2026 ମସିହାର ଥିମ୍ “Kidney Cancer and Emotional Wellbeing” ଆମକୁ ସ୍ମରଣ କରାଏ ଯେ କ୍ୟାନ୍ସର କେବଳ ଶାରୀରିକ ରୋଗ ନୁହେଁ, ଏହା ମନ ଓ ଭାବନାକୁ ମଧ୍ୟ ଗଭୀର ଭାବରେ ପ୍ରଭାବିତ କରେ । ରୋଗ ନିର୍ଣ୍ଣୟ ପରେ ଅନେକ ରୋଗୀ ଭୟ, ନିରାଶା, ଚିକିତ୍ସା ଖର୍ଚ୍ଚର ଚିନ୍ତା ଓ ଭବିଷ୍ୟତକୁ ନେଇ ଅନିଶ୍ଚିତତାରେ ଭୋଗନ୍ତି । କେତେକ ରୋଗୀ ସମାଜ ଓ ପରିବାରରୁ ନିଜକୁ ଅଲଗା ମନେ କରନ୍ତି । ଏହି କାରଣରୁ ମାନସିକ ସହାୟତା, କାଉନ୍ସେଲିଂ, ପରିବାରର ସମର୍ଥନ ଏବଂ ସପୋର୍ଟ ଗ୍ରୁପ୍‌ର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ।

ପ୍ରତିବର୍ଷ ଜୁନ୍ ମାସର ତୃତୀୟ ଗୁରୁବାର ଦିନ ସମଗ୍ର ବିଶ୍ୱରେ World Kidney Cancer Day (WKCD) ପାଳନ କରାଯାଏ । 2026 ମସିହାରେ ଏହା 18 ଜୁନ୍ ତାରିଖରେ ପାଳନ ହେଉଛି । ଏହି ଦିବସର ଉଦ୍ଦେଶ୍ୟ ହେଉଛି କିଡନୀ କ୍ୟାନ୍ସର ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା, ରୋଗୀ ଓ ସେମାନଙ୍କ ପରିବାରକୁ ସହାୟତା ଯୋଗାଇବା ଏବଂ କିଡନୀ କ୍ୟାନ୍ସରର ଶାରୀରିକ ଓ ମାନସିକ ପ୍ରଭାବ ବିଷୟରେ ବିଶ୍ୱସ୍ତରରେ ଆଲୋଚନାକୁ ଉତ୍ସାହିତ କରିବା । 2026 ମସିହା ବିଶ୍ୱ କିଡନୀ କ୍ୟାନ୍ସର ଦିବସର ଥିମ୍ ହେଉଛି “Kidney Cancer and Emotional Wellbeing” ବା “କିଡନୀ କ୍ୟାନ୍ସର ଓ ମାନସିକ ସୁସ୍ଥତା” । ଏହି ଥିମ୍ ରୋଗୀମାନଙ୍କ ମାନସିକ ଅବସ୍ଥା, ଚିନ୍ତା, ଭୟ, ଏକାକୀପଣ ଓ ଭାବନାତ୍ମକ ସମସ୍ୟା ଉପରେ ଗୁରୁତ୍ୱ ଦେଉଛି । ଆନ୍ତର୍ଜାତୀୟ କିଡନୀ କ୍ୟାନ୍ସର କୋଆଲିସନ (IKCC) ର 2025 ଗ୍ଲୋବାଲ୍ ସର୍ଭେ ଅନୁଯାୟୀ ପ୍ରାୟ 85% କିଡନୀ କ୍ୟାନ୍ସର ରୋଗୀ ମାନସିକ ଚାପ କିମ୍ବା ଭାବନାତ୍ମକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକେ ଏହି ସମସ୍ୟା ବିଷୟରେ ଡାକ୍ତର, ପରିବାର କିମ୍ବା ବନ୍ଧୁମାନଙ୍କ ସହ ଆଲୋଚନା କରନ୍ତି ନାହିଁ ।

କିଡନୀ କ୍ୟାନ୍ସର ହେଉଛି ଏକ ଗୁରୁତର ରୋଗ, ଯାହା କିଡନୀର କୋଷଗୁଡ଼ିକର ଅସ୍ୱାଭାବିକ ବୃଦ୍ଧି ଫଳରେ ସୃଷ୍ଟି ହୁଏ । ଆଧୁନିକ ଜୀବନଶୈଳୀ, ଧୂମପାନ, ମଦ୍ୟପାନ, ମୋଟାପଣ, ଉଚ୍ଚ ରକ୍ତଚାପ ଓ ଅନିୟନ୍ତ୍ରିତ ମଧୁମେହ ଏହି ରୋଗର ବିପଦକୁ ବଢ଼ାଇ ଦେଇଥାଏ । ଆଜିର ବ୍ୟସ୍ତ ଜୀବନରେ ଅଧିକାଂଶ ଲୋକ ଶାରୀରିକ କ୍ରିୟାକଳାପରୁ ଦୂରେଇ ଯାଉଛନ୍ତି ଏବଂ ଫାଷ୍ଟ ଫୁଡ୍, ପ୍ରସେସ୍ଡ ଖାଦ୍ୟ ଓ ଅଧିକ ଲୁଣ ଥିବା ଖାଦ୍ୟର ସେବନ ବଢ଼ିଛି । ଏହା ଶରୀରରେ ବିଭିନ୍ନ ରୋଗ ସୃଷ୍ଟି କରିବା ସହ କିଡନୀ ଉପରେ ମଧ୍ୟ ଚାପ ବଢ଼ାଇଥାଏ । ଡାକ୍ତରମାନଙ୍କ ମତାନୁସାରେ ଉଚ୍ଚ ରକ୍ତଚାପ, ମଧୁମେହ ଓ ମୋଟାପଣ କିଡନୀ ରୋଗ ଏବଂ କିଡନୀ କ୍ୟାନ୍ସରର ପ୍ରମୁଖ କାରଣ ମଧ୍ୟରୁ ଅନ୍ୟତମ ।

