମତରେ ଦିନର ତିନି ବେଳାକୁ ମଧ୍ୟ ନାରୀଙ୍କ ନାମରେ ନାମିତ କରାଯାଇଛି । ଯଥା-ପୂର୍ବାହ୍ନ ସନ୍ଧ୍ୟାକୁ-ଗାୟତ୍ରୀ, ମଧ୍ୟମା ସନ୍ଧ୍ୟାକୁ-ସାବିତ୍ରୀ ଓ ପଶ୍ଚିମା ସନ୍ଧ୍ୟାକୁ-ସରସ୍ୱତୀ ଭାବେ ବର୍ଣ୍ଣନା କରାଯାଇଛି । ଅର୍ଥାତ୍ ବେଦ, ଉପନିଷଦଠାରୁ ଆରମ୍ଭ କରି ଅତ୍ୟାଧୁନିକ ତଥା ସାମ୍ପ୍ରତିକ ସମାଜରେ ମାତୃଶକ୍ତିଙ୍କ ମହିମା ରହିଛି ଏବଂ ମାନବ ସମାଜ ଥିବା ପର୍ଯ୍ୟନ୍ତ ରହିବ । ସେ ହେଉଛନ୍ତି ସର୍ବ ମଙ୍ଗଳ କାରିଣୀ । ସେଥିପାଇଁ ଶାସ୍ତ୍ରରେ କୁହାଯାଇଛି-

“ସର୍ବ ମଙ୍ଗଳ ମାଙ୍ଗଲ୍ୟେ ଶିବେ ସର୍ବାର୍ଥ ସାଧିକେ

ଶରଣ୍ୟେ ତ୍ର୍ୟମ୍ବକେ ଗୌରୀ ନାରାୟଣୀ ନମୋସ୍ତୁତେ ।।”

**********

Share This Article 0 shares

Continue Reading

View All ଅତିଥି ସ୍ତମ୍ଭ →