କିଡନୀ କ୍ୟାନ୍ସରର ପ୍ରାରମ୍ଭିକ ଲକ୍ଷଣ ଅନେକ ସମୟରେ ସ୍ପଷ୍ଟ ଭାବେ ଦେଖାଯାଏ ନାହିଁ । ତେଣୁ ଏହାକୁ “Silent Disease” ବୋଲି ମଧ୍ୟ କୁହାଯାଏ । ପରିସ୍ରାରେ ରକ୍ତ ଆସିବା, ପିଠି କିମ୍ବା ପାର୍ଶ୍ୱ ଭାଗରେ କଷ୍ଟ, ଅସାମାନ୍ୟ ଭାବରେ ଓଜନ କମିଯିବା, ଅତ୍ୟଧିକ କ୍ଲାନ୍ତି, ଭୋକ ନ ଲାଗିବା, ଜ୍ୱର ଓ ଶରୀରରେ ସ୍ୱେଲିଂ ଭଳି ଲକ୍ଷଣ ଦେଖାଦେଇପାରେ । ଏହି ଲକ୍ଷଣଗୁଡ଼ିକୁ ଅବହେଳା ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ଆଜିକାଲି ଅଲ୍ଟ୍ରାସାଉଣ୍ଡ, ସିଟି ସ୍କାନ୍, ଏମଆରଆଇ ଓ ବିଭିନ୍ନ ରକ୍ତ ପରୀକ୍ଷା ମାଧ୍ୟମରେ କିଡନୀ କ୍ୟାନ୍ସରକୁ ପ୍ରାରମ୍ଭିକ ସ୍ତରରେ ଚିହ୍ନଟ କରିହେବ, ଯାହା ଚିକିତ୍ସାର ସଫଳତାକୁ ବଢ଼ାଇଥାଏ ।

2026 ମସିହାର ଥିମ୍ “Kidney Cancer and Emotional Wellbeing” ଆମକୁ ସ୍ମରଣ କରାଏ ଯେ କ୍ୟାନ୍ସର କେବଳ ଶାରୀରିକ ରୋଗ ନୁହେଁ, ଏହା ମନ ଓ ଭାବନାକୁ ମଧ୍ୟ ଗଭୀର ଭାବରେ ପ୍ରଭାବିତ କରେ । ରୋଗ ନିର୍ଣ୍ଣୟ ପରେ ଅନେକ ରୋଗୀ ଭୟ, ନିରାଶା, ଚିକିତ୍ସା ଖର୍ଚ୍ଚର ଚିନ୍ତା ଓ ଭବିଷ୍ୟତକୁ ନେଇ ଅନିଶ୍ଚିତତାରେ ଭୋଗନ୍ତି । କେତେକ ରୋଗୀ ସମାଜ ଓ ପରିବାରରୁ ନିଜକୁ ଅଲଗା ମନେ କରନ୍ତି । ଏହି କାରଣରୁ ମାନସିକ ସହାୟତା, କାଉନ୍ସେଲିଂ, ପରିବାରର ସମର୍ଥନ ଏବଂ ସପୋର୍ଟ ଗ୍ରୁପ୍‌ର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ । ବିଶ୍ୱ କିଡନୀ କ୍ୟାନ୍ସର ଦିବସ 2026 ରେ ରୋଗୀମାନଙ୍କୁ ନିଜର ଭାବନା ବ୍ୟକ୍ତ କରିବା ଓ ଆବଶ୍ୟକ ସହାୟତା ନେବା ପାଇଁ ପ୍ରୋତ୍ସାହିତ କରାଯାଉଛି ।

ବର୍ତ୍ତମାନ ସମୟରେ ସୁସ୍ଥ ଜୀବନଶୈଳୀ ଅବଲମ୍ବନ କରିବା କିଡନୀ କ୍ୟାନ୍ସର ଓ ଅନ୍ୟାନ୍ୟ କିଡନୀ ରୋଗର ବିପଦକୁ ହ୍ରାସ କରିପାରେ । ପ୍ରତିଦିନ ଅତିକମରେ 30 ମିନିଟ୍ ବ୍ୟାୟାମ କରିବା, ଦୌଡ଼ିବା, ଯୋଗ, ପ୍ରାଣାୟାମ ଓ ହାଟିବା ଶରୀରକୁ ସକ୍ରିୟ ରଖିଥାଏ । ସବୁଜ ପନିପରିବା, ଫଳ, ସାରା ଧାନ୍ୟ, ଡାଲି ଓ ପ୍ରୋଟିନ୍‌ଯୁକ୍ତ ସନ୍ତୁଳିତ ଖାଦ୍ୟ ଗ୍ରହଣ କରିବା ଆବଶ୍ୟକ । ଅଧିକ ଲୁଣ, ଅଧିକ ଚର୍ବି ଥିବା ଖାଦ୍ୟ, କୋଲ୍ଡ ଡ୍ରିଙ୍କ୍ସ ଓ ଜଙ୍କ ଫୁଡ୍‌ରୁ ଦୂରେଇ ରହିବା ଉଚିତ । ଶରୀରକୁ ହାଇଡ୍ରେଟ୍ ରଖିବା ପାଇଁ ପର୍ଯ୍ୟାପ୍ତ ପାଣି ପିଇବା ମଧ୍ୟ ଅତ୍ୟନ୍ତ ଆବଶ୍ୟକ। ଧୂମପାନ ଓ ତମାଖୁ ସେବନ କିଡନୀ କ୍ୟାନ୍ସରର ମୁଖ୍ୟ କାରକ ହେବାରୁ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଉଚିତ । 

ଆଜିର ଡିଜିଟାଲ୍ ଯୁଗରେ ଲୋକମାନେ ଦୀର୍ଘ ସମୟ ଧରି କମ୍ପ୍ୟୁଟର, ମୋବାଇଲ୍ ଓ ଅଫିସ୍ କାମରେ ବସି ରହୁଛନ୍ତି । ଏହା ଶାରୀରିକ ଅକ୍ରିୟତାକୁ ବଢ଼ାଇ ଦେଉଛି, ଯାହା ମୋଟାପଣ, ମଧୁମେହ ଓ ଉଚ୍ଚ ରକ୍ତଚାପ ସୃଷ୍ଟି କରି କିଡନୀ ରୋଗର ବିପଦ ବଢ଼ାଏ । ସେଥିପାଇଁ ନିୟମିତ ବ୍ୟାୟାମ, ସମୟମତେ ଶୋଇବା, ପର୍ଯ୍ୟାପ୍ତ ନିଦ୍ରା ଓ ମାନସିକ ଚାପକୁ ନିୟନ୍ତ୍ରଣ କରିବା ଆବଶ୍ୟକ । ଧ୍ୟାନ, ଯୋଗ ଓ ମେଡିଟେସନ୍ ମାନସିକ ସୁସ୍ଥତା ବଜାୟ ରଖିବାରେ ସହାୟକ ହୋଇପାରେ । 

ବିଶ୍ୱ କିଡନୀ କ୍ୟାନ୍ସର ଦିବସ 2026 ଆମକୁ ଏକ ସ୍ପଷ୍ଟ ବାର୍ତ୍ତା ଦେଉଛି ଯେ କିଡନୀ କ୍ୟାନ୍ସର ବିରୋଧରେ ଲଢ଼ାଇ କେବଳ ଔଷଧ ଓ ଚିକିତ୍ସା ମାଧ୍ୟମରେ ସମ୍ଭବ ନୁହେଁ, ବରଂ ମାନସିକ ଶକ୍ତି, ସାମାଜିକ ସହଯୋଗ ଓ ସୁସ୍ଥ ଜୀବନଶୈଳୀ ମଧ୍ୟ ଏହାର ଅଂଶ । ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, କାରକଗୁଡ଼ିକୁ ନିୟନ୍ତ୍ରଣ, ସୁସ୍ଥ ଖାଦ୍ୟ ଅଭ୍ୟାସ ଓ ମାନସିକ ସୁସ୍ଥତା ପ୍ରତି ଧ୍ୟାନ ଦେଇ ଆମେ କିଡନୀ କ୍ୟାନ୍ସରର ବିପଦକୁ କମାଇପାରିବା । ଏହି ଦିବସ ରୋଗୀ, ପରିବାର, ଡାକ୍ତର ଓ ସମାଜକୁ ଏକାଠି ହୋଇ କିଡନୀ କ୍ୟାନ୍ସର ସମ୍ପର୍କରେ ସଚେତନତା ବଢ଼ାଇବା ଓ ପ୍ରତ୍ୟେକ ରୋଗୀଙ୍କୁ ଆଶା, ସମର୍ଥନ ଓ ଭଲ ଜୀବନ ପାଇଁ ପ୍ରେରଣା ଦେବାକୁ ଆହ୍ୱାନ କରୁଛି । 

Share This Article 0 shares

Continue Reading

View All ଜୀବନ →